Advertisment

ନିଜ ସରକାରର ଗୁଣ ଗାଇଲେ, କେନ୍ଦ୍ର ସରକାରଙ୍କ ଦୋଷ କାଢ଼ିଲେ

ବରଗଡ଼ (ଓଡ଼ିଶା ରିପୋର୍ଟର): ଆଜି ହାଇଭୋଲଟେଜ କ୍ୟାମ୍ପେନରେ କମ୍ପିଛି ପଦ୍ମପୁର। ଝାରବନ୍ଧରେ ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ତାଙ୍କର ଏକ ଝଲକ ପାଇବାକୁ ପ୍ରବଳ ଜନସମାଗମ ହୋଇଥିଲା। ନିର୍ଦ୍ଧାରିତ ସମୟରୁ ସାମାନ୍ୟ ବିଳମ୍ବରେ ଝାରବନ୍ଧରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ହେଲିପ୍ୟାଡରୁ ଓହ୍ଲାଇବା ପରେ ପାରମ୍ପରିକ ନୃତ୍ୟ ଗୀତରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ […]

author-image
Niharika Rout
ଅଦ୍ୟତନ ହୋଇଛି
ନିଜ ସରକାରର ଗୁଣ ଗାଇଲେ, କେନ୍ଦ୍ର ସରକାରଙ୍କ ଦୋଷ କାଢ଼ିଲେ

cm

ବରଗଡ଼ (ଓଡ଼ିଶା ରିପୋର୍ଟର): ଆଜି ହାଇଭୋଲଟେଜ କ୍ୟାମ୍ପେନରେ କମ୍ପିଛି ପଦ୍ମପୁର। ଝାରବନ୍ଧରେ ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ତାଙ୍କର ଏକ ଝଲକ ପାଇବାକୁ ପ୍ରବଳ ଜନସମାଗମ ହୋଇଥିଲା।

Advertisment

ନିର୍ଦ୍ଧାରିତ ସମୟରୁ ସାମାନ୍ୟ ବିଳମ୍ବରେ ଝାରବନ୍ଧରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ହେଲିପ୍ୟାଡରୁ ଓହ୍ଲାଇବା ପରେ ପାରମ୍ପରିକ ନୃତ୍ୟ ଗୀତରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ ମଞ୍ଚ ଉପରକୁ ପାଛୋଟି ନିଆଯାଇଥିଲା। ତାଙ୍କ ସହ ମଞ୍ଚରେ ବିଜେଡିର ପଦ୍ମପୁର ପ୍ରାର୍ଥୀ ବର୍ଷା ସିଂ ବରିହା, ଭଟଲି ବିଧାୟକ ସୁଶାନ୍ତ ସିଂ, ପୁଷ୍ପେନ୍ଦ୍ର ସିଂଦେଓ ଓ ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ରାଜ୍ୟବାସୀଙ୍କ ପାଇଁ ଥିବା ନିଜ ଯୋଜନାଗୁଡ଼ିକ ବିଷୟରେ କହିଥିବା ବେଳେ କେନ୍ଦ୍ରର ଅବହେଳାକୁ ସିଧାସଳଖ ଟାର୍ଗେଟ କରିବାକୁ ପଛାଇ ନ ଥିଲେ। ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ବର୍ଷାଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ମଞ୍ଚରେ କମ୍‌ କହିଥିଲେ ଓ ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓରେ ଅଧିକ କହିଥିଲେ। ଏହି ଭିଡିଓ ବାର୍ତ୍ତାରେ ସେ ନିଜ ସରକାରର ଗୁଣଗାନ କରିଥିଲେ।

Advertisment

ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ, ମା’ମାନଙ୍କ ଉନ୍ନତି ପାଇଁ ଓଡ଼ିଶା ସବୁଠାରୁ ଭଲ କାମ କରୁଛି। ମା’ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ । ମୁଁ ସବୁବେଳେ ଗରିବଙ୍କ ହକ୍‌ ପାଇଁ ଲଢ଼ୁଛି । ଆପଣଙ୍କ ସୁଖଦୁଃଖରେ ଛିଡ଼ା ହୋଇଛି। ଚାଷୀଙ୍କ ହକ୍‌ ପାଇଁ, କଲ୍ୟାଣ ପାଇଁ ଲଢ଼ୁଛି ।  ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ। ଆପଣମାନଙ୍କ ସବୁ ଦାବି ସାକାର ହେବ ।

