ବଦଳୁଛି ରାଜନୀତିର ଭାଷା, ଆଗକୁ ଆସିପାରେ ‘ଡାହୁକ ବୋଲି’ !

ରାହୁଲ କହିଲେ ‘ଚୌକିଦାର ଚୋର୍ ହୈ, ନବୀନ ପଟ୍ଟନାୟକ ରିମୋଟ୍‌ କଣ୍ଟ୍ରୋଲ୍ ହୈ’

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ନିର୍ବାଚନ ଆସୁଛି, ଦଳ ଓ ନେତାଙ୍କ ଭିତରେ ଭାଷାଅଭାଷା ଆରମ୍ଭ ହୋଇସାରିଲାଣି। ଆମ ଲୋକେ ବି ସେମିତି ଚାହାଁନ୍ତି। ଜଣେ ନେତା, ଅନ୍ୟଦଳର ନେତାଙ୍କୁ କଟୁ କରିକି କହିଲେ ଲୋକଙ୍କୁ ଶୁଣିବାକୁ ମଜା ଲାଗୁଛି। ଯେମିତି ଓଡ଼ିଶା ଆସିଲେ ବିଜେପି ମୁଣ୍ଡିଆଳ ଅମିତ ଶାହଙ୍କ ଭାଷା ହେଲା- ‘ଉଖାଡ୍‌କେ ସମୁନ୍ଦର ମୈଁ ଫେକ୍‌ ଦୋ ଇସ୍ ବିଜେଡି ସରକାର୍‌କୋ’। ଓଡ଼ିଆରେ କହିଲେ ଏମିତି ହେବ- ବିଜେଡି ସରକାରକୁ ଉପାଡ଼ିକି ବଙ୍ଗୋପସାଗରରେ ଫିଙ୍ଗିଦିଅ।

ଗାଁ ଗାଉଁଲିରେ ତଳ ସ୍ତରର ଛାମୁଆଁ ନେତା, ପରସ୍ପର ଭିତରେ ଏମିତି ଭାଷାଅଭାଷା ଲଗେଇ କଳିଝଗଡ଼ା କରିବା ଆଗରୁ ଦେଖାଯାଉଥିଲା, କିନ୍ତୁ ଏବେ ଲୋକଙ୍କୁ ଖୁସି କରିବାକୁ ବଡ଼ବଡ଼ ନେତା ଜାଣିଜାଣିକି ଏମିତି ଡାଏଲଗ୍ ସବୁ ମାରୁଛନ୍ତି, ଯେମିତି କର୍ମୀଙ୍କ ରକ୍ତ ଗରମ ହେଇଯିବ। ଆଜି ଓଡ଼ିଶା ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭାଷା ଥିଲା ଏମିତି।

ରାହୁଲ କହିଥିଲେ- ‘ଚୌକିଦାର ଚୋର୍ ହୈ, ନବୀନ ପଟ୍ଟନାୟକ ରିମୋଟ୍‌ କଣ୍ଟ୍ରୋଲ୍ ହୈ।’ ଅର୍ଥାତ- ଚୌକିଦାର ଚୋର ଏବଂ ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ୍। ଓଡ଼ିଆରେ ଏହାକୁ ବୁଝାଇଲେ ବିସ୍ତୃତ ଆକାରରେ ଏମିତି ହେବ। ‘ଚୌକିଦାର ଯାହା କହୁଛନ୍ତି, ନବୀନ ପଟ୍ଟନାୟକ ସେଇଆ ହିଁ କରୁଛନ୍ତି। ଚୌକିଦାର କହୁଛି, ସେ ଅମୁକ ଶିଳ୍ପପତି ମୋ ସାଙ୍ଗ, ନବୀନ ପଟ୍ଟନାୟକ ତାଙ୍କୁ ସଙ୍ଗେ ସଙ୍ଗେ ଟଙ୍କା ଦେଇଦେଉଛନ୍ତି। ଚୌକିଦାର କହୁଛି, ଓଡ଼ିଶାରେ କୃଷକଙ୍କ ଋଣ ଛାଡ଼ ହେବନି, ରିମୋଟ୍‌ ସୁଇଚ୍ ଚିପିଲେ, ଏପଟେ ନବୀନ ପଟ୍ଟନାୟକ କହୁଛନ୍ତି, ନା ଆଜ୍ଞା ହେବନି।’

ଦଳୀୟ ସଭାରେ ଖୋଲାଖୋଲି ସମସ୍ତଙ୍କ ଆଗରେ କାହାକୁ ‘ଚୋର’ ବୋଲି କହିବା କେବେବି ସମୀଚିନ ନୁହେଁ। ମାନବିକ ଅଧିକାରକୁ ଏବେ ଯେମିତି ଗୁରୁତ୍ୱ ଦିଆଯାଉଛି, ଚୋରକୁ ବି ଏବେ ଚୋର ବୋଲି କହିହେଉନି। ରାଉରକେଲାରେ କାଳେ କଂଗ୍ରେସ କର୍ମୀମାନେ ଯେତେବେଳେ ‘ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ’ ବୋଲି କହିଲେ, ରାହୁଲ ଏହାକୁ ବାରଣ କଲେ। କହିଲେ, ଏପରି ଶବ୍ଦ ଆର୍‌ଏସ୍‌ଏସ୍‌ ଓ ବିଜେପି କର୍ମୀ ହିଁ ବ୍ୟବହାର କରନ୍ତି, କଂଗ୍ରେସ ନୁହେଁ। କିନ୍ତୁ ନିଜେ ଯେତେବେଳେ ‘ଚୌକିଦାର ଚୋର’ ଶବ୍ଦ ଉଚ୍ଚାରଣ କଲେ ତାହା କେମିତି ଠିକ୍ ଲାଗିଲା ତାଙ୍କୁ?

ଅବଶ୍ୟ ରାହୁଲ ସେମିତି କିଛି ଅଧିକ କହିଦେଇ ନାହାଁନ୍ତି। ବିଜେପି ହିଁ ରାଜନୀତିରେ ଏହି ଟ୍ରେଣ୍ଡ ଆରମ୍ଭ କରିଛି। ନିର୍ବାଚନ ଜିତିବା ଆଗରୁ ନରେନ୍ଦ୍ର ମୋଦି ଦେଶସାରା ବୁଲିବୁଲି ଏମିତି ଡାଏଲଗ୍‌ ସବୁ କହି ଲୋକଙ୍କୁ ତତୋଉଥିଲେ। ଲୋକେ ବି ଚାହୁଁଛନ୍ତି ଏମାନେ ଏମିତି ଭାଷା ଖରାପ କରିକି କହନ୍ତୁ। ତାଙ୍କୁ ମଜା ଲାଗୁଛି ଯେ, ‘ହେଇ ଦେଖ ଆମ ନେତା ତମ ନେତାକୁ ଶୋଧି ଦେଲା। କ’ଣ କହିଲା ମ?’

ସେଥିପାଇଁ ଗତ ଯେତେଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ, ସେ ନିଜ ଭାଷଣରେ ଯାହା କହିଥିଲେ ତାକୁ ନେଇ କିଛି ଆଲୋଚନା ହୋଇନଥିଲା। ବରଂ ସେ କ’ଣ କ’ଣ କହିନଥିଲେ ଓ କାହିଁକି କହିଲେ ନାହିଁ ତାହା ହିଁ ଲୋକେ ଚର୍ଚ୍ଚା କରିଥିଲେ। ଏହାର ଅର୍ଥ, ଲୋକେ ଏହା ଚାହାଁନ୍ତି ଯେ, ମୋଦି ଆସିଲେ ନବୀନଙ୍କୁ ଖରାପ ଭାଷାରେ ଗାଳି କରନ୍ତୁ। ଯଦି ନକହିଲେ, ଆଲୋଚନା ହୁଏ ଯେ ବିଜେଡି-ବିଜେପି ସଲାସୁତରା ହୋଇଛି। ଅବଶ୍ୟ ଏ ଅଭିଯୋଗର ଯେ ସତ୍ୟତା ନାହିଁ ତାହା କହିବା ଠିକ୍ ହେବନି। ବିଭିନ୍ନ ପ୍ରସଙ୍ଗରେ ଏ ଦୁଇଦଳ ନିଜର କ୍ରେଡିବିଲିଟି ହରେଇ ସାରିଛନ୍ତି। ତେଣୁ ଯଦି ଶୋଧାଶୋଧି ହୁଅନ୍ତି, ଜାଣିବେ ଯେ ଏମାନେ ଜାଣିକି ଡ୍ରାମା କରୁଛନ୍ତି।

