Advertisment

Collector Conference : ପୁଲିସ ଏସପିଙ୍କୁ ୮ଟି ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ, ଚାପମୁକ୍ତ ହୋଇ ଅପରାଧୀଙ୍କୁ ଖୋଜ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାପାଳ ଓ ଏସପିମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ଗୋଟିଏ ଟିମ୍ ଭାବରେ କାମ କରିବା ଉଚିତ୍। ବିକାଶ ଓ ସୁରକ୍ଷା ଯେପରି ଏକାଠି ହୋଇପାରିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ।

author-image
Prakash Sethi
Collectors-conference--seco

Second Day of the Collector Conferences

ଲୋକଙ୍କ ପ୍ରଶାସକ ହେବାପାଇଁ ଜିଲ୍ଲାପାଳମାନଙ୍କୁ ୯ଟି ଟାସ୍କ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜିଲ୍ଲା ପୁଲିସ ଏସପିମାନଙ୍କୁ ୮ଟି ଟାସ୍କ ଦେଇଛନ୍ତି । ସେବା ସହ ସୁରକ୍ଷା ଓ ସାହାଯ୍ୟ ଓଡ଼ିଶା ପୁଲିସର ମୁଖ୍ୟ କାର୍ଯ୍ୟ ହେଉ ଏବଂ କୌଣସି ପ୍ରକାରର ଚାପର ବଶବର୍ତ୍ତୀ ନହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀଙ୍କୁ ଖୋଜି ଦଣ୍ଡିତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।  ଲୋକସେବା ଭବନର କନଭେନସନ ସେଂଟରଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଜିଲ୍ଲାପାଳ ଓ ପୁଲିସ ଏସପି ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ସମ୍ମିଳନୀ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି ।

Advertisment


ସମନ୍ୱୟ ରଖି କାମ କରନ୍ତୁ ଜିଲ୍ଲାପାଳ ଓ ଏସପି 

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣକୁ ତାଙ୍କ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ସ୍ପଷ୍ଟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାପାଳ ଓ ଏସପିମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ଗୋଟିଏ ଟିମ୍ ଭାବରେ କାମ କରିବା ଉଚିତ୍ । ବିକାଶ ଓ ସୁରକ୍ଷା ଯେପରି ଏକାଠି ହୋଇପାରିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ନିରୀହ ଜନସାଧାରଣ ଯେପରି ଅଯଥାରେ ହଇରାଣ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । ପୁଲିସ ସାଧାରଣ ଲୋକଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦଶର୍ନ କରୁ । ସେବା ସହିତ ସୁରକ୍ଷା ଓ ସାହାଯ୍ୟ ହେଉଛି ଓଡ଼ିଶା ପୁଲିସର ମୁଖ୍ୟ କାର୍ଯ୍ୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଥିଲେ ।

ଜିଲ୍ଲା ପୁଲିସ୍ ଏସପିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୮ଟି ଟାସ୍କ

ସମ୍ମିଳନୀର ଶେଷଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲା ପୁଲିସ ଏସପିମାନଙ୍କୁ ୮ଟି ଟାସ୍କ ପ୍ରଦାନ କରିଛନ୍ତି । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସେଗୁଡ଼ିକ ହେଲା,  ଦଣ୍ଡବିଧାନ ହାର ବୃଦ୍ଧି ପାଇଁ ରଣନୀତି ପ୍ରସ୍ତୁତ କରିବା, ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରି ପଞ୍ଜିକୃତ କରିବା, ଏସପିମାନେ  ନିୟମିତ ଥାନା ଗସ୍ତ କରିବା, ର୍ଦୁନୀତି ବିରୁଦ୍ଧରେ ଜିରୋ ଟଲେରେନ୍ସ ରଖିବା ସହ ନିଜେ ସଚ୍ଚୋଟ ରହିବା, ଥାନା ସ୍ତରୀୟ ଅଧିକାରୀଙ୍କୁ ନୂଆ ଭାରତୀୟ ନ୍ୟାୟ ସଂହିତା ଆଦି ବିଷୟରେ ପ୍ରଶିକ୍ଷଣ ଦେବା ଏବଂ ଅପରାଧୀଙ୍କ ଠାରୁ ଗୋଟିଏ ପାଦ ଆଗରେ ରହିବା ପାଇଁ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

୨୦୨୬ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କର

୨୦୨୬ ମସିହା ସୁଦ୍ଧା ଓଡ଼ିଶାକୁ ସଂପୂର୍ଣ୍ଣ ନକ୍ସଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ପୁଲିସକୁ ଟାର୍ଗେଟ୍ ଦେଇଛନ୍ତି। ଏହାସହିତ ରାଜ୍ୟରେ ବେଆଇନ ନିଶା କାରବାର, ଜମି ମାଫିଆ ଓ ଅର୍ଥନୈତିକ ଅପରାଧିକ କାରବାରକୁ ସଂପୂର୍ଣ୍ଣ ରୂପେ ଦମନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଦୁର୍ଘଟଣାପ୍ରବଣ ସ୍ଥାନରେ ଚେକିଙ୍ଗ୍ ଓ ପାଟ୍ରୋଲିଂ ବଢ଼ାଇବା ସହ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କୋଷ୍ଟାଲ ସିକ୍ୟୁରିଟି ସହିତ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି । ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବା ଓ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ଶାନ୍ତି ଓ ସୁଶାସନର ପରିବେଶର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । 

ପୁଲିସ ବ୍ୟବସ୍ଥାରେ ଆଧୁନିକୀକରଣ

ମୁଖ୍ୟ ସଚିବ ମନୋଜ ଆହୁଜା କହିଥିଲେ ଯେ, ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେବା ପରେ ପୁଲିସରେ ବ୍ୟାପକ ଆଧୁନିକୀକରଣ କରାଯାଇଛି । ପୁଲିସରେ ମାନବସମ୍ୱଳ ବୃଦ୍ଧି ଓ ସଂସ୍ଥାଗତ ସୁଦୃଢୀକରଣ ପାଇଁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । 
ସେହିପରି ଗୃହ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ, ଜିଲ୍ଲାପାଳ ଓ ଏସପି ହେଉଛନ୍ତି ସରକାରଙ୍କ ଆଖି ଓ କାନ ସଦୃଶ, ତେଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ରହିବା ଅତ୍ୟନ୍ତ ଜରୁରୀ । 

ପୁଲିସ ଡିଜି ୱାଇବି ଖୁରାନିଆ ସ୍ୱାଗତ ଭାଷଣରେ ସମ୍ମିଳିତ ପ୍ରୟାସ ଓ ତଥ୍ୟ ଆଦାନପ୍ରଦାନ ପ୍ରଯୁକ୍ତିବିଦ୍ୟା ଆଧାରିତ ନିରୀକ୍ଷଣ ପ୍ରଣାଳୀର ବିସ୍ତାର, ଆଇନଶୃଙ୍ଖଳାକୁ ଅଧିକ ସୁନିଶ୍ଚିତ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ ବୋଲି ଜଣାପଡ଼ିଛି ।