
ଦେଶକୁ ନକ୍ସଲମୁକ୍ତ କରିବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ପ୍ରତିବଦ୍ଧତା ମଧ୍ୟରେ ରାଜ୍ୟ ସରକାର ଏକ ଆକର୍ଷଣୀୟ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି । ନକ୍ସଲମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ସଂଶୋଧିତ ‘ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନା’ର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ଯୋଜନାରେ ନକ୍ସଲ କ୍ୟାଡ଼ରମାନଙ୍କୁ ନାକେବଳ ଥଇଥାନ ବରଂ ହିଂସା ଛାଡ଼ିଲେ ନୂଆ ଜୀବନର ଗ୍ୟାରେଣ୍ଟି ସହ ଶୀର୍ଷ ନେତାମାନଙ୍କୁ ୧.୧୦କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନର ପ୍ରତିଶ୍ରୁତି ଦିଆଯାଇଛି । ଗୋଟିଏପଟେ ନକ୍ସଲଦମନ ଅପରେସନ୍ ଓ ଅନ୍ୟପଟେ ଏଭଳି ଆକର୍ଷଣୀୟ ଥଇଥାନ ପ୍ୟାକେଜ୍ ମାଧ୍ୟମରେ ନକ୍ସଲ ସଂଗଠନରେ ଫସି ରହିଥିବା ସମସ୍ତ କ୍ୟାଡ଼ରଙ୍କୁ ସୁରକ୍ଷିତ ଓ ଲାଭଜନକ ଭାବେ ହିଂସାର ମାର୍ଗ ତ୍ୟାଗ କରିବାକୁ ସରକାର ପ୍ରୋତ୍ସାହିତ କରିଥିବା ଜଣାପଡ଼ିଛି ।
ପାହ୍ୟା ଭିତ୍ତିରେ ପୁରସ୍କାର ରାଶି ମିଳିବ
ଗୃହ ବିଭାଗ ପକ୍ଷରୁ ନଭେମ୍ବର ୨୭ତାରିଖରେ ଏକ ବିଜ୍ଞପ୍ତି ଜାରି ହୋଇଛି ,ଯେଉଁଥିରେ ବାମପନ୍ଥୀ ଉଗ୍ରବାଦୀଙ୍କ ପାଇଁ ‘ଆତ୍ମସର୍ମପଣ ଓ ପୁନର୍ବାସ ଯୋଜନା’ରେ ସଂଶୋଧନ କରାଯାଇଛି । ୨୦୦୬,୨୦୧୨ ଓ ୨୦୧୪ ମସିହାରେ ଜାରି ଥଇଥାନ ନୀତିରେ ସଂଶୋଧନ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୨୦୨୨ ମସିହାର ଗାଇଡଲାଇନ୍ ଅନୁରୂପ କରିଛନ୍ତି । ଏହି ଥଇଥାନ ପ୍ୟାକେଜ୍ କେବଳ ଆତ୍ମସମର୍ପଣ ପାଇଁ ପ୍ରୋତ୍ସାହିତ କରିବା ନୁହେଁ ବରଂ ଭବିଷ୍ୟତରେ ଯେପରି କୌଣସି ପରିସ୍ଥିତିରେ ବି ଉଗ୍ରବାଦ ମାର୍ଗକୁ ନଫେରିବେ ତାହା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାର ଏହି ଯୋଜନାରେ ଆତ୍ମସର୍ମପଣ କରୁଥିବା ନକ୍ସଲଙ୍କୁ ଆର୍ଥିକ ସହାୟତା, ଆବାସ, ଦକ୍ଷତା ବିକାଶ ତାଲିମ, ସ୍ୱାସ୍ଥ୍ୟସେବା ଓ ରାସନ୍ ପରି ସହାୟତା ଓ ବିବିଧ ସୁବିଧା ଦେବାର ପ୍ରତିଶ୍ରୁତି ଦେଇଛନ୍ତି ।
ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ କମିଟି ସଦସ୍ୟ କିମ୍ବା ପଲିଟିବ୍ୟୁରୋ ସଦସ୍ୟଙ୍କ ପାଇଁ ସର୍ବାଧିକ ୧.୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଧାର୍ଯ୍ୟ ହୋଇଛି । ରାଜ୍ୟ କମିଟି ସଦସ୍ୟ କିମ୍ବା ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା, ଆଂଚଳିକ କମିଟି ମେମ୍ବର ପାଇଁ ୩୩ ଲକ୍ଷ ଓ ଡିଭିଜନାଲ୍ କମିଟି ସେକ୍ରେଟେରୀ କିମ୍ବା ମିଲିଟାରୀ ପ୍ଲାଟୁନ୍ କମାଣ୍ଡରଙ୍କ ପାଇଁ ୨୭.୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି ।
କୌଣସି ନକ୍ସଲ ନେତାଙ୍କ ମୁଣ୍ଡ ଉପରେ ଆର୍ଥିକ ପୁରସ୍କାର ରାଶି ଥିଲେ ଓ ସିଏ ଆତ୍ମସର୍ମପଣ କଲେ ଯେଉଁ ରାଶି ଅଧିକ ଥିବ ତାଙ୍କୁ ସେହି ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ଯେଉଁ ସକ୍ରିୟ କ୍ୟାଡରମାନଙ୍କ ଉପରେ ୫ଲକ୍ଷ କିମ୍ବା ତା’ଠୁ ବେଶୀ ପୁରସ୍କାର ଘୋଷଣା ହୋଇଥିବ ସେମାନଙ୍କୁ ଆତ୍ମସମର୍ପଣ ପରେ ଆଉ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍ ରାଶି ପ୍ରଦାନ କରାଯିବ । ପ୍ରଥମଥର ପାଇଁ ରାଜ୍ୟ ସରକାର ଏତେ ଅଧିକ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ।
ନକ୍ସଲଙ୍କ ପାଇଁ ସହାୟତା ରାଶି ଓ ପ୍ୟାକେଜ୍
ନକ୍ସଲମାନଙ୍କ ପାହ୍ୟାକୁ ଦୁଇଟି ବର୍ଗରେ ବିଭକ୍ତ କରି ସରକାର ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରିଛନ୍ତି । କେନ୍ଦ୍ରୀୟ ଓ ରାଜ୍ୟସ୍ତରର ଶୀର୍ଷପାହ୍ୟା ନକ୍ସଲ ନେତାଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇବେ । ସେହିପରି ଡିଭିଜନାଲ୍ କମିଟି ସଦସ୍ୟ, ଏରିଆ କମିଟି ସେକ୍ରେଟେରୀ କିମ୍ବା ଦଳମ୍ ସଦସ୍ୟ ଆଦି ନିମ୍ନରୁ ମଧ୍ୟମ ପାହ୍ୟାର କ୍ୟାଡରମାନଙ୍କୁ ସର୍ବାଧିକ ୨.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ସହାୟତା ରାଶିର ଏକ ଅଂଶ ୫୦ହଜାର ଟଙ୍କା ତୁରନ୍ତ ନଗଦ ଆକାରରେ ଦିଆଯିବ ଓ ବାକି ରାଶି ଫିକ୍ସଡ୍ ଡିପୋଜିଟ୍ ଭାବରେ ରଖାଯାଇ ସନ୍ତୋଷଜନକ ଆଚରଣ ଭିତ୍ତିରେ ବର୍ଷେ ଓ ତିନି ବର୍ଷ ପରେ ପ୍ରଦାନ କରାଯିବ ।
ସେହିପରି ଯେଉଁ କ୍ୟାଡରମାନେ ସେମାନଙ୍କର କାର୍ଯ୍ୟକ୍ଷମ ଅସ୍ତ୍ରଶସ୍ତ୍ର, ଗୁଳି ଓ ବିସ୍ଫୋରକ ସହିତ ଆତ୍ମସମର୍ପଣ କରିବେ, ସେମାନଙ୍କ ପାଇଁ ସ୍ୱତନ୍ତ୍ର କ୍ଷତିପୂରଣ ବ୍ୟବସ୍ଥା ରହିଛି । ଏଲଏମଜି ସହ ସମର୍ପଣ କଲେ ୪.୯୫ଲକ୍ଷ ଟଙ୍କା ଓ ଏକେ-୪୭ ରାଇଫଲ୍ ପାଇଁ ୩.