Advertisment

Police SI Exam Scam:ପୁଲିସ-ଭେଣ୍ଡର-ମାଫିଆଙ୍କ କଳା ସିଣ୍ଡିକେଟର ଗୁମର ଖୋଲିଲା ସିବିଆଇ ଚାର୍ଜସିଟ୍‌

୨୦୨୫ ମାର୍ଚ୍ଚ ମାସରେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ବାତିଲ ହେବା ପୂର୍ବରୁ ମଧ୍ୟ ଦଲାଲମାନେ ସକ୍ରିୟ ରହିଥିଲେ । ସେମାନଙ୍କ ହାତରେ ଆଗୁଆ ପ୍ରଶ୍ନପତ୍ର ରହିଥିଲା । ପରୀକ୍ଷାର୍ଥୀଙ୍କୁ ମଧ୍ୟ ସମାନ ଶୈଳୀରେ ଭୁବନେଶ୍ୱରରୁ ରାଜ୍ୟ ବାହାରକୁ ନେଇ ପରୀକ୍ଷାର ୨-୩ଦିନ ପୂର୍ବରୁ ଟ୍ରେନିଂ ଦିଆଯାଇଥିଲା ।

author-image
Prakaash Sethi
CBI-enquiry

ରାଜ୍ୟର ବହୁଚର୍ଚ୍ଚିତ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିକୁ ନେଇ ନୂଆ ତଥା ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ତଦନ୍ତକାରୀ ସଂସ୍ଥା ସିବିଆଇର ପ୍ରାଥମିକ ଚାର୍ଜସିଟରୁ ହିଁ ଏହି ନିଯୁକ୍ତି ପରୀକ୍ଷାରେ ପୁଲିସ-ଭେଣ୍ଡର ଓ ମାଫିଆଙ୍କ କଳା ସିଣ୍ଡିକେଟର ଗୁମର ଖୋଲିଛି । ଏହାସହିତ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି)ର ସନ୍ଦେହଜନକ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସିବିଆଇ ନିଜର ୬୮ ପୃଷ୍ଠାର ପ୍ରାଥମିକ ଚାର୍ଜସିଟରେ ଏହା କେବଳ ଏକ ସାଧାରଣ ପ୍ରଶ୍ନପତ୍ର ଲିକ୍ ନୁହେଁ,ବରଂ ଏକ ସୁଚିନ୍ତିତ ଅପରାଧିକ ଷଡ଼ଯନ୍ତ୍ର ବୋଲି ଦର୍ଶାଇଛି । 

Advertisment


ପୁଲିସ ବିଭାଗର କିଛି ଅସାଧୁ କମର୍ଚାରୀ, ପରୀକ୍ଷା ପରିଚାଳନା କରୁଥିବା ଏଜେନ୍ସିର ମୁଖ୍ୟ ଓ ପ୍ରଭାବଶାଳୀ ମଧ୍ୟସ୍ଥିମାନେ ମିଶି ଜଣକ ଗୋଟିଏ ଲେଖାଁଏ ପୋଷ୍ଟକୁ ୧୫ ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ରାଜ୍ୟର ହଜାର ହଜାର ଯୋଗ୍ୟ ପରୀକ୍ଷାର୍ଥୀଙ୍କ ସ୍ୱପ୍ନକୁ ଧୂଳିସାତ କରି ରାଜ୍ୟରେ କିଭଳି ‘ସଂଗଠିତ ଅପରାଧ’ ମାଧ୍ୟମରେ ଦୁଇ ଦୁଇଥର ଚାକିରି ବିକ୍ରିର ବ୍ୟବସ୍ଥା ହୋଇଥିଲା ତାହା ସିବିଆଇ ଦାଖଲ କରିଥିବା ଚାର୍ଜସିଟରୁ ପଦାକୁ ଆସିଛି ।


