Advertisment

Vigilance Raid: ନଗଦ ଟଙ୍କା ଜବତ: ରେକର୍ଡ ଭାଙ୍ଗିଦେଲେ ଖଣି ବାବୁ

ଜଣକ ବ୍ୟାଙ୍କ୍ ଆକାଉଣ୍ଟରୁ ଅଧିକ ଟଙ୍କା ବାହାରିପାରେ, ମାତ୍ର ଘରୁ ଯେତେବେଳେ ଏଭଳି ଆଖି ତରାଟିଲା ଭଳି ନଗଦ ଟଙ୍କା ବାହାରେ ସେତେବେଳେ ଦୁର୍ନୀତିର ମାତ୍ରା ଅଧିକ ହୋଇଥିବା ସନ୍ଦେହ ଆସିଯାଏ।

author-image
OR Desk
Cash

ଧରା ପଡ଼ିଥିବା ଖଣି ବାବୁ

ନଗଦ ଟଙ୍କା ଜବତ ହେବାରେ ସବୁ ରେକର୍ଡ ଭାଙ୍ଗିଲେ ଖଣି ବାବୁ। ୨୧ ବର୍ଷ ତଳେ ମାସିକ ମାତ୍ର ୮ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିଲେ। ଏବେ ଭିଜିଲାନ୍ସ ଚଢ଼ଉ ବେଳେ ମିଳିଲା ନଗଦ ୪ କୋଟି ଟଙ୍କା। ୪ ବର୍ଷ ତଳର ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କଲେ ଖଣି ବାବୁ। ତଳେ ଏତେ, ଉପରେ କେତେ ଦୁର୍ନୀତି ହେଉଥିବ ସେ ନେଇ ଚର୍ଚ୍ଚା।

Advertisment

ନଗଦ ଟଙ୍କା ହିଁ ଟଙ୍କା। ଭୁବନେଶ୍ବର(Odisha)ରେ ଜଣେ ଅଫିସରଙ୍କ ଘରୁ ବାହାରିଛି ଟଙ୍କାର ପାହାଡ଼। ଜଣକ ବ୍ୟାଙ୍କ୍ ଆକାଉଣ୍ଟରୁ ଅଧିକ ଟଙ୍କା ବାହାରିପାରେ, ମାତ୍ର ଘରୁ ଯେତେବେଳେ ଏଭଳି ଆଖି ତରାଟିଲା ଭଳି ନଗଦ ଟଙ୍କା ବାହାରେ ସେତେବେଳେ ଦୁର୍ନୀତିର ମାତ୍ରା ଅଧିକ ହୋଇଥିବା ସନ୍ଦେହ ଆସିଯାଏ। ଏବେ ଭିଜିଲାନସ ଚଢ଼ଉ(Vigilance Raid) ବେଳେ ଭୁବନେଶ୍ବର ଆଇଆରସିରେ ରହୁଥିବା ଜଣେ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ କେବଳ ନଗଦ ଟଙ୍କାରେ 4 କୋଟିରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ। 

ଜଣେ ଲାଇସେନ୍ସ-ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କୁ କୋଇଲା-ଚାଲାଣ ପାଇଁ ଅନୁମତି ଦେବାକୁ 30 ହଜାର ଟଙ୍କା ଲାଞ୍ଚ ମାଗି ସେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ତାଙ୍କର ଭୁବନେଶ୍ବର ଫ୍ଲାଟରେ ରେଡ୍ ହେଲାରୁ ଟ୍ରଲି ବ୍ୟାଗ୍ ଓ ଆଲମିରାରୁ ଏତେ ନଗଦ ଟଙ୍କା ବାହାରିଥିଲା।

