ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ସ୍ଥିତ ଏକ କୋଭିଡ୍‌ ହସ୍‌ପିଟାଲ୍‌ରେ ବ୍ୟାପକ ଅବ୍ୟବସ୍ଥା ନେଇ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗତକାଲି ସେଠାକୁ ପରିଦର୍ଶନରେ ଯାଇଥିଲେ। ସେ ପିପିଇ କିଟ୍ ପିନ୍ଧି ଏହି କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେହିପରି ସେଠାରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତର, ନର୍ସ ଓ […]

Pratap Sarangi

Jitendra Garnayak
  • Published: Wednesday, 02 June 2021
  • , Updated: 02 June 2021, 01:00 PM IST

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ସ୍ଥିତ ଏକ କୋଭିଡ୍‌ ହସ୍‌ପିଟାଲ୍‌ରେ ବ୍ୟାପକ ଅବ୍ୟବସ୍ଥା ନେଇ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗତକାଲି ସେଠାକୁ ପରିଦର୍ଶନରେ ଯାଇଥିଲେ। ସେ ପିପିଇ କିଟ୍ ପିନ୍ଧି ଏହି କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେହିପରି ସେଠାରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ।

ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ବିଧାୟକ ବୁଡ଼ାନ ମୁର୍ମୁ ଓ ପ୍ରକାଶ ସୋରେନ୍‌ ମଧ୍ୟ ପିପିଇ କିଟ୍ ପିନ୍ଧି କୋଭିଡ୍‌ ଆକ୍ରାନ୍ତମାନଙ୍କୁ ଭେଟିଥିଲେ।

କୋଭିଡ୍ ହସ୍‌ପିଟାଲ୍‌ରେ ରୋଗୀଙ୍କ ଭେଟିବା ପରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଫଟୋ ଓ ଭିଡିଓ ଭାଇରାଲ ଘଟଣାରେ ଜିଲ୍ଲାପାଳ ଯେଉଁ ତଦନ୍ତ କରିଛନ୍ତି, ତାକୁ ମୁଁ ପୂର୍ଣ୍ଣାଙ୍ଗ ତଦନ୍ତ ବୋଲି ମାନି ପାରୁନାହିଁ। ଏଣୁ ଏହାକୁ ଆଉ ଟିକେ ଗଭୀରତାର ସହ ତଦନ୍ତ କରିବାକୁ କହିଛି।

ସେ କହିଛନ୍ତି, କେଉଁ ପରିସ୍ଥିତିରେ ସେହି ରୋଗୀମାନେ ତଳେ ପଡ଼ିଲେ, କେତେ ସମୟ ତଳେ ପଡ଼ିଥିଲେ, କେତେ ବେଳେ ସେମାନଙ୍କୁ ଉଠାଗଲା ଓ ସେମାନେ ଉଲଗ୍ନ କେମିତି ହୋଇଗଲେ- ଏସବୁ ବିଷୟରେ ଏକ ତିନି ଜଣିଆ ଟିମ୍ କରି ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ କହିଛି। ଯେଉଁମାନେ ତଳେ ପଡ଼ିଥିଲେ, ଯେଉଁମାନେ ଅଭିଯୋଗ କରିଥିଲେ ଓ ଯେଉଁମାନେ ଅଭିଯୁକ୍ତ- ଏ ସମସ୍ତଙ୍କୁ ତଦନ୍ତ ବେଳେ ପଚରାଉଚରା କରିବାକୁ କହିଛି।

ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି, ପ୍ରଶାସନ କହୁଛି ଯେ ଯେଉଁମାନେ ପଡ଼ିଥିଲେ ସେମାନେ ଡ୍ରଗ୍ସ ଆଡିକ୍ଟ ଥିଲେ। ଯେହେତୁ ଏଠି ନିଶା ଦ୍ରବ୍ୟ ମିଳିଲାନି, ତେଣୁ ସେମିତି ବ୍ୟବହାର କରିଥିଲେ। ତେବେ ତଳେ ପଡ଼ିବାର କେତେ ସମୟ ପରେ ଉଠାଗଲା, ତାହା ତଦନ୍ତ ପରିସରଭୁକ୍ତ ହେବା ଉଚିତ୍‌। ଏ ଘଟଣାରେ ତୁରନ୍ତ କୌଣସି ନିଷ୍ପତ୍ତିରେ ପହଞ୍ଚିଯିବା ଠିକ୍ ନୁହେଁ।

ଏହି କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନରେ ଆସିବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ଭାଇରଲ ଫଟୋ ଓ ଭିଡିଓ ଘଟଣାର ତଦନ୍ତ ୭ ଦିନ ଭିତରେ ସାରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୋଭିଡ୍ ହସ୍‌ପିଟାଲ୍‌ରେ ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ ଓ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ଅନ୍ୟ ଏକ ସମୀକ୍ଷା ବୈଠକ କରିଥିଲେ।

ସୂଚନାଯୋଗ୍ୟ, ବାଙ୍କିଶୋଳ ସ୍ଥିତ ଏହି କୋଭିଡ୍‌ ହସ୍‌ପିଟାଲର ଯେଉଁ ସବୁ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ରୋଗୀମାନେ ଏଣେତେଣେ ଚଟାଣରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଏ ହସ୍‌ପିଟାଲ ବରଣ୍ଡାରେ ତ ଆଉ କିଏ ୱାଶ୍‌ ରୁମ୍‌ର ବେସିନ୍‌ ତଳେ ପଡ଼ିଥିଲେ। ପୁଣି ଆଉ କେହି କେହି ସଂପୂର୍ଣ୍ଣ ଉଲଗ୍ନ ହୋଇ ବେଡ୍‌ ପାଖରେ ପଡ଼ିଥିଲେ।
https://youtu.be/iRwCyfnbC6Q

Related story