ଅଭିଯୁକ୍ତ ନୁହେଁ ରାଜସାକ୍ଷୀ ସାଜିଲେ ପରୀକ୍ଷାର୍ଥୀ


ଭୁବନେଶ୍ୱରରୁ ବିଜୟନଗରମ ଯାଉଥିବା ୧୪ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ବ୍ରହ୍ମପୁର ପୁଲିସ ୨୦୨୫ ସେପ୍ଟେମ୍ବର ୩୦ତାରିଖରେ ଅଟକ ରଖିବା ପରେ ସେମାନଙ୍କୁ ଅଭିଯୁକ୍ତ ସଜାଇଥିଲା । ଏପରିକି ଅକ୍ଟୋବର ୧ତାରିଖରେ କ୍ରାଇମବ୍ରାଂଚ ଏହି ମାମଲାର ତଦନ୍ତ ଦାୟିତ୍ୱ ନେବାବେଳେ ମଧ୍ୟ ପରୀକ୍ଷାର୍ଥୀଙ୍କୁ ଅଭିଯୁକ୍ତ ସଜାଇ ଜେଲ ପଠାଇ ଦେଇଥିଲା । ସିବିଆଇ ତଦନ୍ତରେ ଏହି ପରୀକ୍ଷାର୍ଥୀମାନଙ୍କୁ ଅଭିଯୁକ୍ତ ପରିବର୍ତ୍ତେ ପୀଡ଼ିତ ଭାବେ ଗ୍ରହଣ କରିଛି । ପରୀକ୍ଷା ଦୁର୍ନୀତିର ମାଷ୍ଟରମାଇଣ୍ଡମାନଙ୍କ ଶିକାର ହୋଇଥିଲେ ବୋଲି ଜାଣିବାକୁ ପାଇଛି । ସିବିଆଇ ଏହି ପରୀକ୍ଷାର୍ଥୀମାନଙ୍କୁ ରାଜସାକ୍ଷୀ କରିଛି । ଆଉ ସିବିଆଇର ଏହି ଆଭିମୁଖ୍ୟ ବ୍ରହ୍ମପୁର ପୁଲିସ ଓ କ୍ରାଇମବ୍ରାଂଚର ଅମାନବିକ ଚେହେରାକୁ ବି ପଦାରେ ପକାଇ ଦେଇଛି ।

Advertisment


ରାଜସାକ୍ଷୀ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ସୁନୀଲ କୁମାର ନାହାକ, ମିଲନ କୁମାର ବେହେରା, ମନ୍ମଥ ନାୟକ, ମଳୟ ରଞ୍ଜନ ସାମଲ, ସାଇ ଚନ୍ଦନ ମହାପାତ୍ର, ବିଷ୍ଣୁ ଚରଣ ବେହେରା, ରାକେଶ କୁମାର ଭୁଜବଳ, ସବ୍ୟସାଚୀ ନାୟକ, ଧର୍ମେନ୍ଦ୍ର ପାଲାକିଆ, ବଳରାମ ଜେନା, ବିଶାଳ କୁମାର ପ୍ରଧାନ, ରାହୁଲ ବେଉରା, ଅମିତ କୁମାର ସ୍ୱାଇଁ, ଚନ୍ଦନ ବିଶ୍ୱାଳ, ପ୍ରତିଭା ନାୟକ, ପ୍ରାଚୀ ପ୍ରଜୁକ୍ତ ସ୍ୱାଇଁ, ସନ୍ତୋଷ କୁମାର ପରିଡ଼ା, ସୁଧୀର କୁମାର ଗିରି, ରାକେଶ କୁମାର ଚାନ୍ଦ, ଅଜୟ ବେହେରା, ସୁକେଶ ପ୍ରଧାନ, ମନୋହର ବଳବନ୍ତରାୟ ଏବଂ ସିଦ୍ଧାନ୍ତ କୁମାର ବେହେରା ପ୍ରମୁଖ ସାମିଲ ଅଛନ୍ତି । ଏହି ପରୀକ୍ଷାର୍ଥୀମାନଙ୍କ ଠାରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ସହ ସେମାନଙ୍କର ମୂଳ ସାର୍ଟିଫିକେଟ୍ ଜବରଦସ୍ତି ରଖାଯାଇଥିଲା ବୋଲି ସିବିଆଇ ଚାର୍ଜସିଟରେ ଦର୍ଶାଯାଇଛି ।


