
Railway Over Bridge
ଓଡ଼ିଶାରେ ୯୨ଟି ରେଳ ଓଭରବ୍ରିଜ୍ ନିର୍ମାଣ ସମେତ ଦିଲ୍ଲୀ ରେଳଷ୍ଟେସନ ଶୈଳୀରେ ଭୁବନେଶ୍ୱର ଓ ପୁରୀ ଷ୍ଟେସନରେ ଆଧୁନିକ ‘ଯାତ୍ରୀ ସୁବିଧା କେନ୍ଦ୍ର’ ନିର୍ମାଣ ହେବ । ରେଳ ମନ୍ତ୍ରଣାଳୟ ଏଥିପାଇଁ ଆବଶ୍ୟକ ପାଣ୍ଠି ଖର୍ଚ୍ଚ କରିବ । ଓଡ଼ିଶାରେ ରେଳବାଇ ଭିତ୍ତିଭୂମି ବିକାଶ ନିମନ୍ତେ ୯୨ଟି ରେଳ ଓଭରବ୍ରିଜ(ଆରଓବି) ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଦେଇଛନ୍ତି ।
ଓଡ଼ିଶା କରିଥିଲା ଅନୁରୋଧ, ସମସ୍ତ ଖର୍ଚ୍ଚ ବହନ କରିବ କେନ୍ଦ୍ର
ରାଜ୍ୟରେ ୯୨ଟି ଆରଓବି ନିର୍ମାଣ ପାଇଁ ସମସ୍ତ ଖର୍ଚ୍ଚ କେନ୍ଦ୍ର ରେଳ ମନ୍ତ୍ରଣାଳୟ (Railway) ବହନ କରିବ । ଓଡ଼ିଶା ସରକାରଙ୍କ ଏହି ପ୍ରସ୍ତାବକୁ ମନ୍ତ୍ରଣାଳୟ ଅନୁମୋଦନ ଦେଇଛନ୍ତି । ପୂର୍ବରୁ ରାଜ୍ୟରେ ଆରଓବି ନିର୍ମାଣ ଖର୍ଚ୍ଚ ଉଭୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର(Odisha) ୫୦-୫୦ ପ୍ରତିଶତ ଅନୁପାତରେ ବହନ କରିବାକୁ ସ୍ଥିର ହୋଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ଅନୁରୋଧ ପରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ୯୨ଟି ଆରଓବି ନିର୍ମାଣ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଚିଠି ଲେଖି ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି । ଏହି ରେଳ ଓଭର ବ୍ରିଜଗୁଡ଼ିକ ନିର୍ମାଣ ଦ୍ୱାରା ରେଳ ଲାଇନ୍ କ୍ରସିଂରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବ ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ ।
ଭୁବନେଶ୍ୱର ଓ ପୁରୀ ଷ୍ଟେସନରେ ନିର୍ମାଣ ହେବ ‘ଯାତ୍ରୀ ସୁବିଧା କେନ୍ଦ୍ର’
ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ ସମେତ ଦେଶର ମୋଟ ୭୬ଟି ଷ୍ଟେସନରେ ଅତିରିକ୍ତ ‘ଯାତ୍ରୀ ସୁବିଧା କେନ୍ଦ୍ର’ ବା ପ୍ରତୀକ୍ଷା ପାଇଁ ଉଦ୍ଦିଷ୍ଟ ଅଂଚଳ ନିର୍ମାଣ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ନୂଆଦିଲ୍ଲୀ ଷ୍ଟେସନରେ ମାତ୍ର ୪ମାସ ମଧ୍ୟରେ ଏଭଳି ପ୍ରତୀକ୍ଷା ଅଂଚଳ ନିର୍ମାଣ କରି ରେଳବାଇ ମନ୍ତ୍ରଣାଳୟ ଦୀପାବଳି ଓ ଛଟ୍ ପର୍ବ ସମୟରେ ଯାତ୍ରୀଙ୍କ ଭିଡ଼ ପରିଚାଳନାକୁ ସହଜ କରିପାରିଥିଲା । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ପୁରୀ ସମେତ ଦେଶର ମୋଟ ୭୬ଟି ପ୍ରମୁଖ ଷ୍ଟେସନରେ ଅନୁରୂପ ପ୍ରତୀକ୍ଷା ଅଂଚଳ ନିର୍ମାଣ କରାଯିବ । ଯାହା ୩ଟି ଭାଗରେ ବିଭକ୍ତ ହେବ । ସେଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଶୌଚାଳୟ, ଟିକେଟ୍ କାଉଂଟର, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ ଓ ପାନୀଳ ଜଳ ସୁବିଧା ଉପଲବ୍ଧ ହେବ । ସ୍ଥାନୀୟ ଆବଶ୍ୟକତାକୁ ଧ୍ୟାନରେ ରଖି ଏହା ନିର୍ମାଣ କରାଯିବ ତଥା ୨୦୨୬ ମସିହା ପାର୍ବଣ ଋତୁ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ରେଳ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (CM Mohan Charan Majhi) ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଭିତ୍ତିଭୂମି ବିକାଶକୁ ପ୍ରଧାନମନ୍ତ୍ରୀ ସବୁସମୟରେ ଗୁରୁତ୍ୱ ଦେଇଆସିଛନ୍ତି । ଏହି ଆରଓବି ନିର୍ମାଣ ଦ୍ୱାରା ରାଜ୍ୟରେ ପରିବହନ ନେଟୱାର୍କକୁ ସୁଦୃଢ଼ କରିବ ଓ ରେଳ ଫାଟକ ନିକଟରେ ଦୁର୍ଘଟଣା ଆଶଙ୍କା ହ୍ରାସ କରିବ ବୋଲି ସେ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
