bose
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର ନୁହନ୍ତି ବୋଲି ପ୍ରମାଣ କରିବାକୁ ପୁଣି ଆରମ୍ଭ ହୋଇଛି କି ଷଡ଼ଯନ୍ତ୍ର? ନେତାଜୀଙ୍କ ସହ ଓଡ଼ିଶାର ସମ୍ପର୍କ ଛିନ୍ନ କରିବାକୁ ଆରମ୍ଭ ହୋଇଛି କି ଅପଚେଷ୍ଟା? ସେ ଓଡ଼ିଶାର କଟକସ୍ଥିତ ଓଡ଼ିଆ ବଜାରଠାରେ ଜନ୍ମ ନେଇଥିଲେ। କିନ୍ତୁ ତାଙ୍କ 125 ତମ ଜୟନ୍ତୀ ଅବସରରୋ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତ ପ୍ୟାନେଲରେ କାହିଁକି ସ୍ଥାନ ପାଇଛନ୍ତି ମାଳ ମାଳ ପଶ୍ଚିବଙ୍ଗର ଲୋକ ? ଉଚ୍ଚ ସ୍ତରୀୟ କମିଟିରେ ସୁରତର ଜଣେ ସରପଞ୍ଚ ବି ସ୍ଥାନ ପାଇଛନ୍ତି। କିନ୍ତୁ କିମଟିରେ ମାତ୍ର 3 ଜଣ ଓଡ଼ିଆ ସ୍ଥାନ ପାଇଥିବାବେଳେ ସୁଭାଷଙ୍କ ସ୍ମୃତି ବହନ କରୁଥିବା କଟକର ବିଧାୟକଙ୍କୁ ଅବହେଳା କାହିଁକି କରାଯାଇଛି?
ରାଜ୍ୟ କଂଗ୍ରେସ ପକ୍ଷରୁ ଏଭଳି କିଛି ଅଭିଯୋଗ ଆସିବାପରେ ଆରମ୍ଭ ହୋଇଛି ରାଜନୀତିକ ତମ୍ବି ତୋଫାନ। କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଅଭିଯୋଗ ଆଣିଛି ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ତୁଷ୍ଟିକରଣ ରାଜନୀତି କରୁଛି କେନ୍ଦ୍ରରେ କ୍ଷମତାସୀନ ବିଜେପି। କଂଗ୍ରେସର ଏହି ଅଭିଯୋଗକୁ ଇନ୍ଧନ ଯୋଗାଇଛି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଟ୍ୱିଟ୍ କରିଥିବା ଉଚ୍ଚ ସ୍ତରୀୟ କମିଟିର ସଦସ୍ୟମାନଙ୍କ ତାଲିକା। ଏଥିରେ ମୋଟ ୮୫ ଜଣ ସଦସ୍ୟ ଥିବାବେଳେ ଓଡ଼ିଶାରୁ ମାତ୍ର ୩ ଜଣ ଏବଂ ପଶ୍ଚିମବଙ୍ଗରୁ ପ୍ରାୟ ୨୬ ଜଣ ସଦସ୍ୟ ଅଛନ୍ତି। ଅନ୍ୟ କାହା କଥା ଛାଡ଼ନ୍ତୁ ଖୋଦ୍ ନେତାଜୀଙ୍କ ଜନ୍ମ ସ୍ଥାନ କଟକର କୌଣସି ବିଧାୟକଙ୍କୁ ମଧ୍ୟ ସ୍ଥାନ ମିଳିନି। ଓଡ଼ିଶାର ବିଭିନ୍ନ ଗାଁରେ ନେତାଜୀଙ୍କ ଆଜାଦ୍ ହିନ୍ଦ ଫୌଜର ସଂଗ୍ରାମୀ ରହିଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇନି।
https://twitter.com/prahladspatel/status/1347846227136638977?s=20
ଭାରତ ସରକାରଙ୍କ ରାଜପତ୍ର ମାଧ୍ୟମରେ କରାଯାଇଥିବା ଏହି ଘୋଷଣାକୁ ଟ୍ୱିଟ୍ କରି ପଶ୍ଚିମବଙ୍ଗ ବିଜେପିର ଟ୍ୱିଟର ହ୍ୟାଣ୍ଡଲକୁ ଟ୍ୟାଗ୍ କରିଛନ୍ତି ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍। ଯାହା ରାଜନୀତି ପାଇଁ ଇନ୍ଧନ ଯୋଗାଇଛି। ତେବେ ବିଜେପି ପକ୍ଷରୁ କୁହାଯାଇଛି ନେତାଜୀଙ୍କୁ ନେଇ ଅଯଥା ସଂକୀର୍ଣ୍ଣ ରାଜନୀତି ନ କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ବକୁ ଆସିବା ପରେ ବରପୁତ୍ରମାନଙ୍କୁ ଗୁରୁତ୍ୱ ମିଳୁଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ସରକାର ଥିଲେ ନେତାଜୀଙ୍କୁ ନେଇ ଏମିତି ଆୟୋଜନ ହେଉନଥା’ନ୍ତା।
କେହି ମାନୁ କି ନ ମାନୁ ନେତାଜୀଙ୍କ ଜନ୍ମ ଓଡ଼ିଶାରେ ହୋଇଥିଲେ ହେଁ ପଶ୍ଚିମବଙ୍ଗ ତାଙ୍କ ସ୍ମୃତିକୁ ଜୀବନ୍ତ ରଖିବାରେ ତୁଳନାତ୍ମକ ଭାବେ ଅଧିକ ପ୍ରୟାସ କରିଛି ନିଶ୍ଚୟ। ଏପରିକି କିଛି ଧାରାବାହିକରେ ମଧ୍ୟ ନେତାଜୀଙ୍କ ଜୀବନୀ ପ୍ରଦର୍ଶନବେଳେ କଟକ ଓ ଓଡ଼ିଶାକୁ ଗୌଣ କରି ପ୍ରଦର୍ଶିତ କରାଯାଇଥିବାର ଉଦାହରଣ ରହିଛି। ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ଉଭୟ ତୃଣମୂଳ କଂଗ୍ରେସ ଏବଂ ବିଜେପି ନେତାଜୀଙ୍କୁ ନିର୍ବାଚନୀ ପ୍ରସଙ୍ଗ କରିବାରକୁ ଜୋରଦାର ପ୍ରୟାସ ଚଲାଇଛନ୍ତି। ଏପଟେ ଓଡ଼ିଶାରେ ରାଜନୀତିକ ଇଛାଶକ୍ତି ଅଭାବରୁ ନେତାଜୀଙ୍କ ପିଲାଦିନର ସ୍ମୃତିକୁ ଜାବୁଡ଼ି ଧରିଥିବା କଟକର ଆତ୍ମା ଆଉ କେତେଦିନ ଗୁମୁରି କାନ୍ଦିବ ତାହା ଦେଖିବାକୁ ବାକି ରହିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/bose.jpg)