Advertisment

Centre’s New Guidelines: ଏଣିକି ବିଧାୟକ ଓ ସାଂସଦଙ୍କୁ ଅସମ୍ମାନ ପଡ଼ିବ ମହଙ୍ଗା, ବଦଳି-ପଦୋନ୍ନତି ପାଇଁ ସୁପାରିଶ ମନା

ଯଦି ତଦନ୍ତରେ ଅଭିଯୋଗ ପ୍ରମାଣିତ ହୁଏ, ତେବେ ଅଧିକାରୀଙ୍କୁ କେବଳ ଚେତାବନୀ ନୁହେଁ, ବରଂ ପଦୋନ୍ନତି ରୋକିବା, ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ(ମେଜର ପେନାଲିଟି) ମିଳିପାରେ ବୋଲି ସତର୍କ କରାଇ ଦେଇଛନ୍ତି ।

author-image
Prakaash Sethi
Modi-Mohan

ସରକାରୀ ଅଫିସରେ ବସି ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ହେୟଜ୍ଞାନ କରିବା ଏଣିକି ଅମାନିଆ ସରକାରୀ ବାବୁମାନଙ୍କୁ ମହଙ୍ଗା ପଡ଼ିବ । ସଂସଦୀୟ କମିଟିର କଡ଼ା ଚେତାବନୀ ପରେ କେନ୍ଦ୍ର ସରକାର ଚଳିତମାସ ୧୨ତାରିଖରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହାକି ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି କରିଛି । ବିଧାୟକ ଓ ସାଂସଦମାନଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟେକଲକୁ ଉଲ୍ଲଘଂନ କଲେ ଅବା ନିଜର ବଦଳି-ପଦୋନ୍ନତି ଅବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜନୀତିକ ଚାପ ପକାଇଲେ ‘କଣ୍ଡକ୍ଟ ରୁଲସ’ ଅନୁସାରେ କଠୋର ଦଣ୍ଡ ମିଳିବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି ।

Advertisment

ପୂର୍ବରୁ ଓଡ଼ିଶାର ମୋହନ ମାଝୀଙ୍କ ସରକାର ୨୦୨୪ ନଭେମମ୍ବର ୨୯ତାରିଖରେ ‘ବୁକ୍ ସକୁର୍ଲାର-୪୭’କୁ ନେଇ ସମାନ ଆଭିମୁଖ୍ୟ ଗ୍ରହଣ କରି  ଜନପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ କେନ୍ଦ୍ର ସରକାରଙ୍କ ଏହି ନୂଆ ନିର୍ଦ୍ଦେଶନାମା ଅମାନିଆ ଅଫିସରମାନଙ୍କ ଅହଙ୍କାର ଉପରେ ଶକ୍ତପ୍ରହାର ସଦୃଶ ହୋଇଛି ।


ନିୟମ ଖିଲାପ କଲେ ବିଭାଗୀୟ ତଦନ୍ତ ଓ କଠୋର ଦଣ୍ଡ

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଜାନୁୟାରୀ ୧୨ତାରିଖରେ ଜାରି ‘ଅଫିସ୍ ମେମୋରାଣ୍ଡମ’ର ପାରା ୭ ଓ ୮ ଅନୁଯାୟୀ, ଯଦି ସାଂସଦ କିମ୍ବା ବିଧାୟକଙ୍କ ସହ କୌଣସି ସରକାରୀ କର୍ମଚାରୀ-ଅଫିସର ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରନ୍ତି କିମ୍ବା ସେମାନଙ୍କ କାମରେ ଅବହେଳା କରନ୍ତି, ତେବେ ଏହାକୁ ଗୁରୁତର ସେବା ବିଚ୍ୟୁତି ଭାବେ ବିବେଚନା କରାଯିବ । ଏପରି କ୍ଷେତ୍ରରେ ‘ସର୍ଭିସ୍ କଣ୍ଡକ୍ଟ ରୁଲ୍‌’ ଅନୁଯାୟୀ ବିଧିବଦ୍ଧ ବିଭାଗୀୟ ତଦନ୍ତ କରାଯିବ । ଯଦି ତଦନ୍ତରେ ଅଭିଯୋଗ ପ୍ରମାଣିତ ହୁଏ, ତେବେ ଅଧିକାରୀଙ୍କୁ କେବଳ ଚେତାବନୀ ନୁହେଁ, ବରଂ ପଦୋନ୍ନତି ରୋକିବା, ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ(ମେଜର ପେନାଲିଟି) ମିଳିପାରେ ବୋଲି ସତର୍କ କରାଇ ଦେଇଛନ୍ତି ।

