ରାଉରକେଲା ନିକଟସ୍ଥ ଜଲଦା ଏ ବ୍ଲକରେ ଶନିବାର ଏକ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଯାତ୍ରୀଙ୍କ ସମେତ ମୋଟ ୬ ଜଣ ଆହତ ହୋଇଛନ୍ତି।
୪ ଜଣ ଯାତ୍ରୀଙ୍କ ମଧ୍ୟରେ ୨ ଜଣ ହେଉଛନ୍ତି ମହିଳା। ଆହତ ହୋଇଥିବା ଏହି ଯାତ୍ରୀମାନେ ହେଉଛନ୍ତି, ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ। ସେହିପରି ଆହତ ହୋଇଥିବା ୨ ଜଣ ପାଇଲଟ୍ ହେଉଛନ୍ତି କ୍ୟାପ୍ଟେନ ନବୀନ କାଡ଼ଙ୍ଗା ଓ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ। ଆହତ ଦୁଇ ପାଇଲଟଙ୍କ ସହିତ ଜଣେ ଯାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଓ ଅନ୍ୟମାନଙ୍କୁ ଜେପି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
୯ଟି ଆସନ ବିଶିଷ୍ଟ ଏହି ବିମାନଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା। ରାଉରକେଲାରେ ପହଞ୍ଚିବାକୁ ଆଉ ମାତ୍ର ୧୫ ମିନିଟ୍ ବାକି ଥିବା ବେଳେ ଜଲଦା ଏ ବ୍ଳକ ନିକଟରେ ଏକ ପଡ଼ିଆରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ କହିବା ଅନୁଯାୟୀ, ଏହା ଏକ ଫୋର୍ସ ଲ୍ୟାଣ୍ଡିଂ ଥିଲା। ଇଞ୍ଜିନ୍ରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ କରିଥିଲେ ପାଇଲଟ୍।
ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ଦୁର୍ଘଟଣାଗ୍ରସ୍ତ ବିମାନ ଭିତରୁ ବାହାର କରିଥିଲେ। ବିସ୍ଫୋରଣ ଓ ନିଆଁ ଲାଗିଯିବା ଆଶଙ୍କାକୁ ଖାତିର ନ କରି ସେମାନେ ଆହତଙ୍କୁ ବିମାନରୁ ବାହାର କରିଥିଲେ।
ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଜଣାପଡ଼ିନଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ଘଟଣାର ତଦନ୍ତ ହେବ।
ଅନ୍ୟପକ୍ଷରେ ଏହି ଦୁର୍ଘଟଣା ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ରାଉରକେଲା ବିମାନ ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ଏହି ବିମାନ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସମସ୍ତ ଯାତ୍ରୀମାନେ ସୁରକ୍ଷିତ ରହିବା ଆଶ୍ୱସ୍ତିର କଥା ବୋଲି ସେ କହିଛନ୍ତି। ସେହିପରି ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/10/plane-crash-2026-01-10-14-47-38.jpg)