Advertisment

ଦେବବ୍ରତ ପୂର୍ବରୁ ଜଣେ ମାଇନିଂ ଅଫିସର ଥିଲେ। ଏବେ ଜାନୁଆରୀ 7 ତାରିଖରେ ସେ କଟକ ଖଣି-ସର୍କଲର ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। 2004ରେ ଅର୍ଥାତ୍ ପ୍ରାୟ 21 ବର୍ଷ ତଳେ ସେ ବଲାଙ୍ଗୀରରେ ଜଣେ କନିଷ୍ଠ ମାଇନିଂ ଅଫିସର-ସର୍ଭେୟର ଭାବେ ଚାକିରିରେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କର ମାସିକ ଦରମା ଥିଲା ମାତ୍ର 8 ହଜାର ଟଙ୍କା। 

ପୂର୍ବରୁ ଭିଜିଲାନସ କେଉଁମାନଙ୍କଠାରୁ ଅଧିକ ପରିମାଣର ନଗଦ ଟଙ୍କା ପାଇଥିଲା?

-କାର୍ତ୍ତିକେଶ୍ବର ରାଉଳ, ସହାୟକ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗ, ଭଞ୍ଜନଗର, ଗଞ୍ଜାମ (2022)

ସହାୟକ ଯନ୍ତ୍ରୀ ରାଉଳଙ୍କ ଘରୁ 2022ରେ ସର୍ବାଧିକ 3 କୋଟି 41 ଲକ୍ଷ ଟଙ୍କା ଜବତ କରାଯାଇଥିଲା।

-ପ୍ରଶାନ୍ତ କୁମାର ରାଉତ, ଅତିରିକ୍ତ ସବକଲେକ୍ଟର, ନବରଙ୍ଗପୁର (2023)

ଅତିରିକ୍ତ ସବକଲେକ୍ଟର ରାଉତଙ୍କ ଘରୁ 2023ରେ 3 କୋଟି 12 ଲକ୍ଷ ଟଙ୍କା ଜବତ ହୋଇଥିଲା।

-ବୈକୁଣ୍ଠ ନାଥ ଷଡ଼ଙ୍ଗୀ, ମୁଖ୍ୟ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଭୁବନେଶ୍ବର (2025)

ମୁଖ୍ୟ ଯନ୍ତ୍ରୀ ଷଡ଼ଙ୍ଗୀଙ୍କ ଘରୁ 2 କୋଟି 56 ଲକ୍ଷ ଟଙ୍କା ଜବତ କରାଯାଇଥିଲା।

-ଶାନ୍ତନୁ ମହାପାତ୍ର, ପିଡି, ଜଳବିଭାଜିକା ପ୍ରକଳ୍ପ, ମାଲକାନଗିରି (2025)

ପ୍ରକଳ୍ପ ନିର୍ଦ୍ଦେଶକ ମହାପାତ୍ରଙ୍କ ଘରୁ 2025ରେ 2 କୋଟି 8 ଲକ୍ଷ ଟଙ୍କା ଜବତ ହୋଇଥିଲା।

ଭିଜିଲାନସ ପକ୍ଷରୁ ଦିଆଯାଇଥିବା ଏ ତାଲିକା ତଳକୁ ଆହୁରି ଲମ୍ବି ଚାଲିଛି। ଭିଜିଲାନସ ରେଡ୍ ବେଳେ ତଳତଳିଆ ଅଫିସରଙ୍କଠାରୁ ଏତେ ବିପୁଳ ପରିମାଣର ଟଙ୍କା ଜବତ ହେଉଥିବାବେଳେ ଉପରେ ଦୁର୍ନୀତିର ପରିମାଣ କେତେ ହେଉଥିବ ସେ ନେଇ ପ୍ରଶ୍ନ ଉଠୁଛି। କେବଳ ରେଡ୍ ଏହାର ସମାଧାନ ନୁହେଁ। ସ୍ବଚ୍ଛତା ବୃଦ୍ଧି ସହ ପ୍ରଶାସନିକ ସଂସ୍କାର ଦିଗରେ ସରକାର ପଦକ୍ଷେପ ନେବା ଉଚିତ।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର

Odisha Vigilance Raid