Collector Conference
ରାଜ୍ୟ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜିଲ୍ଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି । ଲୋକଙ୍କ ପ୍ରଶାସକ ହେବାର ଫର୍ମୂଲା ଦେବା ସହ ଦୁର୍ନୀତି ଓ ମାଫିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଅଫିସଗୁଡ଼ିକୁ ଦଲାଲମୁକ୍ତ କରିବା ଓ ରାଜସ୍ୱ ବିଭାଗରେ ବ୍ୟାପକ ସଂସ୍କାର ଉପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱ ଦେଇଥିବାବେଳେ ସାମନ୍ତବାଦୀ ଚିନ୍ତାଧାରାରେ ପରିବର୍ତ୍ତନ ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜା ଆହ୍ୱାନ ଦେଇଛନ୍ତି । ଆଜିଠୁ ଭୁବନେଶ୍ୱରର ଲୋକସେବା ଭବନର କନଭେନସନ୍ ହଲଠାରେ ଦୁଇଦିନିଆ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀ ଆରମ୍ଭ ହୋଇଛି ।
ମୁଖ୍ୟମନ୍ତ୍ରୀ ଦେଲେ ୯ଟି ଟାସ୍କ: ଦୁର୍ନୀତି ହଟାଅ, ଲୋକଙ୍କ ପ୍ରଶାସକ ହୁଅ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ସମ୍ବୋଧିତ କରି ସାଧାରଣ ଲୋକଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଓ ଉତ୍ତରଦାୟୀ ରହିବା ସହ ସେମାନଙ୍କର ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣି ତା’ର ସମାଧାନ କରିବା ହିଁ ସୁଶାସନର ମୂଳଦୁଆ ବୋଲି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ ଜିଲ୍ଲାପାଳମାନଙ୍କୁ ୯ଟି ଟାସ୍କ ଦେଇ ଦୁର୍ନୀତି ହଟାଇ ସାଧୁତା ବଜାୟ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
୧. ଦୁର୍ନୀତି ହଟାଅ, ସାଧୁତା ବଜାୟ ରଖ: ପ୍ରଶାସନିକ ସ୍ତରରେ ସଚ୍ଚୋଟତା ଓ ସାଧୁତା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା ସହ ଦୁର୍ନୀତିରେ ସରକାର ବଦନାମ ହେଲେ ତାହା ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
୨-ଅଧିକ କ୍ଷେତ୍ର ପରିଦର୍ଶନ: ଜିଲ୍ଲାପାଳମାନେ ଅଧିକରୁ ଅଧିକଥର ଫିଲ୍ଡ ଭିଜିଟ୍ କରିବାକୁ କହିଛନ୍ତି । ଯେତେ ଅଧିକ ଦୃଶ୍ୟମାନ ହେବେ ଫିଲଡରେ କାର୍ଯ୍ୟ ସେତେ ସହଜ ହେବ ।
୩. ଟେକ୍ନୋଲୋଜିର ବ୍ୟବହାର: ଶାସନ ଓ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର କରି ରିୟଲ ଟାଇମ ଡାଟା ମାଧ୍ୟମରେ ସମସ୍ୟାର ସମାଧାନ କରିବା ।
୪. ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ: ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣାଣିକୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କସ୍ତରରେ ଜନଶୁଣାଣି ପରେ ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆସ୍ଥା ବଢ଼ିଛି ।
୫. ଓଡ଼ିଆ ଅସ୍ମିତା ଓ ଭାଷାର ସୁରକ୍ଷା: ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବା ସହ ସରକାରୀ ନୋଟିସ ଓ ବିଜ୍ଞାପନଗୁଡ଼ିକୁ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ କହିଛନ୍ତି ।
୬. ସୋସିଆଲ ମିଡିଆ ମାଧ୍ୟମରେ ସୂଚନା: ସୋସିଆଲ ମିଡିଆ ଜରିଆରେ ସରକାରୀ ସୂଚନାକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରିବା ।
୭. ଆଉଟସୋର୍ସିଂ କମାଅ: ରାଜ୍ୟ ଓ ଜିଲ୍ଲା ସ୍ତରରେ କର୍ମଚାରୀମାନଙ୍କ ଆଉଟସୋର୍ସିଂ କରିବାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରି ଏହାକୁ ହ୍ରାସ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।କରାଯାଉଥିବା ଅଭ୍ୟାସକୁ ସମୀକ୍ଷା କରି ଏହାକୁ ହ୍ରାସ କରିବା ।
୮. ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ: ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ କହିଛନ୍ତି । ଏପରିକି ୱାର୍ଡମେମ୍ବରକୁ ମଧ୍ୟ ବିଧାୟକଙ୍କ ଭଳି ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି । ସେ ତାଙ୍କ ସହ ପୁଲିସ ଆଇଆଇସି ଓ ଜିଲ୍ଲାପାଳ କରିଥିବା ର୍ଦୁବ୍ୟବହାର କଥାର ଉଦାହରଣ ଦେଇ ଯେକୌଣସି ଦଳର ନିର୍ବାଚିତ ପ୍ରତିନିଧି ଆସିଲେ ସେମାନଙ୍କ କଥା ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୯. ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କର: ବିଭିନ୍ନ କାର୍ଯ୍ୟାଳୟରେ ୧୫-୨୦ବର୍ଷ ଧରି ଗୋଟିଏ ସିଟରେ ଗାଦି ମାଡ଼ି ବସି ରହିଥିବା କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହିତ ବାଲି ମାଫିଆ ଏବଂ ଚୋରା ମଦ କାରବାରକୁ ରୋକିବା ପାଇଁ ଡ୍ରୋନ ସହାୟତାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । କୌଣସି ରାଜନୈତିକ ଚାପରେ ନପଡ଼ି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ଅଧିକାରୀମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ଓ ଯଦି ଚୋରା ମଦ କାରବାର ପାଇଁ କୌଣସି ଅଘଟଣ ହୁଏ,ତେବେ ସଂପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି କହିବା ସହ ସରକାର ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।
ଦଲାଲମୁକ୍ତ ପ୍ରଶାସନ ଓ ୬ ମାସରେ ସବୁ କେସର ସମାଧାନ : ରାଜସ୍ୱ ମନ୍ତ୍ରୀ
ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କ୍ଷୋଭ ପ୍ରକାଶ କରିବା ସହ ସରକାରୀ ଅଫିସଗୁଡ଼ିକ ଦଲାଲମୁକ୍ତ ହେବା ଦରକାର ଓ ‘ମିଡିଲ୍ ମ୍ୟାନ୍ ସିଷ୍ଟମ୍' ହଟିବା ଆବଶ୍ୟକ ବୋଲି କହିଛନ୍ତି । ଭିଜିଲାନ୍ସ ରେଡ୍ , ମୃତ ଲୋକ ଜୀବିତ ହେବା ଏବଂ ଅନ୍ୟ ଲୋକଙ୍କୁ ଠିଆ କରାଇ ଜମି ପଞ୍ଜିକରଣ ହେବା ଭଳି ଘଟଣା ଉପରେ ସେ ଉଦବେଗ ପ୍ରକାଶ କରିଛନ୍ତି । ଆଖି କାନ ଖୋଲା ରଖି ନାକ ତଳେ କ'ଣ ହେଉଛି ତା\'ର ଖବର ରଖିବାକୁ ଏବଂ ଭିଜିଲାନ୍ସ ଧରିବା ପୂର୍ବରୁ ନିଜେ ଦୁର୍ନୀତିକୁ ଧରିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି । ରାଜସ୍ୱ ବିଭାଗରେ ବ୍ୟାପକ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖି ସେ କହିଛନ୍ତି ଯେ, ଆଗାମୀ ୬ ମାସ ଭିତରେ ରାଜସ୍ୱ ବିଭାଗରେ ପଡ଼ିଥିବା ସବୁ କେସ୍ ସମାଧାନ ହେବ । ଏହାସହ ୫ବର୍ଷ ସୁଦ୍ଧା ଓଡ଼ିଶାରେ ଭୂମିହୀନ କେହି ରହିବେ ନାହିଁ ଓ ଲୋକଟିଏ ଜମି ପାଇଁ ପ୍ରଶାସନ ପାଖକୁ ନଆସି ଆମେ ସର୍ଭେ କରି ସେମାନଙ୍କୁ ସେବା ଯୋଗାଇ ଦେବାର ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ସାମନ୍ତବାଦୀ ଚିନ୍ତାଧାରା ଛାଡ଼, ଲୋକଙ୍କୁ ସମ୍ମାନ ଦିଅ: ମୁଖ୍ୟ ସଚିବ
ଜିଲ୍ଲାପାଳ ଓ ଅଫିସରମାନଙ୍କୁ ‘ସାମନ୍ତବାଦ ଚିନ୍ତାଧାରା' ବା କଲୋନିଆଲ ମାଇଣ୍ଡ ସେଟରେ ପରିବର୍ତ୍ତନ କରିବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ଆହ୍ୱାନ ଦେଇଛନ୍ତି । ସରକାରୀ ଅଫିସକୁ ଆସୁଥିବା ଲୋକମାନଙ୍କୁ ସମ୍ମାନ ଦେବା ଉପରେ ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଅଧିକ ଫିଲ୍ଡ ଭିଜିଟ୍ କରିବା ଏବଂ ଅଧିକ ଲୋକଙ୍କ ସହ ମିଶିବା ଆବଶ୍ୟକ । ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ କାମ ବିଳମ୍ବ ହେବା ଉପରେ ସେ କ୍ଷୋଭ ପ୍ରକାଶ କରିବା ସହ ଶିଳ୍ପ ପାଇଁ ଜମି ଏବଂ ଜଙ୍ଗଲ କ୍ଲିୟରାନ୍ସ ଦେବାରେ ସମୟ ଅପଚୟ ଗ୍ରହଣୀୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନିକ କଳ ଆହୁରି ଭଲ ହୋଇପାରିବ ଏବଂ ସବୁ କାମ ‘ଆଉଟଷ୍ଟାଣ୍ଡିଂ’ ହେବା ଦରକାର ବୋଲି ଶ୍ରୀ ଆହୁଜା କହିଛନ୍ତି ।
ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us