Advertisment

Royal Lifestyle : ଜିଲ୍ଲାପାଳମାନଙ୍କ ‘ରାଜକୀୟ’ ଶୌଚାଳୟ ମରାମତି ନାଁରେ କୋଟିକୋଟି ଖର୍ଚ୍ଚ, ଅନୁମତି ଦେଉଛି କିଏ ?

ନିଜ ବାସଭବନରେ ଶୌଚାଳୟ ମରାମତି ନାଁରେ ବିଗତ କିଛିବର୍ଷ ମଧ୍ୟରେ ଯେଉଁ ପରିମାଣର ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଦେଖିଲେ ଏହି ଜିଲ୍ଲାସ୍ତରର ସର୍ବୋଚ୍ଚ ପ୍ରଶାସନିକ ମୁଖ୍ୟଙ୍କ ଜୀବନଶୈଳୀ କେବଳ ‘ରାଜକୀୟ’ ନୁହେଁ ବରଂ ଏହି ଖର୍ଚ୍ଚ ପଛରେ ବଡ଼ଧରଣର ଆର୍ଥିକ ଅନିୟମିତତା ଲୁଚି ରହିଥିବା ସନ୍ଦେହ କରାଯାଉଛି ।

author-image
Prakash Sethi
Collectors-

ରାଜ୍ୟର ଜିଲ୍ଲାପାଳମାନେ ରାଜକୀୟ ଜୀବନଶୈଳୀ ଉପଭୋଗ କରୁଛନ୍ତି । ସରକାରୀ ତହବିଲରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲ୍ଲା ହେଉ ଅବା ମାଲକାନଗିରି ଭଳି ପଛୁଆ ଜିଲ୍ଲା, ସବୁଠୁ ଜିଲ୍ଲାପାଳମାନେ ନିଜ ବାସଭବନରେ ଶୌଚାଳୟ ମରାମତି ନାଁରେ ବିଗତ କିଛିବର୍ଷ ମଧ୍ୟରେ ଯେଉଁ ପରିମାଣର ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଦେଖିଲେ ଏହି ଜିଲ୍ଲାସ୍ତରର ସର୍ବୋଚ୍ଚ ପ୍ରଶାସନିକ ମୁଖ୍ୟଙ୍କ ଜୀବନଶୈଳୀ କେବଳ ‘ରାଜକୀୟ’ ନୁହେଁ ବରଂ ଏହି ଖର୍ଚ୍ଚ ପଛରେ ବଡ଼ଧରଣର ଆର୍ଥିକ ଅନିୟମିତତା ଲୁଚି ରହିଥିବା ସନ୍ଦେହ କରାଯାଉଛି । ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଧାନସଭାରେ ଦେଇଥିବା ଏକ ଲିଖିତ ଉତ୍ତର ହିଁ ଜିଲ୍ଲାପାଳମାନଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ।

Advertisment

ଯେଉଁ ଓଡ଼ିଶାରେ ଏବେବି ନିମ୍ନ ମଧ୍ୟବିତ୍ତ ପରିବାରଟିଏ ମାତ୍ର ଗୋଟିଏ ଶୌଚାଳୟ ଉପରେ ନିର୍ଭରଶୀଳ ଥାଏ ସେହି ରାଜ୍ୟର ଜିଲ୍ଲାପାଳମାନଙ୍କ ସରକାରୀ ବାସଭବନରେ କେଉଁଠି ୭ଟି ତ କେଉଁଠି ୧୦ଟି ପର୍ଯ୍ୟନ୍ତ ଶୌଚାଳୟ ରହିଛି । ଆଉ ସବୁଠୁ ଉଦବେଗର କଥା ହେଉଛି, ଏହି ଶୌଚାଳୟଗୁଡ଼ିକର ମରାମତି ପାଇଁ ଅର୍ଥ ଖର୍ଚ୍ଚରେ କୌଣସି ଅଙ୍କୁଶ ମଧ୍ୟ ରହିନାହିଁ । ଯାହାକି ଶାସନ ବ୍ୟବସ୍ଥାରେ ‘ବାବୁତନ୍ତ୍ର’ର ଏକଚାଟିଆ କାରବାର ଓ ସାଧାରଣ ଲୋକଙ୍କ ଅର୍ଥକୁ ନିଜ ସଉକ ପାଇଁ ଅପଚୟ କରିବାର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।