Advertisment

ରାଜ୍ୟସଭାର ଏଥିକ୍ସ କମିଟି ଓ ଲୋକସଭାର ପ୍ରୋଟୋକଲ୍ ଉଲ୍ଲଂଘନ କମିଟି ବୈଠକରେ ଅଫିସରମାନଙ୍କ ବିଶୃଙ୍ଖଳ ଆଚରଣକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର( Modi Government)  ଏହି ନିର୍ଦ୍ଦେଶନାମା ଓଡ଼ିଶା ସମେତ ସବୁ ରାଜ୍ୟକୁ ଜାରି କରିଥିବା ଜଣାପଡ଼ିଛି । ସେହିପରି ଓଡ଼ିଶାରେ ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ୨୦୨୪ ନଭେମ୍ବର ୨୯ତାରିଖରେ ‘ବୁକ୍ ସର୍କୁଲାର-୪୭’କୁ ପୁନର୍ବାର ଜାରି କରି ଜନପ୍ରତିନିଧିମାନଙ୍କୁ ଉଚିତ୍ ସମ୍ମାନ ଦେବାକୁ କଡ଼ା ତାଗିଦ୍ କରିଥିଲେ ।


ଅଫିସର ପାଳନ କରିବେ ବାଧ୍ୟତାମୂଳକ ଶିଷ୍ଟାଚାର

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ, ଅଫିସରମାନେ ଶିଷ୍ଟାଚାର ପାଳନ କରିବାକୁ । ଏଣିକି ଯଦି ଜଣେ ସାଂସଦ କିମ୍ବା ବିଧାୟକ ଜଣେ ଅଧିକାରୀଙ୍କୁ ଭେଟିବାକୁ ଆସନ୍ତି, ତେବେ ସମ୍ପୃକ୍ତ ଅଫିସର ନିଜ ଆସନରୁ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ କରିବାସହ ବିଦାୟ ବେଳେ ଅଫିସ୍ ବାହାର ପର୍ଯ୍ୟନ୍ତ ଛାଡ଼ିବାକୁ ଯିବେ । ଏଥିରେ ସାମାନ୍ୟ ତ୍ରୁଟି ହେଲେ ଏହାକୁ ‘ପ୍ରୋଟୋକଲ୍ ଉଲ୍ଲଂଘନ’ ଭାବେ ଗ୍ରହଣ କରାଯାଇ ସିଧାସଳଖ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଜନପ୍ରତିନିଧିଙ୍କ ଗାଡ଼ିକୁ ଅଫିସ୍ ପରିସର ମଧ୍ୟକୁ ପ୍ରବେଶ କରିବା ପାଇଁ ସୁରକ୍ଷା କଟକଣା କୋହଳ କରାଯିବ ।

ଯଦି କୌଣସି କାରଣବଶତଃ ସରକାରୀ ଅଫିସର ନିଜର ପୂର୍ବ ନିର୍ଦ୍ଧରିତ ଆପଏଂଟମେଂଟ୍ ପାଳନ କରିପାରୁନାହାଁନ୍ତି, ତେବେ ତାହାକୁ ସଂପୃକ୍ତ ଜନପ୍ରତିନିଧିଙ୍କୁ ତୁରନ୍ତ ଅବଗତ କରି ବୁଝାଇବା ସହ ନୂଆ ସମୟ ଧାର୍ଯ୍ୟ କରିବେ । ଏହି ସୌଜନ୍ୟତାରେ କୌଣସି ପ୍ରକାର ଖିଲାପ ହେଲେ ତାହାକୁ ଅଫିସରଙ୍କ ଚରିତ୍ର ପଞ୍ଜିକା ବା ସିସିଆରରେ କଳାଦାଗ ଭାବେ ଲିପିବଦ୍ଧ କରାଯିବ । କେନ୍ଦ୍ର ସରକାରଙ୍କ ଏହି କଠୋର ଆଭିମୁଖ୍ୟ(Administration Action) ସରକାରୀ ଅଫିସରମାନଙ୍କ ମଧ୍ୟରେ ଏବେ ଛନକା ବଢ଼ାଇ ଦେଇଛି ।

