ବାଇକ୍‌ ଚୋରିରେ ଏସ୍‌ସିବି ଲିଙ୍କ! ସିକ୍ୟୁରିଟି ଗାର୍ଡ ୟୁନିଫର୍ମ ପିନ୍ଧି କରୁଥିଲେ ଚୋରି

Cuttack-bike-loot

Cuttack-bike-loot

Manoranjan Sial
  • Published: Thursday, 21 April 2022
  • Updated: 21 April 2022, 05:57 PM IST

କଟକ (ଓଡ଼ିଶା ରିପୋର୍ଟର): ବାଇକ୍‌ ଚୋରିରେ ଏସ୍‌ସିବି ମେଡିକାଲ୍‌ ଲିଙ୍କ! ମେଡିକାଲର ପୂର୍ବତନ ସିକ୍ୟୁରିଟି ଗାର୍ଡଙ୍କ ନେତୃତ୍ୱରେ ହେଉଥିଲା ଚୋରି। ଆଉ ଚୋରମାନେ ଆସୁଥିଲେ ସିକ୍ୟୁରିଟି ଗାର୍ଡ ବେଶରେ। ଅନାୟସ୍‌ରେ ଷ୍ଟାଣ୍ଡରେ ଥିବା ବାଇକ୍‌ ଓ ଅଟୋର ଲକ୍‌ ଭାଙ୍ଗି ଲୁଟି ନେଉଥିଲେ। ଆଜି ଏହି ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୁଲିସ୍‌। ଏହି ମାମଲାରେ ଏସ୍‌ସିବିର ପୂର୍ବତନ ସିକ୍ୟୁରିଟି ଗାର୍ଡ ପ୍ରତାପ ସାମଲଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏଥିରେ ମେଡିକାଲ୍‌ରେ ନିୟୋଜିତ ଥିବା କିଛି ସିକ୍ୟୁରିଟି ଗାର୍ଡଙ୍କ ହାତ ଥାଇପାରେ ବୋଲି କମିଶନରେଟ୍‌ ପୁଲିସ୍‌ ସନ୍ଦେହ କରୁଛି।

ଗତ କିଛି ଦିନ ଧରି ଏସ୍‌ସିବି ମେଡିକାଲ୍‌ ପରିସରରୁ ବାରମ୍ୱାର ବାଇକ୍‌ ଚୋରି ହେଉଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ୍‌। ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୮ଟି ବାଇକ୍‌ ଓ ଗୋଟିଏ ଅଟୋ ଜବତ କରିଛି।

କମିଶନରେଟ୍‌ ପୁଲିସ୍‌ର କହିବା ଅନୁସାରେ ଭଦ୍ରକ ଜିଲ୍ଲା ବାଆଁଶଡ଼ା ଗାଁର ପ୍ରତାପ ସାମଲ ଏସ୍‌ସିବି ମେଡିକାଲ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ବର୍ଷେ ତଳେ ଏସ୍‌ସିବିରୁ ଚାକିରି ଛାଡ଼ି ଭୁବନେଶ୍ୱରରେ ଅନ୍ୟ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛି। ତା’ର ସାଥୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ସୌରଭ ସ୍ୱାଇଁ ଓରଫ ପିଣ୍ଟୁ। ସେ ଜଣେ ପେଶାଦାର ଅଟୋ ଚୋର। ତୃତୀୟ ଚୋର ହେଉଛି ବଗ୍ନି ବହ୍ଲଭ ଜେନା। ସେ ଜଣେ ପେଶାଦାର ବାଇକ୍ ଚୋର। ଏହି ତିନି ଜଣ ଚୋରି ସମୟରେ ଏସ୍‌ସିବିରେ ନିୟୋଜିତ ସିକ୍ୟୁରି ଗାର୍ଡଙ୍କ ପରି ଡ୍ରେସ୍ ପିନ୍ଧି ଆସୁଥିଲେ। ବାଇକ୍‌ ଷ୍ଟାଣ୍ଡରେ ସେମାନେ ଅନାୟସରେ ଘୂରି ବୁଲୁଥିଲେ। ସ୍ଥିତି ଦେଖି ଏମାନେ ବାଇକ୍‌ ଲକ ଭାଙ୍ଗିବା ପାଇଁ କଲେଜ ଛକରେ ଥିବା ଜଣେ ପଞ୍ଜାବୀ ସହିତ ଯୋଗାଯୋଗ କରୁଥିଲେ। ତା’ପରେ ସମୟ ସୁବିଧା ଦେଖି ଲକ୍‌ ଭାଙ୍ଗି ବାଇକ୍ ଓ ଅଟୋ ଚୋରି କରୁଥିଲେ। ଲକ୍‌ ଭାଙ୍ଗିବାକୁ ଆସୁଥିବା ପଞ୍ଜାବୀ ଜଣକ ଥରକେ ୩୦୦ ଟଙ୍କା ନେଉଥିଲା ବୋଲି କମିଶନରେଟ୍‌ ପୁଲିସ୍‌ କହିଛି। ଏହି ମାମଲାରେ ଆହୁରି କିଛି ଲୋକଙ୍କ ହାତ ଥାଇପାରେ। ଘଟଣାର ଏବେ ମଧ୍ୟ ତଦନ୍ତ ଚାଲିଛି ବୋଲି ପୁଲିସ୍‌ କହିଛି।

ଗିରଫ ତିନି ଅଭିଯୁକ୍ତଙ୍କ ନାଁରେ ମଙ୍ଗଳାବାଗ, ବାଦାମବାଡ଼ି ଓ ସଦର ଥାନାରେ ବହୁ ମାମଲା ରହିଛି। ଏମାନେ ବାଇକ୍‌ ଚୋରି କରି କମ୍‌ ଦାମରେ ଗ୍ରାମାଞ୍ଚଳରେ ବିକି ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos