Crime Branch seized both offices in the DLF Building, Bhubaneswar
ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ଅଚାନକ କ୍ରାଇମବ୍ରାଂଚ ସକ୍ରିୟ ହୋଇପଡ଼ିଛି । ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ସିଲିକନ୍ ଟେକଲାବ ଲିମିଟେଡର ମାଲିକ ସୁରେଶ କୁମାର ନାୟକ ଓ ପଂଚସଫ୍ଟ ମାଲିକ ଶଙ୍କର ପୃଷ୍ଟିଙ୍କୁ ଦୁଇଦିନ ବ୍ୟବଧାନରେ କ୍ରାଇମବ୍ରାଂଚ ଗିରଫ କରିଥିଲେ ମଧ୍ୟ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଏବଂ ରାଜ୍ୟ ଗୃହ ବିଭାଗର ଭୂମିକାକୁ ନେଇ ନିରବ ରହିଥିବା ଜଣାପଡ଼ିଛି । ସିବିଆଇ ଏହି ମାମଲାର ତଦନ୍ତ ଭାର ଆନୁଷ୍ଠାନିକ ଭାବେ ଗ୍ରହଣ କରିବା ପୂର୍ବରୁ ପ୍ରାୟ ୧୦ଦିନ ଧରି ଚୁପ୍ ବସିଥିବା କ୍ରାଇମବ୍ରାଂଚ ଅଚାନକ ତତ୍ପରତା ଦେଖାଇବା ପଛରେ ଷଡ଼ଯନ୍ତ୍ରର ସନ୍ଦେହ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସିଧାସଳଖ ଏହି ଦୁର୍ନୀତି ମାମଲାରେ ଗୃହ ସଚିବ ଓ ଓପିଆରବି ଅଧ୍ୟକ୍ଷଙ୍କ ସମ୍ପୃକ୍ତିର ଅଭିଯୋଗ ଆଣିଥିଲେ ମଧ୍ୟ କ୍ରାଇମବ୍ରାଂଚ ସେମାନଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରିନଥିବା ଜଣାପଡ଼ିଛି ।
ସିଲିକନ୍ ମାଲିକ ସୁରେଶ ନାୟକ ମାଷ୍ଟରମାଇଣ୍ଡ, ଗୁପ୍ତ ତଥ୍ୟ ଦେଲା କ୍ରାଇମବ୍ରାଂଚ
କ୍ରାଇମବ୍ରାଂଚ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ସିଲିକନ୍ ଟେକଲାବ କମ୍ପାନୀର ମାଲିକ ସୁରେଶ ନାୟକଙ୍କୁ ଆଜି(ନଭେମ୍ବର ୩ତାରିଖ) କ୍ରାଇମବ୍ରାଂଚ ଗିରଫ କରିଛି । ଏସଆଇ ନିଯୁକ୍ତି ପରୀକ୍ଷା ଦାୟିତ୍ୱ ନେଇଥିବା ଆଇଟିଆଇ ଲିମିଟେଡ୍ ଏହି କାର୍ଯ୍ୟକୁ ସିଲିକନ୍ ଟେକଲାବକୁ ସବଲେଟ୍ କରିଥିଲା । ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ, ସୁରେଶ ନାୟକ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ପ୍ରଶ୍ନପତ୍ର ପ୍ରସ୍ତୁତି, ପ୍ରିଣ୍ଟିଂ ଓ ପରିବହନ ପାଇଁ ଉତ୍ତରଦାୟୀ ଥିଲେ । ତଦନ୍ତ ସମୟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଅନ୍ୟତମ ଅଭିଯୁକ୍ତ ପଂଚସଫ୍ଟ କମ୍ପାନୀ ମାଲିକ ଶଙ୍କର ପୃଷ୍ଟି ସହ ସେ ନିୟମିତ ଯୋଗାଯୋଗରେ ରହିଥିଲେ । ଶ୍ରୀ ନାୟକଙ୍କ କମ୍ପାନୀର ଅତିଥି ଭବନ ଯାହାକି ନୂଆଦିଲ୍ଲୀସ୍ଥିତ କାଲକାଜିରେ ରହିଛି ସେଠାରେ ଶଙ୍କର ପୃଷ୍ଟିଙ୍କୁ ସେ ଆଶ୍ରୟ ଦେଇଥିଲେ । ପରେ ପୁଲିସ ଗିରଫ ଓ ତଦନ୍ତରୁ ବର୍ତ୍ତିବା ପାଇଁ ଉକ୍ତ ସ୍ଥାନ ଛାଡ଼ି ପଳାଇବାକୁ ମଧ୍ୟ ତାକୁ ସତର୍କ କରାଇଥିଲେ । ଯାହା ସେମାନଙ୍କର ଅପରାଧିକ ସମ୍ପର୍କକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଂଚ ନଭେମ୍ବର ୧ତାରିଖରେ ନେପାଳ ସମୀବର୍ତ୍ତୀ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ।
କାହିଁକି ବିଳମ୍ବ ହେଲା ସୁରେଶ ନାୟକଙ୍କ ଗିରଫ
ଆଜି ପ୍ରେସ୍ ରିଲିଜ୍ ଜାରି କରି ସୁରେଶ ନାୟକଙ୍କୁ ମୁଖ୍ୟ ମାଷ୍ଟରମାଇଣ୍ଡ ବୋଲି ଦର୍ଶାଇଥିବା କ୍ରାଇମବ୍ରାଂଚ କାହିଁକି ବିଗତ ଏକମାସ ଧରି ତାଙ୍କୁ ଛୁଇଁ ପାରୁନଥିଲା ତାକୁ ନେଇ ସନ୍ଦେହ ବଢ଼ିଛି । ଯଦିଓ ଏହି ନିଯୁକ୍ତି ପରୀକ୍ଷା ଦୁର୍ନୀତି ସେପ୍ଟେମ୍ବର ୨୯ତାରିଖରେ ପଦାକୁ ଆସିବାର ଦୁଇଦିନ ମଧ୍ୟରେ ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ତଥା ମାଲିକ ସୁରେଶ ନାୟକଙ୍କୁ କ୍ରାଇମବ୍ରାଂଚ ପଚରାଉଚୁରା କରିଥିଲା । ଏପରିକି ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ମଧ୍ୟ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା କେନ୍ଦ୍ରୀୟ ଉଦ୍ୟୋଗ ଆଇଟିଆଇ ଲିମିଟେଡ ଜେନେରାଲ ଓ ସିଲିକନ୍ ଟେକଲାବ୍ ମୁଖ୍ୟ ସୁରେଶ ନାୟକଙ୍କ ସହ ବୈଠକ କରି ପଂଚସଫ୍ଟ ସଙ୍ଗେ ଚୁକ୍ତିକୁ ବାତିଲ ପାଇଁ ପରାମର୍ଶ ଦେଇଥିଲେ । ଯାହାକି ଓପିଆରବିର ଅକ୍ଟୋବର ୯ତାରିଖ ବୈଠକ ବିବରଣୀରୁ ସ୍ପଷ୍ଟ ହୋଇଛି । ଆଉ ଆଜି କ୍ରାଇମବ୍ରାଂଚ ଯେଉଁ ତଥ୍ୟ ଦେଇଛି ସେଥିରେ ସୁରେଶ ନାୟକ ହିଁ ସବୁକିଛି ପାଇଁ ଦାୟୀ ବୋଲି ଦର୍ଶାଇ ଶଙ୍କର ପୃଷ୍ଟିକୁ ଲୁଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି । କ୍ରାଇମବ୍ରାଂଚ ତାଙ୍କୁ ପ୍ରଥମଦିନରୁ ଗିରଫ ନକରି କାହିଁକି ଅଧିକ ତଥ୍ୟପ୍ରମାଣ ନଷ୍ଟ କରିବାର ସୁଯୋଗ ଦେଲା ଓ କାହା ଚାପରେ ତାଙ୍କୁ ଗିରଫ କରାଯାଉନଥିଲା ତାହା ଏବେ ସନ୍ଦେହଘେରରେ । ସିବିଆଇ(CBI )କୁ ମାମଲା ହସ୍ତାନ୍ତର ହେବାର ଆଶଙ୍କା ପରେ ସରକାରୀ ବାବୁମାନଙ୍କ ସମ୍ପୃକ୍ତିର ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ ଏଭଳି ଗିରଫଦାରୀ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଗୃହ ସଚିବ ଓ ଓପିଆରବି ଅଧ୍ୟକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରିପାରିବ ତ କ୍ରାଇମବ୍ରାଂଚ
ଏହି ନିଯୁକ୍ତି ପରୀକ୍ଷା ଦୁର୍ନୀତି ପଦାକୁ ଆସିବା ପରେ ବିଜେଡି ଓ କଂଗ୍ରେସ ଉଭୟ ସାମ୍ବାଦିକ ସମ୍ମିଳନୀ କରି ଏଥିରେ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କ ସନ୍ଦେହଜନକ ଭୂମିକା ଥିବାର ଅଭିଯୋଗ କରିଥିଲେ । ଏପରିକି ଉଭୟଙ୍କ ନାଁ ନେଇ ସେମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଦାବି କରିଥିଲେ । ମାତ୍ର କ୍ରାଇମବ୍ରାଂଚ ନିଜର ତଦନ୍ତକୁ କେବଳ ତଳସ୍ତରର ଦଲାଲଙ୍କ ମଧ୍ୟରେ ସୀମିତ ରଖି ଓପିଆରବି-ଗୃହ ବିଭାଗ- ସିଲିକନ ଓ ପଂଚସଫ୍ଟକୁ ଛୁଇଁବାକୁ ଆଗ୍ରହ ଦେଖାଇନଥିଲା । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାର ତଦନ୍ତ ସିବିଆଇକୁ ଦିଆଯିବ ବୋଲି କହିବା ସହ ହାଇକୋର୍ଟକୁ ବିଧିବଦ୍ଧ ଭାବେ ଅବଗତ କରାଯିବା ପରେ କ୍ରାଇମବ୍ରାଂଚ ଅଚାନକ ସକ୍ରିୟ ହୋଇପଡ଼ିଛି । ସିଲିକନ୍ ଓ ପଂଚସଫ୍ଟର ମାଲିକଙ୍କୁ ଗିରଫ କରିଥିଲେ ମଧ୍ୟ ଓପିଆରବି ଓ ଗୃହ ବିଭାଗର ଅଧିକାରୀଙ୍କ ଭୂମିକା କ’ଣ ରହିଛି ତାକୁ ଯାଂଚ ପରିସରଭୁକ୍ତ କରିନାହିଁ କିମ୍ବା କରିବାକୁ ଆଗ୍ରହ ଦେଖାଇ ନାହିଁ । ଯଦିଓ ପରୀକ୍ଷା ପରିଚାଳନାର ଟେଣ୍ଡର ନେଇଥିବା ଆଇଟିଆଇ ଲିମିଟେଡ୍ ବାରମ୍ବାର ନିଜର ସ୍ଥାନୀୟ ପାର୍ଟନର ପରିବର୍ତ୍ତନ କରିଥିଲା ଏବଂ ଓପିଆରବି-ଗୃହ ବିଭାଗର ବିନା ଅନୁମୋଦନରେ ଏହା ସମ୍ଭବପର ନଥିଲା ବୋଲି କୁହାଯାଉଛ । ବାରମ୍ବାର ପାର୍ଟନର ପରିବର୍ତ୍ତନ ଓ ପଂଚସଫ୍ଟ ଭଳି ଅନଭିଜ୍ଞ କମ୍ପାନୀକୁ ସବଲେଟ୍ ଦେବା ପଛରେ ଓପିଆରବି ଓ ଗୃହ ବିଭାଗର କେଉଁ ଅଧିକାରୀ ସମ୍ପୃକ୍ତ ଥିଲେ ତଥା ସେମାନଙ୍କୁ କ୍ରାଇମବ୍ରାଂଚ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୃହ ବିଭାଗର କେଉଁ ବରିଷ୍ଠ ଅଫିସରଙ୍କର ସିଧାସଳଖ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ସହ ସମ୍ପର୍କ ଥିଲା ବୋଲି ଯେଉଁ ଅଭିଯୋଗ ହେଉଛି ତାକୁ ତଦନ୍ତ କରିବାରେ କିଏ ବାଧକ ସାଜିଛି ବୋଲି ପ୍ରଶ୍ନ ଉଠିଛି ।
ସିବିଆଇକୁ ତଦନ୍ତ ହସ୍ତାନ୍ତର ପୂର୍ବରୁ ତତ୍ପରତା କାହିଁକି?
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ ତାରିଖରେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି(Odisha Police SI Exam Scam) ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଘୋଷଣା କରିଥିଲେ । ଏପରିକି ଅକ୍ଟୋବର ୨୭ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ହାଇକୋର୍ଟଙ୍କୁ ମଧ୍ୟ ରାଜ୍ୟ ସରକାର ଅବଗତ କରାଇଥିଲେ । ମାତ୍ର ଆଜି ସୁଦ୍ଧା ସିବିଆଇ ଏହି ତଦନ୍ତ ଭାର ହାତକୁ ନେଇନାହିଁ । ସେପଟେ ଗତ ୩ଦିନ ଧରି କ୍ରାଇମବ୍ରାଂଚ ଅଚାନକ ସକ୍ରିୟ ହୋଇପଡ଼ିଛି । ଏକସଙ୍ଗେ ସିଲିକନ୍ ମୁଖ୍ୟ ସୁରେଶ ନାୟକ ଓ ପଂଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କୁ ଗିରପ କରିଛି । ଦୀର୍ଘ ଏକମାସ ଧରି ସେମାନଙ୍କୁ ଖୋଲା ଛାଡ଼ି ପରୋକ୍ଷରେ ତଥ୍ୟପ୍ରମାଣ ନଷ୍ଟ କରିବାରେ କ୍ରାଇମବ୍ରାଂଚ ସହଯୋଗ କରିଥିଲା ବୋଲି ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି । ଏବେ ସିବିଆଇ ତଦନ୍ତ ହେଲେ ସିଲିକନ୍ ଓ ପଂଚସଫ୍ଟ ସହ ଜଡ଼ିତ ଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ଅଫିସରମାନଙ୍କ ବିବାଦୀୟ ଭୂମିକା ପଦାରେ ପଡ଼ିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ଏବେ କ୍ରାଇମବ୍ରାଂଚ ହଠାତ୍ ସକ୍ରିୟ ହୋଇ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଖୋଲାଖୋଲି ଭାବେ ବିଜେଡି ଓ କଂଗ୍ରେସ ଯେଉଁ ସରକାରୀ ଅଫିସରମାନଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି ସେମାନଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରୁଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us