ଚଳିତ ଖରିଫ ଧାନ ସଂଗ୍ରହକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଣ୍ଡିରେ ଚାଷୀଙ୍କ ଦୁର୍ଦ୍ଦଶା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତୁରନ୍ତ ସମାଧାନ ଦାବି କରିଥିବାବେଳେ ବିଜେପି ଚିହିଁକି ଉଠିଛି । ବିଜେପି ବିଧାୟକ ବାବୁ ସିଂ ପାଲଟା ଜବାବ ଦେଇ ନବୀନଙ୍କ କୃଷି ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରତିଶ୍ରୁତି ପାଳନ ଓ ବ୍ୟବସ୍ଥାଗତ ବିଫଳତାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।
ନବୀନଙ୍କ ଅଭିଯୋଗ: ମଣ୍ଡିରେ ଚାଷୀଙ୍କୁ ଶୋଷଣ ଓ ପ୍ରତାରଣା
ରାଜ୍ୟରେ ଧାନ ସଂଗ୍ରହ ଅବ୍ୟବସ୍ଥା ଓ ଚାଷୀଙ୍କ ଦୁର୍ଦ୍ଦଶାର ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି । ଚଳିତ ଖରିଫ୍ ଋତୁରେ ଧାନ ବିକ୍ରି କରିବାକୁ ଯାଇ ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣର ଶିକାର ହେଉଛନ୍ତି, ସେ ନେଇ ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କୃଷି ଓଡ଼ିଶାର ଜୀବନରେଖା ହୋଇଥିବାବେଳେ ପ୍ରଶାସନିକ ଉଦାସୀନତା ଯୋଗୁଁ ଚାଷୀ ଆଜି ଅସହାୟ ହୋଇପଡ଼ିଛି । ନିର୍ବାଚନ ବେଳେ ବିଜେପି ଦେଇଥିବା ରଙ୍ଗୀନ ପ୍ରତିଶ୍ରୁତି ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି ।
ବିଶେଷକରି ମଣ୍ଡିଗୁଡ଼ିକ ଏବେ ଅସାଧୁ ମିଲର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ନିର୍ଯାତନାର କେନ୍ଦ୍ର ପାଲଟିଛି। ଆଦ୍ରତା ଆଳରେ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ଧାନ କଟାଯିବା ଓ ୪୮ ଘଂଟା ମଧ୍ୟରେ ପ୍ରାପ୍ୟ ନ ମିଳିବା ଦ୍ୱାରା ଚାଷୀମାନେ ରାତି ସାରା ଶୀତ କାକରରେ ମଣ୍ଡିରେ ପଡ଼ି ରହୁଛନ୍ତି । ଧାନବିକ୍ରି କରିବାକୁ ଯାଇ ଚାଷୀ ଆଜି ସଂଘର୍ଷ କରୁଥିବାବେଳେ ସରକାରୀ ଉଦାସୀନତା ଓ ପ୍ରଶାସନିକ ବିଫଳତା ଚାଷୀଙ୍କୁ ଆନ୍ଦୋଳନାତ୍ମକ ପନ୍ଥା ବାଛିବାକୁ ବାଧ୍ୟ କରୁଛି ବୋଲି ସେ ଦର୍ଶାଇଛନ୍ତି ।
ଭଲ ଫସଲ ଅମଳକାରୀ ଚାଷୀଙ୍କୁ ‘ସିଲିଂ’ ଦଣ୍ଡ ?
ନବୀନ ତାଙ୍କ ଚିଠିରେ ଇନପୁଟ୍ ସବସିଡି ଉପରେ ରଖାଯାଇଥିବା ୧୫୦ କ୍ୱିଣ୍ଟାଲର ସୀମା ବା ‘ସିଲିଂ’ ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଛନ୍ତି । ସବୁ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ସହାୟତା ଦେବାକୁ କହି ଏବେ ସୀମା ଧାର୍ଯ୍ୟ କରିବା ଅଧିକ ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ଏକ ଦଣ୍ଡ ସଦୃଶ । କେନ୍ଦ୍ର ସରକାର ବଢ଼ାଇଥିବା ୬୯ ଟଙ୍କାର ବର୍ଦ୍ଧିତ ସହାୟକ ମୂଲ୍ୟରୁ ଓଡ଼ିଶାର ଚାଷୀଙ୍କୁ ବଂଚିତ କରିବା ଏକ ବଡ଼ ପ୍ରତାରଣା ବୋଲି ସେ କହିଛନ୍ତି । ଏହି ସିଲିଙ୍ଗ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ୭୨ ଘଣ୍ଟା ମଧ୍ୟରେ ସବୁ ଧାନ ଉଠାଇବା ପାଇଁ ସେ ସରକାରଙ୍କୁ କହିଛନ୍ତି ।
ନବୀନବାବୁ କୃଷକର ‘କ’ ଅକ୍ଷର ବି ଜାଣିନାହାନ୍ତି
ନବୀନଙ୍କ ଏହି ଚିଠି ପରେ ଚିହିଁକି ଉଠିଛି ବିଜେପି । ଦଳର ବିଧାୟକ ବାବୁ ସିଂ ପାଲଟା ଜବାବ ଦେଇ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ୨୪ ବର୍ଷ ରାଜ୍ୟ ଶାସନରେ ରହି ଚାଷୀଙ୍କୁ ୧୦୦ ଟଙ୍କା ସହାୟତା ଦେଇପାରିଲେ ନାହିଁ, ସେ ଆଜି କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ଲୋକହସା କଥା । ନବୀନ ପଟ୍ଟନାୟକ କୃଷକର ‘କ’ ଅକ୍ଷର ମଧ୍ୟ ଜାଣିନାହାନ୍ତି ଓ ସେ କେବଳ ରାଜନୈତିକ ଫାଇଦା ପାଇଁ ଏଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି । ଚାଷୀଙ୍କୁ ନେଇ ବିଜେଡି ରାଜନୀତି ନକରୁ ବୋଲି ବାବୁ ସିଂ ଚେତାବନୀ ଦେଇଛନ୍ତି ।
ମୋହନ ସରକାରଙ୍କ ଦକ୍ଷତାକୁ ପ୍ରଶଂସା କରି କହିଛନ୍ତି ଯେ ବିଜେପି ସରକାର ଆସିବାର ମାତ୍ର ୨୪ ଘଂଟା ମଧ୍ୟରେ ଚାଷୀଙ୍କ ପାଇଁ ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ କରାଯାଇଛି । ଚାଷୀଙ୍କ ପାଇଁ ଯଦି କେହି ପ୍ରକୃତରେ ଚିନ୍ତା କରୁଛି ଓ କାମ କରୁଛି, ସେ ହେଉଛନ୍ତି କେବଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଣ୍ଡିରେ ଥିବା ଅବ୍ୟବସ୍ଥା ପାଇଁ ବିଜେଡି ସରକାରଙ୍କ ପୂର୍ବ ବ୍ୟବସ୍ଥା ହିଁ ଦାୟୀ ଓ ଏବେ ସେହି ଅବ୍ୟବସ୍ଥାକୁ ସୁଧାରି ସ୍ୱଚ୍ଛତା ଆଣିବାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us