ସରକାରୀ ଉତ୍ସବ ଓ ସଭା ମଞ୍ଚରେ ଉପଯୁକ୍ତ ସମ୍ମାନ

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ, ସରକାରୀ କାର୍ଯ୍ୟକ୍ରମ ବା ସାର୍ବଜନୀନ ଉତ୍ସବରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ନିଶ୍ଚିତ ଭାବେ ନିମନ୍ତ୍ରଣ କରାଯିବ । ନିମନ୍ତ୍ରଣ ପତ୍ରରେ ସେମାନଙ୍କ ନାମ ଛପାଯିବା ସହ ମଞ୍ଚରେ ସମ୍ମାନଜନକ ଆସନ ବ୍ୟବସ୍ଥା କରିବାକୁ କୁହାଯାଇଛି । କାରଣ ‘ୱାରେଂଟ ଅଫ୍ ପ୍ରେସିଡେନ୍ସ' ଅନୁଯାୟୀ ବିଧାୟକ ଓ ସାଂସଦଙ୍କ ସ୍ଥାନ ଭାରତ ସରକାରଙ୍କ ସଚିବଙ୍କ ଠାରୁ ମଧ୍ୟ ଉପରେ । କୌଣସି ବି ବୈଠକ ପାଇଁ ଜନପ୍ରତିନିଧିଙ୍କୁ ଯଥେଷ୍ଟ ପୂର୍ବରୁ ସୂଚନା ଦେବାକୁ ପଡ଼ିବ ଓ ସେମାନଙ୍କ ଗାଡ଼ିକୁ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

ଇ-ମେଲ୍ , ଏସଏମଏସର ଉତ୍ତର ଦେବାସହ କଲ ବ୍ୟାକ୍ କରିବା ବାଧ୍ୟ

କେନ୍ଦ୍ର ସରକାର ତାଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ଯେ, ବିଧାୟକ-ସାଂସଦମାନେ ଦେଉଥିବା ଚିଠି ପାଇବାର ୧୫ଦିନ ମଧ୍ୟରେ ଏହାର ପ୍ରାପ୍ତିସୂଚନା ଓ ପରବର୍ତ୍ତୀ ୧୫ଦିନ ମଧ୍ୟରେ ଚୂଡ଼ାନ୍ତ ଉତ୍ତର ଦେବାକୁ ପଡ଼ିବ । ଯଦି କୌଣସି ଚିଠି ଭୁଲ ବିଭାଗକୁ ପଠାଯାଇଥାଏ, ତେବେ ୫ ଦିନ ମଧ୍ୟରେ ତାହାକୁ ସଠିକ୍ ବିଭାଗକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । ଯଦି ବିଳମ୍ବ ହୁଏ, ତେବେ ଅନ୍ତରୀଣ ଉତ୍ତର ଦେବାକୁ ହେବ । ଏହି ସମସ୍ତ ଉତ୍ତର ସର୍ବନିମ୍ନ ଅଣ୍ଡର ସେକ୍ରେଟୋରୀ ପାହ୍ୟାର ଅଫିସରଙ୍କ ଦ୍ୱାରା ଦିଆଯିବ । ଏହାବ୍ୟତୀତ ବିଧାୟକ-ସାଂସଦମାନଙ୍କ ଫୋନ୍ କଲ, ଇମେଲ୍ ଅବା ଏସଏମଏସକୁ ଅଣଦେଖା କରିପାରିବେ ନାହିଁ ଓ ସମାନ ଗୁରୁତ୍ୱ ଦେବେ ।

ଯଦି କାର୍ଯ୍ୟ ବ୍ୟସ୍ତତାରୁ ଫୋନ୍ ଉଠାଇ ପାରିନଥିବେ, ତୁରନ୍ତ କଲବ୍ୟାକ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକ-ସାଂସଦଙ୍କୁ ତାଚ୍ଛଲ୍ୟ କରିବା କିମ୍ବା ସେମାନଙ୍କ ଫୋନ୍ ନଉଠାଇବାକୁ ଏବେ ‘ଗୁରୁତର ଅସଦାଚରଣ’ ଭାବେ ଗଣନା କରାଯିବ ଏବଂ ଏଥିପାଇଁ ଇନକ୍ୱାରୀ ଆଉ କେବଳ ଏକ ଔପଚାରିକତା ହୋଇ ରହିବ ନାହିଁ ।