ପ୍ରଶ୍ନପତ୍ର ଲିକ୍ ଓ ଦଲାଲଙ୍କ ରାଜ୍‌: ମାର୍ଚ୍ଚ ଓ ସେପ୍ଟେମ୍ବରରେ ସମାନ ମଡେଲ


୨୦୨୫ ମାର୍ଚ୍ଚ ମାସରେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ବାତିଲ ହେବା ପୂର୍ବରୁ ମଧ୍ୟ ଦଲାଲମାନେ ସକ୍ରିୟ ରହିଥିଲେ । ସେମାନଙ୍କ ହାତରେ ଆଗୁଆ ପ୍ରଶ୍ନପତ୍ର ରହିଥିଲା । ପରୀକ୍ଷାର୍ଥୀଙ୍କୁ ମଧ୍ୟ ସମାନ ଶୈଳୀରେ ଭୁବନେଶ୍ୱରରୁ ରାଜ୍ୟ ବାହାରକୁ ନେଇ ପରୀକ୍ଷାର ୨-୩ଦିନ ପୂର୍ବରୁ ଟ୍ରେନିଂ ଦିଆଯାଇଥିଲା । ଯଦିଓ ଏହି ପରୀକ୍ଷାକୁ ଶେଷମୁହୂର୍ତ୍ତରେ ବାତିଲ କରାଯାଇଥିଲା ତଥାପି ଓଡ଼ିଶା ପୁଲିସ ଏଥିରୁ କିଛି ଶିକ୍ଷା କରିନଥିଲା,ଯେଉଁଥିପାଇଁ ସେହି ଦଲାଲ ଗ୍ୟାଙ୍ଗ ସେପ୍ଟେମ୍ବରରେ ୧୧୪ ପରୀକ୍ଷାର୍ଥୀଙ୍କୁ ବିଜୟନଗରମ ନେଇ ପ୍ରଶ୍ନପତ୍ର ଦେବାର ବ୍ୟବସ୍ଥା କରିଥିଲେ ।


ସିବିଆଇ ଚାର୍ଜସିଟ୍ ଅନୁସାରେ, ଉଭୟ ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ସମାନ ଅପରେସନ୍ ଶୈଳୀରେ ପ୍ରଶ୍ନପତ୍ର ଲିକ୍ କରି ଚାକିରି ବିକ୍ରିର ଉଦ୍ୟମ ହୋଇଥିଲା । ମାର୍ଚ୍ଚ ମାସରେ ପ୍ରାୟ ୧୫୦ ଜଣ ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱରର ‘ଚନ୍ଦ୍ରିକା ନେଚର ରିସୋର୍ଟ' ଓ ‘ହୋଟେଲ ଓପୁଲେନ୍ସ କଳିଙ୍ଗ'ରେ ରଖାଯାଇଥିଲା । ପରେ ସେମାନଙ୍କୁ ପଶ୍ଚିମବଙ୍ଗର ଦୀଘାସ୍ଥିତ ‘ଆଶ୍ରୟ ଲଗଜୁରି ହୋଟେଲ'ଓ ‘ହୋଟେଲ ଭିକ୍ଟୋରିଆ 'ରେ ରଖାଯାଇଥିଲା ।

ସେଠାରୁ ସେମାନଙ୍କୁ ସୁନ୍ଦରବନର ‘ରୟାଲ ବେଙ୍ଗଲ ରିସୋର୍ଟ' ଓ ‘ନ୍ୟୁ ସୁରଞ୍ଜନା ରିସୋର୍ଟ'କୁ ନିଆଯାଇ ଟାବଲେଟ୍ ମାଧ୍ୟମରେ ପ୍ରଶ୍ନପତ୍ର ପଢ଼ିବାକୁ ଦିଆଯାଇଥିଲା । ଏହି ସମସ୍ତ ଯୋଜନା ପଛରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ଅରବିନ୍ଦ ଦାସ, ବିଶ୍ୱରଞ୍ଜନ ବେହେରା, ସୁରେଶ ଚନ୍ଦ୍ର ନାୟକ, ଗୋବିନ୍ଦ ତ୍ରିପାଠୀ ଓ ସାଗର ଗୌଡ଼ଙ୍କ ଭଳି ବ୍ୟକ୍ତିଙ୍କ ସହ ଏକ ବିରାଟ ନେଟୱାର୍କ କାମ କରୁଥିଲା । ଅଭିଯୁକ୍ତମାନେ ଅତି ସତର୍କତାର ସହ ପରୀକ୍ଷାର୍ଥୀଙ୍କ ମୋବାଇଲ୍ ଛଡ଼ାଇ ନେଉଥିଲେ ଓ ଲୋକେସନ୍ ଲୁଚାଉଥିଲେ ।


