ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟ ସଚିବ ଭାବେ ମହିଳା ଆଇଏଏସ୍ ଅବସ୍ଥାପିତ ହୋଇଛନ୍ତି । ୧୯୯୧ ବ୍ୟାଚ୍ ଆଇଏଏସ୍ ଅନୁ ଗର୍ଗ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ମୁଖିଆ (ମୁଖ୍ୟ ସଚିବ) ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇବାର ୨୪ଘଣ୍ଟା ନପୁରୁଣୁ ୧୫-ଦଫା ବିଶିଷ୍ଟ ଏକ ପ୍ରଶାସନିକ ସଂସ୍କାରର ତାଲିକା ଧରାଇଛନ୍ତି । ନୂଆ ବର୍ଷରୁ ସରକାରୀ କଳକୁ ଅଧିକ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ‘ମାଷ୍ଟର ପ୍ଲାନ୍' ବୋଲି କୁହାଯାଉଛି ।
ତେବେ ପ୍ରଶ୍ନ ଉଠୁଛି, ବର୍ଷବର୍ଷ ଧରି ଜଟିଳ ନାଲିଫିତା, ବାବୁରାଜ୍ ଓ ସ୍ଥାଣୁତା ମଧ୍ୟରେ ଫସି ରହିଥିବା ଓଡ଼ିଶା ପ୍ରଶାସନ କ’ଣ ଏହି ୧୫ଦଫା ନିର୍ଦ୍ଦେଶରେ ସୁଧୁରିଯିବ କି? ମୁଖ୍ୟମନ୍ତ୍ରୀଙ୍କ ଏହି ଆଭିମୁଖ୍ୟ କେବଳ ଏକ ରାଜନୈତିକ ସନ୍ଦେଶ ନା ପ୍ରଶାସନିକ ସ୍ୱଚ୍ଛତା ଆଣିବାର ଏକ ଦୃଢ଼ ସଙ୍କଳ୍ପ, ତାକୁ ନେଇ ଏବେ ସଚିବାଳୟରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି।
ପ୍ରଶାସନିକ ସ୍ଥାଣୁତା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ଲୁ-ପ୍ରିଣ୍ଟ, ଅନୁ ଗର୍ଗଙ୍କୁ ଦେଲେ ଟାସ୍କ
ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ସଚିବ ଅନୁ ଗର୍ଗ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଫିସରମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି । ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗଙ୍କ ଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ୧୫ଦଫା ନିର୍ଦ୍ଦେଶାବଳୀ ସମ୍ପର୍କରେ ସୂଚନା ଦିଆଯାଇଛି । ଯଦିଓ ଗଣମାଧ୍ୟମ ପାଇଁ ଉଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହ୍ୱାଟସ୍ ଗ୍ରୁପ୍ ‘ମହାନଦୀ’ରେ ଏନେଇ କୌଣସି ତଥ୍ୟ ଦିଆଯାଇନାହିଁ ।
ଶାସନ-ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ଚଳଚଞ୍ଚଳ କରିବା ପାଇଁ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ସଚିବ ଅନୁ ର୍ଗଗଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ୧୫ ଦଫା ନିର୍ଦ୍ଦେଶାବଳୀ ଦେଇଛନ୍ତି, ଯାହାକି ଓଡ଼ିଶାର ଭବିଷ୍ୟତ ବିକାଶର ଏକ ବ୍ଲୁ-ପ୍ରିଣ୍ଟ ବୋଲି କୁହାଯାଉଛି ।
ଏହି ଚିଠି ଲେଖି ମୋହନ ମାଝୀଙ୍କ ସରକାର ‘ଆକ୍ସନ ମୋଡ’ରେ ଥିବାର ସନ୍ଦେଶ ଦେଇଛନ୍ତି । ବିଶେଷକରି ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଡଲାରର ଅର୍ଥନୀତିରେ ପରିଣତ କରିବାର ଯେଉଁ ସ୍ୱପ୍ନ ଦେଖାଯାଇଛି, ତାହାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଜ୍ଞାନ-ପରିଚାଳିତ ଶିଳ୍ପ ଓ ସେବା କ୍ଷେତ୍ରକୁ ଯେଭଳି ଗୁରୁତ୍ୱ ଦେଇଛନ୍ତି, ତାହା ରାଜ୍ୟର ପାରମ୍ପରିକ ଖଣି-ଭିତ୍ତିକ ଅର୍ଥନୀତିରୁ ବାହାରି ଏକ ‘ମିଶ୍ରିତ ଅର୍ଥନୀତି’ ଆଡ଼କୁ ଅଗ୍ରସର ହେବାର ସଙ୍କେତ ଦେଉଛି ।
ଏହି ୧୫ଦଫା ନିର୍ଦ୍ଦେଶରେ ର୍ଦୁନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ସରକାର ଦକ୍ଷ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ୱ ଆରୋପ ଦେବାସହ ଦୁର୍ନୀତିଗ୍ରସ୍ତ, ଅପାରଗ ଓ ଦାୟିତ୍ୱହୀନ ଅଧିକାରୀ- କର୍ମଚାରୀଙ୍କୁ ସମ୍ବିଧାନର ୩୧୧ ଧାରା ଓ ଓଡିଶା ସର୍ଭିସେସ ରୁଲ ଅନୁଯାୟୀ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅପାରଗ ଓ ଦୁର୍ନୀତିଗ୍ରସ୍ତଙ୍କଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତ କରିବା, ଦୁଇ ବର୍ଷ ମଧ୍ୟରେ ସମସ୍ତ ଖାଲି ସରକାରୀ ପଦବୀ ପୂରଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହେଉଛି, ତାହା ହିଁ ପ୍ରକୃତ ଆହ୍ୱାନ ହେବ ।
ଓଡ଼ିଆ ଭାଷା ଓ ସାଧାରଣ ଜନତାଙ୍କ ଅଭିଯୋଗକୁ ସର୍ବୋଚ୍ଚ ପ୍ରାଥମିକତା
ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରିବା ଓ ଖିଲାପୀକାରୀଙ୍କ ବିରୁଦ୍ଧରେ କୈଫିୟତ ତଲବ ନିମନ୍ତେ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେବାର ଏକ ପ୍ରୟାସ ଭାବେ ଦେଖାଯାଉଛି । ସଚିବାଳୟ ଠାରୁ ବ୍ଲକସ୍ତର ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣିକୁ ତ୍ୱରାନ୍ୱିତ କରିବା ସହ ସୋସିଆଲ ମିଡିଆର ଉପଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ଅଧିକାରୀମାନଙ୍କୁ କ୍ଷେତ୍ର ପରିର୍ଦଶନ କରି ରିପୋର୍ଟ ଦେବା ପାଇଁ ବାଧ୍ୟ କରିବା ଦ୍ୱାରା କାଗଜପତ୍ରରେ ସୀମିତ ରହୁଥିବା ବିକାଶର ପ୍ରକୃତ ସ୍ଥିତି ପଦାକୁ ଆସିପାରିବ । ଅଫିସରମାନଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ପାଇଁ ଏହା ଉପଯୋଗ ହେବାର ଥିବାରୁ ସେମାନେ ଏହାକୁ ଫାଙ୍କିବା ମଧ୍ୟ ସହଜ ହେବନାହିଁ । ସେହିପରି ରାଜ୍ୟରେ ଶିଳ୍ପାୟନର ଦ୍ରୁତ ବିକାଶ ପାଇଁ ସବୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବାକୁ ଏହି ନିର୍ଦ୍ଦେଶାବଳୀରେ ଗୁରୁତ୍ୱ ଆରୋପ କରାଯାଇଛି ।
ଦକ୍ଷତା ପ୍ରମାଣ କରିବାର ସୁବର୍ଣ୍ଣ ସୁଯୋଗ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମଦିନରେ ନିଜର ୧୫ଦଫାର ନିର୍ଦ୍ଦେଶାବଳୀ ଦେଇ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଉପରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାର ଚାପ ସୃଷ୍ଟି କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ୧୫ଦଫା ସୂତ୍ର ଓ ଏଥିରେ ଓଡ଼ିଶାର ବିକାଶର ସ୍ୱପ୍ନ ରହିଥିବାରୁ ନିଜର ଦକ୍ଷତା ପ୍ରମାଣ କରିବା ପାଇଁ ଅନୁ ଗର୍ଗଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ମଧ୍ୟ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us