ସେ କହିଥିଲେ, କେନ୍ଦୁପତ୍ର ବୋନସ ଦେବାରେ ଆମ ରାଜ୍ୟ ସାରା ଭାରତରେ ପ୍ରଥମ । ନିକଟରେ ବୋନସ ଦିଆଯାଇଥିବା ବେଳେ ଆଗକୁ ବି ଦିଆଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବଙ୍କୁ ସାମିଲ କରାଯିବା ସହ ପିଲାଙ୍କ ପାଠପଢ଼ା ପାଇଁ ସୁବିଧା କରାଯିବ। ଦୁଃଖର କଥା, ବିଜେପି କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି ଲଗାଇଛି। ହେଲେ ସୁନା ଉପରେ ୩% ଜିଏସ୍‌ଟି ଲାଗୁ କରାଯାଉଛି। ଏହାବାଦ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏହି ଅନ୍ୟାୟ ଉପରେ ସେମାନେ କେବେ ମୁହଁ ଖୋଲିବେ ନାହିଁ। ହେଲେ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଲଢ଼ିବି।  ନିରୀହ କେନ୍ଦୁପତ୍ର ତୋଳାଳୀ  ୧୮% ଜିଏସ୍‌ଟି କିପରି ଦେବ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ କହିଥିଲେ, ଚାଷୀଙ୍କ ସୁବିଧା ପାଇଁ ବୀମା ଅଛି। ୨୦୨୨ ସୁଦ୍ଧା ସମସ୍ତେ ଘର ପାଇବେ। ଓଡ଼ିଶା ପ୍ରତି ବର୍ଷ ପ୍ରାୟ ୫ ଲକ୍ଷରୁ ଅଧିକ ଘର ଉପଯୁକ୍ତ ହିତାଧିକାରୀଙ୍କୁ ଯୋଗାଇ ଆସିଛି । ଭାରତ ସରକାରଙ୍କଠାରୁ ପୁରସ୍କାର ବି ପାଇଛି। ରାଜନୀତିକ ଉଦ୍ଦେଶ୍ୟ ରଖି ଗରିବ ଲୋକଙ୍କୁ ହଇରାଣ କରାଯାଉଛି। ହେଲେ ଆପଣଙ୍କ ହକ୍‌ ପାଇଁ ମୁଁ ଲଢ଼ିବି। କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ଆବାସ ଯୋଜନା ବନ୍ଦ କଲେ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଯୋଗାଇ ଦେବେ।

ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ଓଡ଼ିଶା ପ୍ରଥମ । ଏଠାରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି।  ସେମାନଙ୍କ ଉଚ୍ଚ ଶିକ୍ଷା ଖର୍ଚ୍ଚ ବି ରାଜ୍ୟ ସରକାର ବହଦ କରୁଛନ୍ତି। ଭାରତ ସରକାର ଏସ୍‌ଟି ସ୍କଲାରସିପ୍‌ ଦେବାରେ ଅବହେଳା କରୁଛନ୍ତି। ପ୍ରି-ମାଟ୍ରିକ ସ୍କଲାରସିପ୍‌ ଦେଇନାହାନ୍ତି। ଓଡ଼ିଶାର ୧୬୦ ସମ୍ପ୍ରଦାୟକୁ ଏସ୍‌ଟି ଗ୍ରୁପରେ ସାମିଲ କରିବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। କିନ୍ତୁ କେନ୍ଦ୍ର ଏହାକୁ ବର୍ଷ ବର୍ଷ ଧରି ଅବହେଳା କରୁଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରେଳ ଲାଇନ୍‌କୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କିଛି ଦିନ ପୂର୍ବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି କେନ୍ଦ୍ର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ, ୨୦୧୮ରେ ବିଜେପୁର ଉପନିର୍ବାଚନ ବେଳେ ଜଣେ କେନ୍ଦ୍ର ମନ୍ତ୍ରୀ କହିଲେ ବରଗଡ଼ରୁ ପଦ୍ମପୁର ଦେଇ ଟ୍ରେନ ନୂଆପଡ଼ା ଯିବ। ହେଲେ ଏବେ ୨୦୨୨ରେ ରେଳ ମନ୍ତ୍ରୀ କହୁଛନ୍ତି, ଓଡ଼ିଶା ସରକାର ଜମି ଦେଲେ କାମ ଆରମ୍ଭ କରିବୁ।

ଏହି ରେଲୱେ ଲାଇନ କେଉଁ ଗାଁ ଦେଇ ଯିବ, ଷ୍ଟେଶନ କେଉଁଠି ହେବ, ବ୍ରିଜ କେଉଁଠି ହେବ- ଠିକ୍‌ କରି ସାରିଛନ୍ତି କି? ରେଳ ଲାଇନ୍‌ ବିଛାଇବା ପାଇଁ କେଉଁ ଗାଁରେ କେତେ ଜମି ଦରକାର, ସର୍ଭେ କରିଛନ୍ତି କି?  ରାଜ୍ୟ ସରକାରଙ୍କ ପାଖରେ ଜମି ଅଧିଗ୍ରହଣ ପାଇଁ ଆବେଦନ କରିଛନ୍ତି  କି ? ଆପଣଙ୍କ ପାଖରେ ଉତ୍ତର ନାହିଁ। ପଦ୍ମପୁରବାସୀ ତଥା ରାଜ୍ୟବାସୀଙ୍କୁ ଭୂଆଁ ବୁଲାନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ଏଥିସହ ସେ କହିଥିଲେ,  ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସହ ଅଛି। ଏଠାରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି।  ରାଜ୍ୟ ସରକାର ମିଶନ ଶକ୍ତି ପାଇଁ ବିନା ସୁଧରେ ୫ ଲକ୍ଷ ଋଣ ଦିଆଯାଉଛି। ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି।

ଯାହା ପ୍ରତିଶ୍ରୁତି ଦେଇଛି ୨୦୨୪ ନିର୍ବାଚନ ପୂର୍ବରୁ ତାହା ପୂରଣ କରିବେ ବୋଲି ଆଶ୍ୱାସନା ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୋଶାଲ ମିଡିଆରେ ବିଜେଡି ପ୍ରାର୍ଥୀଙ୍କୁ ବିଜେପି ନେତାମାନେ ଅସମ୍ମାନ କରୁଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ଦୃଢ ନିନ୍ଦା କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ଅଭିଭାଷଣ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇଥିଲେ ପଦ୍ମପୁରର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ନିଜ ଅଭିଭାଷଣରେ ସେ କହିଥିଲେ, ଆଜି ବାପା ଥିଲେ, ଏତେ ଲୋକଙ୍କ ଗହଳିରେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୋତେ ଦେଖି ଖୁବ୍‌ ଖୁସି ହୋଇଥାନ୍ତେ। ମୋତେ ଆର୍ଶୀବାଦ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆସିଛନ୍ତି। ଆପଣମାନେ ଏବେ ମୋ’ ପରିବାର। ବାପା ଯିବା ପରେ ତାଙ୍କ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମୋତେ ଦେଇଛନ୍ତି। ମୁଁ ଯେଉଁ ଯେଉଁ ଗାଁକୁ ଯାଇଛି ସେଠାରେ ମୋ’ ବାପାଙ୍କ ସ୍ମୃତି ପାଇଛି। ମୁଁ ଆପଣମାନଙ୍କ ମାଟିର  ଝିଅ । ରାଜନୀତିରେ ମହିଳାମାନଙ୍କୁ ଅପମାନ ଦିଆଯିବା ଘଟଣାକୁ ଦୃଢ ନିନ୍ଦା କରୁଛି। ଜୀବନ ଥିବା ଯାଏ ଆପଣମାନଙ୍କ ସେବା କରିବି ।

BjD PadampurBypoll