ଅପରାଧୀମାନେ ନିିର୍ଦ୍ଦିଷ୍ଟ ହୋଟେଲଗୁଡ଼ିକୁ ସେମାନଙ୍କ ଟ୍ରେନିଂ ସେଣ୍ଟର ଭାବେ ବ୍ୟବହାର କରୁଥିଲେ । ଭୁବନେଶ୍ୱରର ଚନ୍ଦକା ନେଚର ରିସୋର୍ଟ, ହୋଟେଲ ଅପୁଲେନ୍ସ କଳିଙ୍ଗ, ଦୀଘାର ହୋଟେଲ ଆଶ୍ରୟ ଲଗଜୁରୀ, ସୁନ୍ଦରବନର ରୟାଲ ବେଙ୍ଗଲ ରିସୋର୍ଟ ଓ ନ୍ୟୁ ସୁରଞ୍ଜନା ରିସୋର୍ଟରେ ପରୀକ୍ଷାର୍ଥୀଙ୍କୁ ରଖାଯାଇଥିଲା । ଏପରିକି ଅନିୟମିତତା ଧରାପଡ଼ିବା ପରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଦିଲ୍ଲୀର କଲକାଜୀ ସ୍ଥିତ ଗେଷ୍ଟ ହାଉସରେ ଲୁଚିଥିଲେ । ସିବିଆଇ ସ୍ପଷ୍ଟ କରିଛି ଯେ, ଶଙ୍କର ପୃଷ୍ଟିକୁ ସବୁପ୍ରକାର ସୁରକ୍ଷା ସିଲିକନ୍ ଟେକଲାବ ନିର୍ଦ୍ଦେଶକ ସୁରେଶ ନାୟକ ଯୋଗାଇ ଦେଉଥିଲେ ।


କାହିଁକି ବଦଳିଲା ରିଚମାଇଣ୍ଡ, ବିଶ୍ୱାସଘାତକତା କଲା ସିଲିକନ୍‌


ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ହୋଇଥିବା ଭେଣ୍ଡର ପରିବର୍ତ୍ତନ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା । ପ୍ରଥମେ ଆଇଟିଆଇ ଲିମିଟେଡ୍ ପକ୍ଷରୁ ‘ମେସର୍ସ ରିଚମାଇଣ୍ଡ ଡିଜିଟାଲ ପ୍ରାଇଭେଟ ଲିମିଟେଡ'କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ହଠାତ୍ ୨୦୨୫ ମେ’ ୨୮ ତାରିଖରେ ରିଚମାଇଣ୍ଡକୁ ବାଦ୍ ଦିଆଗଲା । ଏହା ପରେ ‘ମେର୍ସସ ସିଲିକନ ଟେକଲ୍ୟାବ୍ ପ୍ରାଇଭେଟ ଲିମିଟେଡ'କୁ ସାମିଲ ପାଇଁ ଆଇଟିଆଇ ଅନୁମତି ମାଗିଲା,ଯାହାକୁ ଓପିଆରବି ମଧ୍ୟ ମଞ୍ଜୁରୀ ଦେଲେ । ତେବେ ସିଲିକନ ଟେକଲ୍ୟାବର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ଓପିଆରବିର ଅଜାଣତରେ ଶଙ୍କର ପୃଷ୍ଟିର ‘ମେର୍ସସ ପଂଚସଫ୍ଟ ଟେକ୍ନୋଲୋଜି'କୁ ଏଥିରେ ସାମିଲ କରିଥିଲେ । ସିବିଆଇ ତଦନ୍ତ ଅନୁସାରେ, ଶଙ୍କର ପୃଷ୍ଟି ହିଁ ଏହି ସଂପୂର୍ଣ୍ଣ ପ୍ରଶ୍ନପତ୍ର ଲିକ୍ ପ୍ରକ୍ରିୟାର ଅସଲ ମାଷ୍ଟରମାଇଣ୍ଡ ଥିଲେ । ଅର୍ଥାତ୍‌, ପ୍ରଶ୍ନପତ୍ର ଲିକ୍ କରିବାକୁ ପଥ ସୁଗମ କରିବା ପାଇଁ ହିଁ ଜାଣିଶୁଣି ପୁରୁଣା ଭେଣ୍ଡରଙ୍କୁ ବଦଳାଯାଇଥିଲା । ଶଙ୍କର ମଧ୍ୟ ସିଲିକନ୍ ସହାୟତାରେ ଓପିଆରବିର ଡାଟାକୁ ଚୋରାଇ ଥିଲା ବୋଲି ଜଣାପଡ଼ିଛି ।


 ସିଲିକନ ଟେକଲ୍ୟାବ୍‌ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ସଂପୂର୍ଣ୍ଣ ନିୟମ ଉଲ୍ଲଂଘନ କରି ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପ୍ରିଂଟିଂ ଦାୟିତ୍ୱରେ ରହି ଚଂଚକତା କରିଥିଲେ । ସିବିଆଇ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୯ ତାରିଖରେ କୋଲକାତାର ସରସ୍ୱତୀ ପ୍ରିଂଟିଂ ପ୍ରେସକୁ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ଓ ସଦସ୍ୟ ଅବିନାଶ କୁମାରଙ୍କ ସହିତ ସୁରେଶ ମଧ୍ୟ ଯାଇଥିଲେ । ଏହି ଅଧିକାରୀମାନଙ୍କ  ଉପସ୍ଥିତିରେ ବୋର୍ଡ ଚୟନ କରିଥିବା ପ୍ୟାକେଟ୍ ନମ୍ବର-୫ ପ୍ରଶ୍ନପତ୍ରକୁ ପ୍ରିଣ୍ଟି ନିମନ୍ତେ ଦାଖଲ କରାଯାଇଥିଲା ।

କିନ୍ତୁ ସେହିଦିନ ସନ୍ଧ୍ୟାରେ ଓ ପରଦିନ ସକାଳେ ସୁରେଶ ଅତି ଚତୁରତାର ସହ ବୋର୍ଡ ସଦସ୍ୟଙ୍କ ଅଜାଣତରେ ପ୍ରେସ୍ ମ୍ୟାନେଜର ପିନାକୀ ଦେ’ଙ୍କୁ ମିଛ କହି ପ୍ୟାକେଟ ନମ୍ବର ୩ ସହ ଅସଲି ପ୍ରଶ୍ନପତ୍ରକୁ ବଦଳାଇ ଦେଇଥିଲେ । ପରୀକ୍ଷା ତାରିଖ ଘୋଷଣା ହେବା ପରେ ଏହି ପ୍ରଶ୍ନପତ୍ରକୁ ପରୀକ୍ଷାର୍ଥୀଙ୍କୁ ବିକ୍ରି କରିବାକୁ ଯୋଜନା ହୋଇଥିଲା ।


୧୬ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ କନେଷ୍ଟବଳ ଓ ଜଣେ ମହିଳା


ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ ୧୬ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ନାମ ରହିଛି । ସେଥିରେ ଓଡ଼ିଶା ପୁଲିସର କନେଷ୍ଟବଳ ବିଶ୍ୱରଞ୍ଜନ ବେହେରା ଓ ଅର୍ଜୁନ ନାୟକଙ୍କ ସମେତ ପ୍ରିୟଦର୍ଶିନୀ ସାମଲ ନାମକ ଏକମାତ୍ର ମହିଳା ଅଭିଯୁକ୍ତ ଅଛନ୍ତି । ଅନ୍ୟ ୧୩ଜଣଙ୍କ ମଧ୍ୟରେ ସିଲିକନ୍ ଟେକଲାବର ମୁଖ୍ୟ ସୁରେଶ ନାୟକ ଓ ପଂଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟିଙ୍କ ସମେତ ମଧ୍ୟସ୍ଥି ବିଶ୍ୱଜିତ ହରିଚନ୍ଦନ, ଲୋକନାଥ ସାହୁ, ତଫିନ୍ ଅହମ୍ମଦ ଖାନ, ମୁନା ମହାନ୍ତି, ଅରବିନ୍ଦ ଦାସ, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦୋରା,ସାଗର କୁମାର ଗୌଡ, ବିରଂଚି କୁମାର ନାୟକ, ନିମାଇଁ ଚରଣ ସାହୁ ଓ ବିହାର ନୀତିଶ କୁମାର ରହିଛନ୍ତି । ଏହି ଅଭିଯୁକ୍ତମାନଙ୍କ ବିରୋଧରେ ବିଏନଏସର ବିଭିନ୍ନ ଧାରା ଓ ଓଡ଼ିଶା ପବ୍ଲିକ ଏଗଜାମିନେସନ ଆକ୍ଟ ୨୦୨୪ ଅଧୀନରେ ମାମଲା ରୁଜୁ କରାଯାଇଛି, ତଦନ୍ତ ଏବେବି ଜାରି ରହିଛି ।


ଓପିଆରବି ସଦସ୍ୟଙ୍କୁ ଜେରା କେବେ?


ସିବିଆଇ ଚାର୍ଜସିଟ୍ ଅନୁସାରେ, ଆଇଟିଆଇ ଲିମିଟେଡର ଜିଏମ୍ ଏ.କେ. ପରମାଣିକ ଓ ନୋଡାଲ ଅଫିସର ମହେଶ୍ୱର ବେହେରାଙ୍କୁ ଜେରା କରାଯାଇଛି । ସେହିପରି କୋଲକାତାର ସରସ୍ୱତୀ ପ୍ରିଂଟିଂ ପ୍ରେସ୍ ମ୍ୟାନେଜର ପିନାକୀ ଦେ, ଚନ୍ଦକା ନେଚର ରିସୋର୍ଟର ମ୍ୟାନେଜର ପବିତ୍ର କୁମାର ଦାସ, ତୁଳସୀ ଟ୍ରାଭେଲସର ମ୍ୟାନେଜର ରାକେଶ ପଟ୍ଟଶାଣୀ ଓ ଜଗନ୍ନାଥ ପଟ୍ଟଶାଣୀଙ୍କ ସମେତ ଗୁପ୍ତ ପ୍ରସାଦ ନାୟକ, ହୋଟେଲ ଆଶ୍ରୟର ମାଲିକ ଅନୁପ ବାନାର୍ଜୀ, ପଂଚସଫ୍ଟର କର୍ମଚାରୀ ଅଲୋକ ସାହୁ ଓ ନିର୍ମାଲ୍ୟ କୃଷ୍ଣ ଦାସ ଓ ସିଲିକନ ଟେକଲାବର କର୍ମଚାରୀ ହିମାଂଶୁ ଶେଖର ଦାଶଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି । ଘଟଣାରେ ସଂପୃକ୍ତ ଥିବା ଅନେକ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।


ସିବିଆଇ ମଧ୍ୟ ଏହି ମାମଲାରେ ଓପିଆରବି ଏସପି ବଳଭଦ୍ର ଦୀପ ଓ ସେକ୍ସନ ଅଫିସର ଗୌତମ ପ୍ରସାଦ ବେହେରାଙ୍କୁ ଜେରା କରିଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଚାର୍ଜସିଟରେ ସେ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ । ଓପିଆରବିର ପୂର୍ବତନ ଅଧ୍ୟକ୍ଷ ଓ ବର୍ତ୍ତମାନର ଅଧ୍ୟକ୍ଷଙ୍କ ସମେତ ପ୍ରଶ୍ନପତ୍ରକୁ ରିସିଭ୍ କରିଥିବା ଓପିଆରବି ସଦସ୍ୟ ଅବିନାଶ କୁମାରଙ୍କୁ ଏପର୍ଯ୍ୟନ୍ତ ସିବିଆଇ ଜେରା କରିନଥିବା ଜଣାପଡ଼ିଛି । ରିଚମାଇଣ୍ଡକୁ କାହିଁକି ହଟାଗଲା ଓ କାହା ସୁପାରିଶରେ ସିଲିକନକୁ ସାମିଲ କରାଗଲା ତାହା ଏବେବି ଅସ୍ପଷ୍ଟ । ଅବଶ୍ୟ ଏହି ପ୍ରାଥମିକ ଚାର୍ଜସିଟ୍ ଡିସେମ୍ବର ୨୬ତାରିଖରେ ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ହୋଇଥିବା ଜଣାପଡ଼ିଛି ।