୩୦ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଅତିରିକ୍ତ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ । ସେହିପରି ସାମାଜିକ ପୁନର୍ବାସ ପ୍ୟାକେଜ୍ ଭାବେ ଦକ୍ଷତା ବିକାଶ ତାଲିମ ସମୟରେ ସେମାନଙ୍କୁ ୩୬ ମାସ ପର୍ଯ୍ୟନ୍ତ ମାସିକ ୧୦ହଜାର ଟଙ୍କାର ଷ୍ଟାଇପେଣ୍ଡ୍ ଦିଆଯିବ । ‘ଅନ୍ତ୍ୟୋଦୟ ଗୃହ ଯୋଜନା\' ଅଧୀନରେ ଘର କିମ୍ବା ସମାନ ମୂଲ୍ୟର ନଗଦ ରାଶି, ସ୍ୱାସ୍ଥ୍ୟ କାର୍ଡ଼ ଓ ମାଗଣା ରାସନ୍ ପ୍ରାଥମିକତା ଭିତ୍ତିରେ ଯୋଗାଇ ଦିଆଯିବ । ଯଦି ଆତ୍ମସମର୍ପଣକାରୀ ଅବିବାହିତ ହୋଇଥିବେ ତାଙ୍କୁ ଥଇଥାନ ପ୍ରକ୍ରିୟାରେ ବିବାହ ପାଇଁ ଏକକାଳୀନ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନର ବ୍ୟବସ୍ଥା ରହିଛି ।
ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଲକ୍ଷ୍ୟ, ଟାର୍ଗେଟ୍ ଦୋହରାଇଲେ ବିଏସଏଫ ଆଇଜି
ଦେଶକୁ ନକ୍ସଲମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ରାଜ୍ୟକୁ ୨୦୨୬ ମସିହା ସୁଦ୍ଧା ନକ୍ସଲମୁକ୍ତ କରିବା ନିମନ୍ତେ ଜିଲ୍ଲାପାଳ ସମ୍ମିଳନୀରେ ଘୋଷଣା ପରେ ଶନିବାର ବିଏସଏଫ ଆଇଜି ଶିବଅଧର ଶ୍ରୀବାସ୍ତବ ମଧ୍ୟ ନକ୍ସଲଙ୍କ ଉପରେ ଅନ୍ତିମ ପ୍ରହାର ନିମନ୍ତେ ସଜବାଜ ହେଉଥିବାର ଆଭାସ ଦେଇଛନ୍ତି । ଓଡ଼ିଶା ପୁଲିସ୍ ସହିତ ମିଶି ବିଏସଏଫ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ୍ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସଓଜି) ଓ ଜିଲ୍ଲା ସ୍ୱେଚ୍ଛାସେବୀ ବଳ (ଡିଭିଏଫ) ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ପ୍ରଯୁକ୍ତି ବିଦ୍ୟା ଆଧାରିତ ନକ୍ସଲ ମୁକାବିଲା ଅପରେସନ୍ ଅପରେସନ୍ କରାଯାଉଛି ।
ନକ୍ସଲଙ୍କ ଗତିବିଧି ଏବେ ଓଡ଼ିଶାରେ ଗୋଟିଏ-ଦୁଇଟି ଜିଲ୍ଲା ମଧ୍ୟରେ ସୀମିତ ଥିବା କୁହାଯାଉଛି । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ଆସୁଥିବା ମାଓବାଦୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଆଇଜି ଶ୍ରୀବାସ୍ତବ କହିଛନ୍ତି ଯେ, ଚଳିତବର୍ଷ ମିଳିତ ଅଭିଯାନରେ ୧୯ ଜଣ ମାଓବାଦୀ ନିହତ, ୬ ଜଣ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟ ୮ ଜଣଙ୍କୁ ଗିରଫ କରାଯାଇଥିବା ଶ୍ରୀବାସ୍ତବ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
