ମହିଳାଙ୍କୁ ସଶକ୍ତ କରାଉଛି ‘ସ୍ୱଚ୍ଛ ଓଡ଼ିଶା, ସ୍ୱଚ୍ଛ ସହର’

ଯାଜପୁର(ଅଭୟ ପତି): ସ୍ୱଚ୍ଛ ଓଡ଼ିଶା, ସ୍ୱଚ୍ଛ ସହର । ସ୍ୱଚ୍ଛତା ଦିଗରେ ଆଉ ପାଦେ ଆଗେଇଛି ଯାଜପୁର ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର । ସହର ପରିମଳ ବ୍ୟବସ୍ଥା ସଜାଡିବା ଲାଗି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପୌର ପରିଷଦ । ପ୍ରଥମ କରି ସହରରେ ଅଳିଆ ଆବର୍ଜନା ଉଠାଇବା ପାଇଁ ଗଡିଛି ବ୍ୟାଟେରୀ ଚାଳିତ ଗାଡି । ଆଉ ଏହି ଗାଡି ଚଳାଉଛନ୍ତି ମହିଳା । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ […]

clean-odisha,-clean-jajpur

Jitendra Garnayak
  • Published: Tuesday, 24 November 2020
  • , Updated: 24 November 2020, 11:10 AM IST

ଯାଜପୁର(ଅଭୟ ପତି): ସ୍ୱଚ୍ଛ ଓଡ଼ିଶା, ସ୍ୱଚ୍ଛ ସହର । ସ୍ୱଚ୍ଛତା ଦିଗରେ ଆଉ ପାଦେ ଆଗେଇଛି ଯାଜପୁର ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର । ସହର ପରିମଳ ବ୍ୟବସ୍ଥା ସଜାଡିବା ଲାଗି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପୌର ପରିଷଦ । ପ୍ରଥମ କରି ସହରରେ ଅଳିଆ ଆବର୍ଜନା ଉଠାଇବା ପାଇଁ ଗଡିଛି ବ୍ୟାଟେରୀ ଚାଳିତ ଗାଡି । ଆଉ ଏହି ଗାଡି ଚଳାଉଛନ୍ତି ମହିଳା ।

ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଚୟନ କରାଯାଇ ପ୍ରଥମେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣ ସରିବା ପରେ ସେମାନଙ୍କୁ ଏଥିରେ ନିଯୁକ୍ତି ଦିଆଯାଇଛି । ପ୍ରତିଦିନ ସକାଳୁ ପ୍ରଶିକ୍ଷିତ ମହିଳାମାନେ ବ୍ୟାଟେରୀ ଚାଳିତ ଗାଡ଼ି ନେଇ ବିଭିନ୍ନ ୱାର୍ଡ଼କୁ ଯାଇ ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି । ଶୁଖିଲା ଓ ଓଦା ଆବର୍ଜନା ସଂଗ୍ରହ ପାଇଁ ଉକ୍ତ ଗାଡ଼ିରେ ଅଲଗା ଅଲଗା ବ୍ୟବସ୍ଥା ରହିଛି । ଚାଳକଙ୍କ ସହ ସ୍ୱଚ୍ଛ ସାଥୀର ଜଣେ ସଦସ୍ୟା ଯାଇ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ମହିଳାମାନେ କହିଛନ୍ତି, “ଆମେ ଘରେ ବସିଥିଲୁ । ସରକାରଙ୍କ ଏହି ଯୋଜନା ଲାଗି ଦୁଇ ପଇସା ରୋଜଗାର ମିଳିଲା । ଆମେ ନିଜେ ସ୍ୱାବଲମ୍ବୀ ହୋଇପାରିଲୁ ।  ଏଥିପାଇଁ ଆମେ ବେଶ୍ ଖୁସି ।”

ସେପଟେ ପୌର ପ୍ରଶାସନର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି । ପୂର୍ବରୁ ଘର ବାହାରେ ଅଳିଆ ଆବର୍ଜନା ପଡିରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ପ୍ରଦ୍ୟୁଷଣ ବଢୁଥିଲା । ହେଲେ ଏବେ ପ୍ରତିଦିନ ଗାଡ଼ି ଆସି ଘରୁ ଆବର୍ଜନା ସଂଗ୍ରହ କରି ନେଉଥିବାରୁ ପୌର ସଂସ୍ଥା ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୌରବାସିନ୍ଦା ।

ଏଥିପାଇଁ ୨୧ଟି ବ୍ୟାଟେରୀ ଚାଳିତ ଗାଡିକୁ ଆବର୍ଜନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି । ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ ସହରାଞ୍ଚଳରେ ମନୁଷ୍ୟକୃତ ପ୍ରଦୂଷଣର ମାତ୍ରା କମ୍ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଆଗାମୀ ଦିନରେ ସହରର ପରିମଳ ବ୍ୟବସ୍ଥା ଓ ସହରକୁ ଅଧିକରୁ ଅଧିକ ସ୍ୱଚ୍ଛତା ରଖା ଯାଇପାରିବ ବୋଲି ଆଶା ରଖିଛନ୍ତି ସହରବାସୀ।

Related story