ଜିଲ୍ଲାପାଳମାନଙ୍କ ରାଜକୀୟ ଶୌଚାଳୟ ମରାମତି ଖର୍ଚ୍ଚର ସାଂଘାତିକ ଚିତ୍ର

ମନ୍ତ୍ରୀ ଶ୍ରୀ ମହାପାତ୍ର ବିଧାନସଭାରେ ଦେଇଥିବା ତଥ୍ୟକୁ ବିଶ୍ଲେଷଣ କଲେ ଜଣାପଡ଼ୁଛି ଯେ, କିଛି ଜିଲ୍ଲାପାଳଙ୍କ ବାସଭବନରେ ଥବା ଶୌଚାଳୟ ମରାମତି ଖର୍ଚ୍ଚ ଜଣେ ସାଧାରଣ ଲୋକର ଗୋଟିଏ ଗୃହ ନିର୍ମାଣ ଖର୍ଚ୍ଚଠୁ ବି ଢ଼େର ଅଧିକ । ଉଦାହରଣସ୍ୱରୂପ, ଜଗତସିଂହପୁର ଭଳି ଜିଲ୍ଲାର ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ରହିଛି ୭ଟି ଶୌଚାଳୟ ଓ ୧୦ବର୍ଷ ମଧ୍ୟରେ ଏହାର ମରାମତିରେ ଖର୍ଚ୍ଚ ହୋଇଛି ୬୬.୭୯ଲକ୍ଷ ଟଙ୍କା । ଅର୍ଥାତ୍ ଗୋଟିଏ ଶୌଚାଳୟ ମରାମତି ପାଇଁ ହାରାହାରି ୯.୬୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାର ଦର୍ଶାଇଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର । ସେହିପରି ନୟାଗଡ଼ ଜିଲ୍ଲାପାଳଙ୍କ ବାସଭବନରେ ଅଛି ୩ଟି ଶୌଚାଳୟ । ଆଉ ବିଗତ ୧୦ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଛି ୧୬.୩୭ଲକ୍ଷ ଟଙ୍କା । ବାଲେଶ୍ୱର ଜିଲ୍ଲାପାଳଙ୍କ ବାସଭବନରେ ୧୦ଟି ଶୌଚାଳୟ ପାଇଁ ୨୪ଲକ୍ଷ ଟଙ୍କା, ବଲାଙ୍ଗୀର ଜିଲ୍ଲାପାଳଙ୍କ ବାସଭବନରେ ୪ଟି ଶୌଚାଳୟ ପାଇଁ ୨୦.୫୧ଲକ୍ଷ ଟଙ୍କା, ସୋନପୁର ଜିଲ୍ଲାପାଳଙ୍କ ବାସଭବନରେ ୪ଟି ଶୌଚାଳୟ ପାଇଁ ୧୩.୭୮ଲକ୍ଷ ଟଙ୍କା ମରାମତି ବାବଦରେ ଖର୍ଚ୍ଚ ହୋଇଛି ।

Advertisment

କେବଳ ସେତିକି ନୁହେଁ ପଛୁଆ ଜିଲ୍ଲା ମାଲକାନଗିରିରେ ଜିଲ୍ଲାପାଳ ହେଉଥିବା ଅଫିସରଙ୍କ ଜୀବନଶୈଳୀ କୌଣସି ରାଜାଙ୍କଠୁ ବି କମ୍ ନାହିଁ । କାରଣ ଜିଲ୍ଲାପାଳଙ୍କ ବାସଭବନରେ ୫ଟି ଶୌଚାଳୟ ରହିଛି ଓ ଏବାବଦରେ ୪୧.୧୨ଲକ୍ଷ ଟଙ୍କା କେବଳ ମରାମତିରେ ଖର୍ଚ୍ଚ ହୋଇଛି । କୋରାପୁଟ ଜିଲ୍ଲାପାଳଙ୍କ ବାସଭବନରେ ୧୦ଟି ଶୌଚାଳୟ ଓ ମରାମତିରେ ଖର୍ଚ୍ଚ ୨୦.୮୬ଲକ୍ଷ ଟଙ୍କା, ରାୟଗଡ଼ା ଜିଲ୍ଲାପାଳଙ୍କ ବାସଭବନରେ ୯ଟି ଶୌଚାଳୟ ପାଇଁ ମରାମତି ଖର୍ଚ୍ଚ ୧୭.୨୧ଲକ୍ଷ ଟଙ୍କା ବିଗତ ୧୦ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏସବୁ ପଛୁଆ ଜିଲ୍ଲାଗୁଡ଼ିକରେ ନାଗରିକଙ୍କୁ ମୌଳିକ ସରକାରୀ ସୁବିଧା ପହଂଚାଇବାରେ ଅର୍ଥ ବାଧକ ସାଜିଥିବାବେଳେ ସରକାରୀ ବାସଭବନରେ କେବଳ ଶୌଚାଳୟ ମରାମତି ନାଁରେ ଏତେ ଅଧିକ ଖର୍ଚ୍ଚ ନିଶ୍ଚିତ ଭାବେ ଏକ ବଡ଼ ଦୁର୍ନୀତିର ସଙ୍କେତ ବୋଲି ଆଶଙ୍କା କରାଯାଉଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବାସଭବନରେ ରହିଛି ୪ଟି ଶୌଚାଳୟ । ଆଉ ବିଗତ ୩ ବର୍ଷ ମଧ୍ୟରେ ଏହାର ମରାମତି ବାବଦରେ ୧୩.୭୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କଟକ ଜିଲ୍ଲାପାଳଙ୍କ ବାସଭବନରେ ୫ଟି ଶୌଚାଳୟ ଓ ୩ବର୍ଷ ମଧ୍ୟରେ ୫.୩୭ଲକ୍ଷ ଟଙ୍କା ମରାମତିବାବଦ ଖର୍ଚ୍ଚ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାସଭବନରେ ୫ଟି ଶୌଚାଳୟ ଓ ୩ବର୍ଷ ମଧ୍ୟରେ ମରାମତି ଖର୍ଚ୍ଚ ୭.୪୭ଲକ୍ଷ ଟଙ୍କା । ଆଉ ପୁରୀ ଜିଲ୍ଲାପାଳ ତ ସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ତାଙ୍କ ବାସଭବନରେ ରହିଛି ୬ଟି ଶୌଚାଳୟ ଓ ସେ ବିଗତ ୩ବର୍ଷ ମଧ୍ୟରେ ୧୮.୮୧ଲକ୍ଷ ଟଙ୍କା ମରାମତିରେ ଖର୍ଚ୍ଚ କରିଛନ୍ତି ।

ଖର୍ଚ୍ଚସୀମା ନିର୍ଦ୍ଧାରଣ କାହିଁକି ହେଉନି?

ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ଓ ଅନ୍ୟ ଅଫିସରମାନେ ନିଜ ସରକାରୀ ବାସଭବନରେ ବାର୍ଷିକ କେତେ ଟଙ୍କା ପର୍ଯ୍ୟନ୍ତ ମରାମତି ଓ ସୌନ୍ଦର୍ଯ୍ୟକରଣବାବଦରେ ଖର୍ଚ୍ଚ କରିପାରିବେ ତା’ର ଖର୍ଚ୍ଚସୀମା କାହିଁକି ସରକାର ନିର୍ଦ୍ଧାରଣ କରୁନାହାନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି । ଜିଲ୍ଲାର ପ୍ରଶାସନିକ ମୁଖ୍ୟ ହୋଇ ଜିଲ୍ଲାପାଳମାନେ ଯଦି ନିଜର ଶୌଚାଳୟ ମରାମତିରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି ତା’ହେଲେ ତାଙ୍କ ବାସଭବନ ମରାମତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପାଇଁ କେତେ ଯେ ଟଙ୍କା ଖର୍ଚ୍ଚ କରୁଥିବେ ତାହା ସହଜେ ଆକଳନ କରି ହେଉଚି ।

ସରକାରୀ ଖର୍ଚ୍ଚରେ ସ୍ୱଚ୍ଛତା ପାଇଁ ଓଡ଼ିଶା ସରକାରଙ୍କ ଫାଇନାନ୍ସ କୋଡ୍ ଥିବା ସତ୍ତ୍ୱେ ଜିଲ୍ଲାସ୍ତରରେ ଏଭଳି ଅହେତୁକ ଖର୍ଚ୍ଚ ହେବା ସରକାରଙ୍କ ଆର୍ଥିକ ପରିଚାଳନା ଉପରେ ସିଧାସଳଖ ଆଙ୍ଗୁଳି ଉଠାଉଛି । ଏତେ ବଡ଼ ଧରଣର ଅର୍ଥ ଖର୍ଚ୍ଚ ହେଉଥିବା ସତ୍ୱେ ସରକାର କାହିଁକି ସରକାରୀ ବାସଭବନରେ ବାର୍ଷିକ ମରାମତି ଖର୍ଚ୍ଚ ଉପରେ ଖର୍ଚ୍ଚସୀମା ଧାର୍ଯ୍ୟ କରିବାରେ ସକ୍ଷମ ହେଉନାହାନ୍ତି ତାହାବି ଏକ ବୃହତ୍ ପ୍ରଶାସନିକ ସଙ୍କଟକୁ ଇଙ୍ଗିତ କରୁଛି । ‘ଲୋକଙ୍କ ସରକାର’ ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ ପାଣ୍ଠିର ଏଭଳି ଅପଚୟ ଓ ସରକାରୀ ତହବିଲ୍ ଅର୍ଥରେ ବାବୁମାନଙ୍କ ରାଜକୀୟ ଜୀବନଶୈଳୀ ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି ।