BJD
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆମେ ନୂଆ ସମ୍ପର୍କ ଗଢ଼ିବାକୁ ଚାହୁଁ । ଆପଣ ସମସ୍ତଙ୍କ ସହ ପୁରୁଣା ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ମଧ୍ୟ ଚାହୁଁଛୁ । ଆପଣମାନେ ସମସ୍ତେ ଓଡ଼ିଶାର ଅଦଭୂତପୂର୍ବ ବିକାଶ ଗାଥାରେ ଭାଗିଦାରୀ ହୁଅନ୍ତୁ ବୋଲି ଆମେ ଚାହୁଁ । ଆଉ ଏସବୁ ସୁନିଶ୍ଚିତ କରିବାକୁ ହେଲେ ଆପଣମାନଙ୍କ ସମର୍ଥନ ଓ ସହଯୋଗର ଆବଶ୍ୟକତା ଜରୁରୀ ।” ଦିଲ୍ଲୀ,ମୁମ୍ବାଇ,ବାଙ୍ଗାଲୁରୁ ପରେ ଆଜି ହାଇଦ୍ରାବାଦରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିବା ସହ ନଭେମ୍ବର ୩୦ରୁ ଆରମ୍ଭ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’କୁ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।
ଫିକ୍କି ସହଯୋଗରେ ହାଇଦ୍ରାବାଦର ତାଜ୍ କ୍ରିଷ୍ଣା ହୋଟେଲରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତବର୍ଷର ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଭବ୍ୟ ଆୟୋଜନ ଓ ଏହାର ଶାନଦାର ସଫଳତା ଆମେ ଚାହୁଁଛୁ । ଏହି ନିବେଶକ ସମ୍ମିଳନୀରେ ପ୍ରାୟ ୩୫୦ଜଣ ପ୍ରତିନିଧି(ନିବେଶକ, କମ୍ପାନୀର ବରିଷ୍ଠ ଅଧିକାରୀ, ଶିଳ୍ପଦ୍ୟୋଗୀ)ଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଓ ଦର୍ଶନରେ ପ୍ରେରିତ ହୋଇ ଯେମିତି ଶିଳ୍ପାୟନର ଏକ ନୂଆ ଯୁଗରେ ପ୍ରବେଶ କରିଛୁ ଠିକ୍ ସେମିତି ଲୋକଙ୍କ ନିରନ୍ତର ବିକାଶ ସୁନିଶ୍ଚିତ କରିବା ନିମନ୍ତେ ଆମକୁ ସରକାର ଓ ଉଦ୍ୟୋଗ ମଧ୍ୟରେ ଏକ ସହଯୋଗମୂଳକ ପ୍ରୟାସର ଆବଶ୍ୟକତା ରହିଛି ।
ଓଡ଼ିଶା ଦେଶରେ ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥା ମଧରୁ ଗୋଟିଏ । ଗତ ଦେଢ଼ ଦଶନ୍ଧିରେ ଜାତୀୟ ହାରଠୁ ଅଭିବୃଦ୍ଧି ଅଧିକ ରହିଛି । ଆମେ ନିଜର ପ୍ରାକୃତିକ ସମ୍ବଳର ଫାଇଦା ଓ ରଣନୀତିକ ସ୍ଥିତି ଯୋଗୁ ଭାରତରେ ଏକ ପ୍ରମୁଖ ଉଦ୍ୟୋଗିକ ଲକ୍ଷ୍ୟସ୍ଥଳ ଭାବେ ଦ୍ରୁତ ଗତିରେ ଉଭା ହେଉଛି । ଓଡ଼ିଶାରେ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ, କୁଶଳୀ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଓ ଦୃଢ଼ ଫଳାଫଳକେନ୍ଦ୍ରିତ ଶାସନ ଥିବାରୁ ଏହା ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରୁଛି । ଏବେ ନିର୍ମାଣ କ୍ଷେତ୍ରର ନିବେଶ ମାମଲାରେ ଓଡ଼ିଶା ଦେଶର ଶୀର୍ଷ ରାଜ୍ୟ ଭାବେ ପରିଗଣିତ ହେଉଛି । ସେ ଓଡ଼ିଶାର ରୂପାନ୍ତରୀକରଣ ପ୍ରକ୍ରିୟାରେ ସାମିଲ ହେବାକୁ ସେ ନିବେଶକମାନଙ୍କୁ ଆହ୍ୱାନ କରିବା ସହ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ପୁଣିଥରେ ଅନୁରୋଧ କରିଥିଲେ ।ମୁଖ୍ୟମନ୍ତ୍ରୀ ଏହା ପୂର୍ବରୁ ୪୦ଟି କମ୍ପାନୀର ଶୀର୍ଷ ଅଧିକାରୀ ଓ ନିବେଶକଙ୍କ ସହ ୱାନଟୁୱାନ୍ ଆଲୋଚନା କରି ସେମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଯେଉଁ କମ୍ପାନୀଗୁଡ଼ିକ ସହ ଆଜି ଦିନତମାମ ଆଲୋଚନା କରିଥିଲେ,ସେଗୁଡ଼ିକ ହେଲା- ମାଇକ୍ରୋସଫ୍ଟ ଇଣ୍ଡିଆ, ଶିରିଡ଼ି ସାଇ ଇଲେକ୍ଟ୍ରିକାଲସ, ଭାରତ ବାୟୋଟେକ୍, ଡେଲଇଟି, ତୋଷାଳୀ ସମେଂଟ୍, ବିଜୟନଗର ବାୟୋଟେକ, ଦିବ୍ୟଶକ୍ତି ଇଣ୍ଡିଆ, ରାମକୀ ଗ୍ରୁପ୍ , ଆକ୍ସିସ୍ ଏନର୍ଜି ଗ୍ରୁପ, ମହା ସିମେଂଟ୍, ସାଗର ସିମେଂଟ, ଓରାକଲ, ସ୍କଲାର ଗ୍ରୁପ୍ ଆପୋଲୋ ସ୍ପେଶାଲିଷ୍ଟ ହସ୍ପିଟାଲ, କିମସ, ମନଜିରା ଗ୍ରୁପ୍ ଆଦି ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋଚନା କରି ସେମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।
ସନ୍ଧ୍ୟାରେ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ, ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/BJD-5.jpg)