କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଭିତରେ ଧକ୍କା, ୧୭୯ରୁ ଅଧିକ ଆହତ

ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ।

ଟ୍ରେନ୍ ଦୁର୍ଘଟଣା

  • Published: Friday, 02 June 2023
  • , Updated: 02 June 2023, 09:38 PM IST

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍ ଭିତରେ ଭୟଙ୍କର ଦୁର୍ଘଟଣା। ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ପରସ୍ପର ଭିତରେ ଧକ୍କା ହେବାରୁ ୧୭୯ରୁ ଅଧିକ ଆହତ ହୋଇଛନ୍ତି। କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ପରସ୍ପର ଭିତରେ ଧକ୍କା ହୋଇଥିବା ସୂଚନା ମିଳିଛି।

ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା। ଦୁଇ ଟ୍ରେନ୍ ଧକ୍କା ନେଇ ଖଡ଼ଗପୁର ଡିଆର୍‌ଏମ୍‌ଙ୍କ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରଥମେ କରମଣ୍ଡଳର ୧୦ରୁ ୧୨ଟି ବଗି ପ୍ରଥମ ଲାଇନ୍‌ ଚ୍ୟୁତ୍ ହୋଇଥିଲା। ଏହି ସମୟରେ ଏହାର ପାଖ ଲାଇନ୍ ଦେଇ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସହ କରମଣ୍ଡଳର କିଛି ବଗି ଧକ୍କା ହୋଇଥିଲା। ତେଣୁ ଯଶୱନ୍ତପୁର-ହାୱଡ଼ାର ୪ଟି ବଗି ଲାଇନ୍‌ ଚ୍ୟୁତ୍ ହୋଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଛି। ବିଭାଗୀୟ ଉଦ୍ଧାରକାରୀ ଦଳ ଓ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି। ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୫୦ଟି ଆମ୍ବୁଲାନ୍ସ  ଥିଲେ ମଧ୍ୟ ଆହତଙ୍କ ସଂଖ୍ୟା ବେଶ୍ ଅଧିକ ଥିବାରୁ ବସ୍ ଯୋଗେ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୪୭ଜଣ ଆହତଙ୍କୁ ବାଲେଶ୍ୱରସ୍ଥିତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବାବେଳେ ୧୩୨ଜଣ ଆହତଙ୍କୁ ନିକଟସ୍ଥ ସୋର ଓ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଖଣ୍ଟାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳକୁ ୩ଟି ଏନଡିଆରଏଫ ଟିମ୍ ଓ ୪ଟି ଓଡ୍ରାଫ ଟିମ୍ ବାଲେଶ୍ୱରରୁ ପଠାଯାଇଥିବାବେଳେ ବହୁସଂଖ୍ୟକ ଅଗ୍ନିଶମ ଟିମ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଟି ଆମ୍ବୁଲାନ୍ସ, ଆସକା ଲାଇଟ୍ ମଧ୍ୟ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ସ୍ଥାନୀୟ ଜିଲ୍ଲାଗୁଡ଼ିକର ଡାକ୍ତରମାନଙ୍କୁ ହାଇଆଲର୍ଟରେ ରଖାଯାଇଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ।

ଆହତମାନଙ୍କୁ ଉଭୟ ସରକାରୀ ଓ ଘରୋଇ  ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି । ୨୦ଜଣ ଡାକ୍ତରୀ ଛାତ୍ର(ଇଣ୍ଟର୍ଣ୍ଣ) ଓ ଅନ୍ୟ ୨୪ଜଣ ଡାକ୍ତରଙ୍କୁ ଜିଲ୍ଲା ଓ ଅନ୍ୟ ହସ୍ପିଟାଲରୁ ତୁରନ୍ତ ବାଲେଶ୍ୱର ମେଡିକାଲ କଲେଜରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏସଆରସି ସତ୍ୟବ୍ରତ ସାହୁ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଏଏସ୍ ବଳବନ୍ତ ସିଂ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଘଟଣାସ୍ଥଳ ଅଭିମୁଖେ ଗସ୍ତ କରିଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଯାହା ସମ୍ଭବ ତାହା କରାଯିବ ବୋଲି ଶ୍ରୀ ଜେନା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । କଟକସ୍ଥିତ ଏସସିବି ମେଡିକାଲ କଲେଜ, ବାଲେଶ୍ୱରସ୍ଥିତ ମେଡ଼ିକାଲ କଲେଜ ଓ ବାରିପଦାସ୍ଥିତ ମେଡିକାଲ କଲେଜକୁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

Related story