ପଦୋନ୍ନତି ବା ବଦଳି ପାଇଁ ରାଜନୀତିକ ଚାପ ମନା , କାର୍ଯ୍ୟାନୁଷ୍ଠାନ ଚେତାବନୀ

କେନ୍ଦ୍ର ସରକାର ଏହି ମେମୋରାଣ୍ଡମ୍ ମାଧ୍ୟମରେ ସରକାରୀ ଅଫିସର ଓ କର୍ମଚାରୀଙ୍କୁ ମଧ୍ୟ ସତର୍କ କରାଇଛନ୍ତି । କୌଣସି ବି ଅଫିସର ନିଜର ବ୍ୟକ୍ତିଗତ ସ୍ୱାର୍ଥ, ପଦୋନ୍ନତି ବା ବଦଳି ପାଇଁ ସାଂସଦ କିମ୍ବା ବିଧାୟକଙ୍କ ସୁପାରିଶ ଅବା କୌଣସି ପ୍ରକାରର ରାଜନୈତିକ ପ୍ରଭାବ ବ୍ୟବହାର କରିପାରିବେ ନାହିଁ । ଏହା ‘କଣ୍ଡକ୍ଟ ରୁଲ୍‌’ ଅନୁଯାୟୀ ସଂପୂର୍ଣ୍ଣ ନିଷିଦ୍ଧ ଓ ଏପରି କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି । 


ଏହି ସମସ୍ତ ନିର୍ଦ୍ଦେଶାବଳୀକୁ ଅତି ଗମ୍ଭୀରତାର ସହ ପାଳନ କରିବାକୁ ସମସ୍ତ ମନ୍ତ୍ରଣାଳୟ, ଓଡ଼ିଶା ସମେତ ସବୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଯଦି କୌଣସି ଅଧିକାରୀ ଏହାର ଉଲ୍ଲଂଘନ କରନ୍ତି, ତେବେ ବିଧିବଦ୍ଧ ତଦନ୍ତ ପରେ ସେମାନଙ୍କ ବିରୋଧରେ ‘ଆପ୍ରୋପ୍ରିଏଟ୍ ପନିସମେଂଟ’ ବା ‘ଉପଯୁକ୍ତ ଦଣ୍ଡ'ର ବ୍ୟବସ୍ଥା ରହିଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶାରେ ଚାଲିଥିବା ବାବୁରାଜ୍ ଉପରେ ଅଙ୍କୁଶ ଲଗାଇ ‘ବୁକ୍ ସକୁର୍ଲାର-୪୭’ ଅନୁସାରେ ଜନପ୍ରତିନିଧିମାନଙ୍କୁ ସମ୍ମାନ ଦେବା ନିମନ୍ତେ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସବୁ ବିଭାଗରେ ‘ସ୍ୱତନ୍ତ୍ର ସେଲ୍‌' ଗଠନ ଓ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତି ଦିଆଯାଇ ସାଂସଦ ଓ ବିଧାୟକମାନଙ୍କର ଚିଠି ଓ ଅଭିଯୋଗର ତଦାରଖ କରାଯାଉଛି । ପ୍ରତିମାସର ୧୫ତାରିଖ ସୁଦ୍ଧା ସମସ୍ତ ବିଭାଗ ସେମାନଙ୍କର ଷ୍ଟାଟସ୍ ରିପୋର୍ଟ ମଧ୍ୟ ସଂସଦୀୟ ବ୍ୟାପାରକୁ ପଠାଇବାକୁ ବାଧ୍ୟତାମୂଳକ କରାଯାଇଛି । ଯାହାକୁ ପ୍ରତିମାସର ୨୦ତାରିଖ ସୁଦ୍ଧା ମୁଖ୍ୟ ସଚିବ ନିଜେ ସମୀକ୍ଷା କରୁଥିବା ଜଣାପଡ଼ିଛି ।

Modi Government Administration Action