ଆଗରୁ ରଥଯାତ୍ରା ବେଳେ ଯେମିତି ‘ଡାହୁକ ଗୀତ’ର ପ୍ରଚଳନ ଥିଲା, ଡାହୁକ ମହାଶୟ ଅଶ୍ଳିଳ ଭାଷାରେ ଗୀତ ଗାଉଥିଲେ, ଏହା ଶୁଣି ରଥ ଟାଣିବାକୁ ଆସିଥିବା ଭକ୍ତମାନେ ଉତ୍‌ଫୁଲ୍ଲିତ ହୋଇ ଯୋଶ୍ ପାଉଥିଲେ, ଏବେ ସେମିତି ଅବସ୍ଥା ରାଜନୀତିରେ ପ୍ରବେଶ କରିଛି। ନେତାମାନେ ତାଙ୍କ କର୍ମୀଙ୍କୁ ବଳ ଦେବାକୁ ଭାଷାଅଭାଷା ପ୍ରୟୋଗ କରି ଭାଷଣ ଦେଉଛନ୍ତି।

ପୂର୍ବରୁ କଂଗ୍ରେସ ନେତା ମଣିଶଙ୍କର ଆୟର ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିଲେ- ‘ନୀଚ୍‌ କିସମ୍‌ କା ଆଦ୍‌ମୀ’। ଅର୍ଥାତ ନରେନ୍ଦ୍ର ମୋଦି ଜଣେ ନୀଚ୍ଚ ମଣିଷ। ଆୟରଙ୍କ ଏହି ଅଶାଳୀନ ମନ୍ତବ୍ୟକୁ ନେଇ କଂଗ୍ରେସ ପାର୍ଟି ଅଡୁଆରେ ପଡ଼ିଥିଲା। ରାହୁଲ ଗାନ୍ଧି ଏକ ଟୁଇଟ୍ କରି କହିଥିଲେ ଯେ, ଅଶାଳୀନ ଭାଷା ବ୍ୟବହାର ବିଜେପିର ପରମ୍ପରା, କଂଗ୍ରେସର ନୁହେଁ। ତେଣୁ ଆୟର ଭୁଲ୍ ମାଗନ୍ତୁ ବୋଲି ଦଳ ଆଶା କରୁଛି। ବିଜେପି କିନ୍ତୁ ଏହାକୁ ଇସ୍ୟୁ କରି କହିଲା ଯେ, ଆୟର ମୋଦିଙ୍କୁ ‘ନୀଚ୍ଚ’ ବୋଲି ଯାହା କହିଛନ୍ତି, ତାହା ‘ନୀଚ୍ଚ ଜାତି’କୁ ବୁଝାଉଛି। ଆୟର କିନ୍ତୁ ପ୍ରତିକ୍ରିୟା ଦେଇ କହିଲେ ଯେ, ହିନ୍ଦି ମୋ ମାତୃଭାଷା ନୁହେଁ। ମୁଁ ଏଠି ‘ନୀଚ୍ଚ’ ବୋଲି ଯାହା କହିଛି, ତାହା ଜଣେ ‘ନିମ୍ନ ମାନିସିକତାର ଲୋକ’କୁ ବୁଝାଉଛି, ‘ନୀଚ୍ଚଜାତି’ ନୁହେଁ।

ଆମେରିକା ରାଜନୀତିରେ ସେଇ ସମସ୍ୟା। ଏକ ହିସାବରୁ ଜଣାପଡ଼ିଛି ଯେ, ୨୦୧୪ ମସିହାରେ ଆମେରିକୀୟ ନେତାମାନେ ସର୍ବସାଧାରଣରେ ୮୩ଥର ‘ଅଭଦ୍ର ଭାଷା’ କହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇଥିଲା। ୨୦୧୭ରେ ୧୫୭୧ଥର ଏବଂ ୨୦୧୮ ନଭେମ୍ବର ମାସ ସୁଦ୍ଧା ୨୪୦୯ଥର ଅଭଦ୍ର ବା ଅଶାଳୀନ ଭାଷା ବ୍ୟବହାର କରିଥିଲେ ଆମେରିକୀୟ ରାଜନେତା।

କିଛିଦିନ ତଳେ ସାଧନା ସିଂହ ନାମକ ଉତ୍ତରପ୍ରଦେଶର ଜଣେ ବିଧାୟିକା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ଜଣେ ‘ମାଇଚିଆଠୁ ମଧ୍ୟ ହୀନ’ ବୋଲି ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେହିପରି ୧୯୯୫ ମସିହାରେ ସେହି ଉତ୍ତରପ୍ରଦେଶରେ ଗୋଟେ ଘଟଣା ଘଟିଥିଲା। ସମାଜବାଦୀ ପାର୍ଟିର କିଛି କର୍ମୀ ଗୋଟେ ଗେଷ୍ଟହାଉସ୍ ଉପରେ ଆକ୍ରମଣ କରିଥିଲେ, ଯେଉଁଠି ମାୟାବତୀ ଉପସ୍ଥିତ ଥିଲେ। ମାୟାବତୀ ଭୟରେ ଗୋଟେ କୋଠରିରେ ନିଜକୁ ଆବଦ୍ଧ କରି ରଖିଥିଲେ ଓ ପରେ ବାହାରକୁ ଆସି କହିଥିଲେ ଯେ, ତାଙ୍କୁ କାଳେ ଧର୍ଷଣ କରିଦେବେ ସେଥିପାଇଁ ସେ ଭୟ କରୁଥିଲେ। ଏହାର ପ୍ରତ୍ୟୁତ୍ତରରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ କହିଥିଲେ- ମାୟାବତୀ କ’ଣ ଏତେ ସୁନ୍ଦରୀ ଯେ ତାଙ୍କୁ ଯିଏପାରି ସିଏ ରେପ୍ କରିଦେବ?’

ସେହିପରି ୨୦୦୪ରେ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧିଙ୍କୁ କହିଥିଲେ- ଜର୍ସିଗାଈ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଥରେ ମୋଦିଙ୍କୁ କହିଥିଲେ- ଭୀରୁ ଓ ମାନସିକ ରୋଗୀ। ଜଣେ ବିଜେପି ମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି ଥରେ ଗୋଟେ ସଭାରେ ତାଙ୍କ ସମର୍ଥକଙ୍କୁ କହିଥିଲେ- ତମକୁ ‘ହାରାମ୍‌ଜାଦୋଁ’ (ଏହି ହିନ୍ଦି ଗାଳିର ଅର୍ଥ ହେଲା ‘ବାଷ୍ଟାର୍ଡ’ ବା ‘ଜାରଜ’ ବା ‘ଅବୈଧ ସଂପର୍କରୁ ଜାତ’) କିମ୍ବା ‘ରାମ୍‌-ଜାଦୋଁ’ (ରାମଙ୍କ ସମର୍ଥକ)ଙ୍କ ଭିତରୁ କାହାକୁ ଜଣକୁ ବାଛିବାକୁ ପଡ଼ିବ।

ପରିତାପର ବିଷୟ ହେଲା, ରାଜନୈତିକ ଛକ୍କାପଞ୍ଝା ଓ ଭୋଟ୍‌-ସର୍ବସ୍ୱ ରାଜନୀତି ଭିତରେ ରାଜନୀତିର ଭାଷା ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି। ଏହା ଅସମ୍ଭବ ନୁହେଁ, ଆଗାମୀ ଦିନରେ ରାଜନୀତିରେ ‘ଡାହୁକ ଗୀତ’ର ପ୍ରଚଳନ ହୋଇପାରେ।