ଏଣିକି ସହରରେ ମାଗଣାରେ ଯାଇହେବ ‘ଶୌଚାଳୟ’

ତେବେ ସହରାଂଚଳରେ ଥିବା ସମସ୍ତ ଶୌଚାଳୟକୁ ସବୁ ବର୍ଗର ଲୋକେ  ମାଗଣାରେ ଉପଯୋଗ କରିପାରିବେ ତଥା କେନ୍ଦ୍ର ସରକାରଙ୍କ ‘ସ୍ୱଚ୍ଛ ଭାରତ ମିଶନ’ ପାଣ୍ଠିରୁ ଏହି ବାବଦଖର୍ଚ୍ଚକୁ ଭରଣା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ସବୁ ଶୌଚାଳୟ ସମ୍ମୁଖରେ ଫାଇଭ-ଟି ଲୋଗୋ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଚିତ୍ର କାହିଁକି ରହିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

representation image

  • Published: Monday, 13 February 2023
  • , Updated: 13 February 2023, 10:02 PM IST

ଏଣିକି ରାଜ୍ୟର ସମସ୍ତ ସହରରେ ଥିବା ଶୌଚାଳୟଗୁଡ଼ିକୁ ମାଗଣାରେ ଉପଯୋଗ କରିହେବ । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ରାଜ୍ୟର ସମସ୍ତ ପବ୍ଲିକ ଓ କମ୍ୟୁନିଟି ଟଏଲେଟଗୁଡ଼ିକ ସମ୍ମୁଖରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଡିସପ୍ଲେ ବୋର୍ଡ ଅବା କାନ୍ଥଲେଖା ରହିବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋଚିତ୍ର ସହ ‘ମାଗଣା ଶୌଚାଳୟ ