Advertisment

କ୍ରାଇମବ୍ରାଂଚଠୁ ଦସ୍ତାବିଜ ନେଲା CBI: ଏଫଆଇଆରରେ ନାହିଁ ଓପିଆରବି-ଆଇଟିଆଇ ନାଁ, ଚୁକ୍ତି ଏବେବି କାଏମ

ଏଫଆଇଆରରେ କିଛି ନୂଆ ତଥ୍ୟ କିମ୍ବା କାହାରିକୁ ଅଭିଯୁକ୍ତ ଦର୍ଶାଇନାହିଁ ସିବିଆଇ, କେବଳ ଗୋଳନ୍ଥରା ଥାନା ଓ କ୍ରାଇମବ୍ରାଂଚରେ ହୋଇଥିବା ଏଫଆଇଆରକୁ ସାନି ରୁଜୁ କରିଛି। ଅତିରିକ୍ତ ଏସପି ବି.ସାମଲଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

CBI-enquiry

CBI initiates inquiry into massive irregularities in Odisha Police SI Scam

Advertisment

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ ଭାର ସିବିଆଇ ନେଇଛି ।  ନଭେମ୍ବର ୧୨ତାରିଖରେ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସ ପକ୍ଷରୁ ଏକ ଏଫଆଇଆର ରୁଜୁ ହୋଇଛି । ବ୍ରହ୍ମପୁରର ଗୋଳନ୍ଥରା ଥାନାରେ ସେପ୍ଟେମ୍ବର ୩୦ ତାରିଖ ଓ  କ୍ରାଇମବ୍ରାଂଚରେ ଅକ୍ଟୋବର ୧ତାରିଖରେ ରୁଜୁ ହୋଇଥିବା ଏଫଆଇଆରକୁ ସିବିଆଇ ସାନି ଏଫଆଇଆର ଭାବେ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଗୃହ ବିଭାଗରୁ ଦସ୍ତାବିଜ ନେଇଥିବା ସିବିଆଇ ଆଜି କ୍ରାଇମବ୍ରାଂଚଠୁ ଦସ୍ତାବିଜ ସଂଗ୍ରହ କରିଛି । ତେବେ ସିବିଆଇ ନିଜର ଏଫଆଇଆରରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) କିମ୍ବା ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ଆଇଟିଆଇ ଲିମିଟେଡର ନାଁ ଉଲ୍ଲେଖ କରିନାହିଁ । ଦୀର୍ଘ ଏକମାସ ପରେ ମଧ୍ୟ ଆଇଟିଆଇ ସହ ହୋଇଥିବା ଚୁକ୍ତିକୁ ଓଡ଼ିଶା ପୁଲିସ ରଦ୍ଦ କରିନାହିଁ । ଯଦିଓ ବୁଧବାର ବିବାଦୀୟ ଏଜେନ୍ସୀ ଦ୍ୱାରା ପରୀକ୍ଷା ପରିଚାଳନା ହୋଇଥିବା ଦର୍ଶାଇ ନିଜର ଏଏସଓ ପରୀକ୍ଷାକୁ ଓଡ଼ିଶା ହାଇକୋର୍ଟ ବାତିଲ କରିଦେଇଛନ୍ତି ।

Advertisment

ଦସ୍ତାବିଜ ନେଲା ସିବିଆଇ, ତଦନ୍ତ କରିବେ ଅତିରିକ୍ତ ଏସପି

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ଓଡ଼ିଶା ସରକାରଙ୍କ ଅକ୍ଟୋବର ୩୧ତାରିଖର ବିଜ୍ଞପ୍ତି ଓ କେନ୍ଦ୍ର ସରକାରଙ୍କ ନଭେମ୍ବର ୧୧ତାରିଖର ବିଜ୍ଞପ୍ତି ଆଧାରରେ ଭୁବନେଶ୍ୱର ସିବିଆଇ ଅଫିସ୍ ଦ୍ୱାରା ୧୨ତାରିଖରେ ବିଧିବଦ୍ଧ ଏଫଆଇଆର ରୁଜୁ ହୋଇଛି । ଏଫଆଇଆରରେ କିଛି ନୂଆ ତଥ୍ୟ କିମ୍ବା କାହାରିକୁ ଅଭିଯୁକ୍ତ ଦର୍ଶାଇନାହିଁ ସିବିଆଇ, କେବଳ ଗୋଳନ୍ଥରା ଥାନା ଓ କ୍ରାଇମବ୍ରାଂଚରେ ହୋଇଥିବା ଏଫଆଇଆରକୁ ସାନି ରୁଜୁ କରିଛି। ଅତିରିକ୍ତ ଏସପି ବି.ସାମଲଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଭୁବନେଶ୍ୱର ସିବିଆଇ(ଦୁର୍ନୀତି ନିବାରଣ ବ୍ୟୁରୋ)ର ଡିଆଇଜି ଅଖିଳେଶ କୁମାର ସିଂ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

ଭାରତୀୟ ନ୍ୟାୟସଂହିତା(ବିଏନଏସ)-୨୦୨୩ର ଧାରା ୩୧୯(୨), ୩୧୮(୪),୩୩୮, ୩୩୬(୩), ୩୪୦(୨), ୧୧୧, ୬୧(୨) ଓ ୩(୫) ସମେତ ଓଡ଼ିଶା ପବ୍ଲିକ ଏକଜାମିନେସନ୍ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନସ) ଆକ୍ଟ-୨୦୨୪ର  ଧାରା ୧୧(୧) ଓ ୧୨(୧)ରେ ମାମଲା ରୁଜୁ ହୋଇଛି ।

Advertisment

ସିବିଆଇ ଏଫଆଇଆରରେ ପଂଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ସମେତ ୧୧୯ଜଣ ବ୍ୟକ୍ତି ଓ ସିଲିକନ୍ ଟେକଲାବ୍ ଏବଂ ପଂଚସଫ୍ଟ କମ୍ପାନୀର କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଏବଂ ଅନ୍ୟମାନେ ଉଲ୍ଲେଖ ରହିଛି । ମାତ୍ର ସିଲିକନ୍ ଟେକଲାବ୍ ଲିମିଟେଡର ମାଲିକ ସୁରେଶ କୁମାର ନାୟକ କିମ୍ବା ଓପିଆରବି ଓ ଆଇଟିଆଇ ଲିମିଟେଡର ନାଁ ଏଫଆଇଆରରେ ଦର୍ଶାଯାଇ ନାହିଁ ।

ଚୁକ୍ତି ଏବେବି କାଏମ, ସନ୍ଦେହଘେରରେ ଓପିଆରବି

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପରିଚାଳନାର ଟେଣ୍ଡର ନେଇଥିବା ଆଇଟିଆଇ ଲିମିଟେଡକୁ କାରଣଦର୍ଶାଅ ନୋଟିସ୍ ଜାରି କରି ବସିଥିବା ଓପିଆରବି ଆଜିସୁଦ୍ଧା ତା’ର ସହ ଚୁକ୍ତିକୁ ବାତିଲ କରିନଥିବା ଜଣାପଡ଼ିଛି । ଯଦିଓ ଏସଆଇ ପରୀକ୍ଷା ଅନିୟମିତତା ପଦାକୁ ଆସିବା ପରେ ନଭେମ୍ବର ୧୨ତାରିଖରେ ଓଡ଼ିଶା ହାଇକୋର୍ଟ ଏଏସଓ ମୁଖ୍ୟ ପରୀକ୍ଷାକୁ ବାତିଲ କରିଦେଇଛନ୍ତି । ପରୀକ୍ଷା ଦାୟିତ୍ୱରେ ଥିବା ସଂସ୍ଥାର ବିଶ୍ୱସନୀୟତା ଉପରେ ସନ୍ଦେହ ପ୍ରକଟ କରି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ ମଧ୍ୟ ଓଡ଼ିଶା ପୁଲିସ ଗତ ଏକ ମାସରୁ ଅଧିକ ଦିନ ଧରି ଆଇଟିଆଇ ଲିମିଟେଡକୁ କାରଣଦର୍ଶାଅ ନୋଟିସ୍ ଜାରି କରି ବସିପଡ଼ିଛି । ଏହି ଚୁକ୍ତିକୁ ବାତିଲ କରିବାକୁ ଆଗ୍ରହ ଦେଖାଇନାହିଁ ।

ଏହି ଅନିୟମିତତା(Odisha Police SI Exam Scam) ପଦାକୁ ଆସିବା ପରେ ଆଇଟିଆଇ ଲିମିଟେଡ୍ ଓ ସିଲିକନ୍ ଟେକଲାବ୍ ସହ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ କାହିଁକି ବୈଠକ କରିଥିଲେ ଏବଂ ପରୀକ୍ଷା ପରିଚାଳନା ପ୍ରକ୍ରିୟାରୁ ପଂଚସଫ୍ଟକୁ ହଟାଇବାକୁ ସିଲିକନ୍ ଟେକଲାବକୁ କାହିଁକି ନିର୍ଦ୍ଦେଶ  ଦିଆଯାଇଥିବା ତାହା ଏବେବି ସନ୍ଦେହଘେରରେ । ୨୦୨୫ ଅକ୍ଟୋବର ୯ତାରିଖରେ ଓପିଆରବି ବୈଠକ ବିବରଣୀରୁ ଏହା ସ୍ପଷ୍ଟ ହୋଇଛି । ସେହିପରି ଅକ୍ଟୋବର ୧୧ତାରିଖରେ ଏକ ପ୍ରେସ୍ ରିଲିଜ ଜାରି କରି ପରୀକ୍ଷାକୁ ନେଇ ଷଡ଼ଯନ୍ତ୍ର ହୋଇଥିବା ଓପିଆରବି କହିଥିଲା, ତେବେ ଏଥିପାଇଁ ପୁଲିସ ମୁଖ୍ୟାଳୟ ନା ଗୃହ ବିଭାଗ କିଏ ଅନୁମତି ଦେଇଥିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଷଡ଼ଯନ୍ତ୍ର କଥା କହିଥିବା ଓପିଆରବି ଏପର୍ଯ୍ୟନ୍ତ ନିଜର ବିଶ୍ୱସନୀୟତା ଓ ପାରଦର୍ଶିତା ରକ୍ଷା କରିବାରେ ସକ୍ଷମ ହୋଇପାରିନାହିଁ । ଯଦିଓ ବୋର୍ଡ ସ୍ୱୀକାର କରୁଛି ଯେ ଆଇଟିଆଇ ଲିମିଟେଡ୍‌, ସିଲିକନ୍ ଟେକ୍ ଲ୍ୟାବ୍ ଓ ପଂଚସଫ୍ଟ ମଧ୍ୟରେ ସବଲେଟ୍ ବ୍ୟବସ୍ଥା ବିଷୟରେ ଅବଗତ ଥିଲା । 

 ଯଦି ଓପିଆରବି ଏସବୁ ସବଲେଟ୍ ବିଷୟରେ ଜାଣି ନଥିଲା, ତା’ହେଲେ ତରବରିଆ ବୈଠକ ଡାକି ପଂଚସଫ୍ଟକୁ ପରୀକ୍ଷା ପରିଚାଳନା ପ୍ରକ୍ରିୟାରୁ ଦୂରେଇବାକୁ କାହିଁକି ନିର୍ଦ୍ଦେଶ ଦେଲା । ଏ କ୍ଷମତା ଓପିଆରବିକୁ ଦେଲା କିଏ? ଏତେ ସବୁ ପରେ ମଧ୍ୟ ଆଇଟିଆଇ କିମ୍ବା ସିଲିକନ୍ ଭଳି ସଂସ୍ଥାକୁ ଓଡ଼ିଶା ପୁଲିସ କାହିଁକି କଳାତାଲିକାଭୁକ୍ତ କରିନାହିଁ ତାହା ମଧ୍ୟ ସନ୍ଦେହଘେରରେ । 


ଗୃହ ବିଭାଗର ନିରବତା, କ୍ରାଇମବ୍ରାଂଚ ତଦନ୍ତକୁ ନେଇ ପ୍ରଶ୍ନ

ଏହି ଅନିୟମିତତା ମାମଲାରେ ଗୃହ ବିଭାଗର ଭୂମିକା ମଧ୍ୟ ଚିନ୍ତାଜନକ । କ୍ରାଇମବ୍ରାଂଚ ତଦନ୍ତ କରୁଥିଲେ ମଧ୍ୟ ଗୃହ ବିଭାଗ ଏପର୍ଯ୍ୟନ୍ତ ଓପିଆରବିର ଆଚରଣ ଓ ଭୂମିକାକୁ ନେଇ କୌଣସି ଆଭ୍ୟନ୍ତରୀଣ ତଦନ୍ତ  ନକରିବା ହିଁ ସାଧାରଣରେ ସନ୍ଦେହକୁ ଅଧିକ ଘନୀଭୂତ କରାଉଛି । ବିଜେଡି ଓ କଂଗ୍ରେସ ଉଭୟ ଦଳ ଏହି ମାମଲାରେ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କୁ କାଠଗଡ଼ାରେ ଛିଡ଼ା କରୁଥିଲେ ମଧ୍ୟ ସରକାର ଏମାନଙ୍କ ଭୂମିକା ପ୍ରତି ନିରବ ରହିଛନ୍ତି ।

ଅନ୍ୟପକ୍ଷରେ ଅକ୍ଟୋବର ୧ରୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ନିଜର ଏଫଆଇଆରରେ ସ୍ପଷ୍ଟ ଭାବେ ସିଲିକନ୍ ଟେକଲାବ୍ ସଂସ୍ଥାର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତିକୁ ନେଇ ଉଲ୍ଲେଖ କରିଥିଲା । ଏପରିକି ବ୍ରହ୍ମପୁର ଏସଡିପିଓ ପ୍ରଭାସ ରଞ୍ଜନ ଛୋଟରାୟ ତାଙ୍କ ପ୍ରାରମ୍ଭିକ ତଦନ୍ତରେ ସିଲିକନକୁ ସନ୍ଦେହଘେରରେ ରଖିଥିଲେ । ଆଉ କ୍ରାଇମବ୍ରାଂଚ ଅକ୍ଟୋବର ୨ତାରିଖରେ ସିଲିକନ୍ ଟେକଲାବ୍ ମୁଖ୍ୟ ସୁରେଶ ନାୟକଙ୍କୁ ପଚରାଉଚୁରା ପାଇଁ ଡାକି ପରେ ଛାଡ଼ି ଦେଇଥିଲା । 

ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅକ୍ଟୋବର ୨୨ରେ ସିବିଆଇ ତଦନ୍ତ ଘୋଷଣା ଏବଂ ଅକ୍ଟୋବର ୩୧ରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ପରେ କ୍ରାଇମବ୍ରାଂଚ ତରବରିଆ ଭାବେ ନଭେମ୍ବର ୩ତାରିଖରେ ସୁରେଶ କୁମାର ନାୟକଙ୍କୁ ଗିରଫ ଦର୍ଶାଇଥିଲା । ଏତେଦିନ ଧରି ସୁରେଶଙ୍କୁ କିଏ ଓ କାହିଁକି ସୁରକ୍ଷା ପ୍ରଦାନ କରୁଥିଲା ଏବଂ କ୍ରାଇମବ୍ରାଂଚର ତଦନ୍ତ କାହିଁକି ଓପିଆରବି, ଗୃହ ବିଭାଗ ଓ ସିଲିକନ୍ ପର୍ଯ୍ୟନ୍ତ ପହଂଚି ପାରୁନଥିଲା ତାହା ଏବେ ସିବିଆଇ ପାଇଁ ଅଡ଼ୁଆ ପ୍ରଶ୍ନ ହେବ । 

କ୍ରାଇମବ୍ରାଂଚ ନିଜର ତଦନ୍ତ କରୁଥିଲା ନା ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କ ସମ୍ପୃକ୍ତିର ପ୍ରମାଣକୁ ନଷ୍ଟ କରୁଥିଲା ତାହା ମଧ୍ୟ ସିବିଆଇ ଆଗରେ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ସିବିଆଇ ନିଜର((CBI Investigation) ତଦନ୍ତକୁ କ୍ରିୟାଶୀଳ କରାଇ ଷଡ଼ଯନ୍ତ୍ରକାରୀମାନଙ୍କୁ ଦଣ୍ଡିତ କରିବା ସହ ୯୩୩ଟି ପୁଲିସ ଏସଆଇ ପଦବୀ ପାଇଁ ଆବେଦନ କରିଥିବା ୧.୩୫ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଅବଶ୍ୟ ସିବିଆଇ କହିଛି ଯେ, ଓପିଆରବି ଓ ଆଇଟିଆଇ ଲିମିଟେଡର ଅଧିକାରୀଙ୍କୁ ଡାକି ଏହି ସମଗ୍ର ଘଟଣାକ୍ରମକୁ ଜାଣିବାକୁ ତଥା ଷଡ଼ଯନ୍ତ୍ର ପଛରେ କିଏ ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯିବ ।

CBI Investigation Odisha Police SI Exam Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe