ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ତାଙ୍କର ଦୁଇ ଜଣ ସହପାଠୀ ଗୁଳି କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ହରିୟାଣାର ଗୁରୁଗ୍ରାମରେ ଘଟିଛି ଏହି ଘଟଣା।
ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ରବିବାର ଗିରଫ କରିଥିବା ବେଳେ ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଦୁଇ ମାସ ତଳେ ଅଭିଯୁକ୍ତ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ (ମୁଖ୍ୟ ଅଭିଯୁକ୍ତ) ସହିତ ପୀଡ଼ିତଙ୍କର କୌଣସି କଥାକୁ ନେଇ ପ୍ରବଳ ଝଗଡ଼ା ହୋଇଥିଲା। ସେହି କଥାକୁ ନେଇ ମୁଖ୍ୟ ଅଭିଯୁକ୍ତ ଖୁବ୍ ରାଗି ଯାଇଥିଲେ। ଗତକାଲି ସେ ଯୋଜନାବଦ୍ଧ ଭାବେ ପୀଡ଼ିତଙ୍କୁ ସାକ୍ଷାତ କରିବା ପାଇଁ ଫୋନ୍ କରିଥିଲେ। ପୀଡ଼ିତଙ୍କ ମା’ ତାଙ୍କୁ ନଯିବାକୁ କହିଥିଲେ। ପରେ ପୁଣି ରାଜି ହୋଇଥିଲେ ଓ ପୁଅକୁ ଯିବାକୁ ଦେଇଥିଲେ।
ପୀଡ଼ିତ ମୁଖ୍ୟ ଅଭିଯୁକ୍ତଙ୍କ ଆପାର୍ଟମେଣ୍ଟକୁ ଯାଇଥିଲେ। ସେ ସେଠାରେ ପହଞ୍ଚିଲା ବେଳକୁ ତାଙ୍କର ଆଉ ଜଣେ ସାଙ୍ଗ ମଧ୍ୟ ଉପସ୍ଥିତ ଥିବା ଦେଖିଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ ପୀଡ଼ିତଙ୍କୁ ଗୁଳି କରିଥିଲେ। ମୁଖ୍ୟ ଅଭିଯୁକ୍ତଙ୍କ ବାପା ଜଣେ ପ୍ରୋପର୍ଟୀ ଡିଲର। ତାଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକଟି ଘରେ ଥିଲା। ସେହି ବନ୍ଧୁକରେ ତାଙ୍କ ପୁଅ ଅର୍ଥାତ୍ ମୁଖ୍ୟ ଅଭିଯୁକ୍ତ ପୀଡ଼ିତଙ୍କୁ ଗୁଳି କରିଥିଲେ।
ପୁଲିସ ଘଟଣାସ୍ଥଳରୁ ଉକ୍ତ ବନ୍ଧୁକ, ଗୋଟିଏ ମାଗାଜିନ ଓ ୫ଟି ଜୀବନ୍ତ ଗୁଳି ଜବତ କରିଥିଲା। ଯାଞ୍ଚ ପରେ ସେହି ଘରେ ଥିବା ଏକ ବାକ୍ସରୁ ଆଉ ଗୋଟିଏ ମାଗାଜିନ ଓ ୬୫ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ପୀଡ଼ିତଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଥିଲା। ଫରେନସିକ୍ ଟିମ୍ ସହାୟତାରେ ପୁଲିସ ଘଟଣାସ୍ଥଳର ଯାଞ୍ଚ କରିଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।
ଏହି ଘଟଣା ପରେ ଗୁରୁଗ୍ରାମ ପୁଲିସ ପକ୍ଷରୁ ବନ୍ଧୁକ ରଖିବା ନେଇ ଲାଇସେନ୍ସ ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ, ଯେମିତି ଛୁଆମାନେ ସେଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/09/gun-2025-11-09-17-54-25.jpg)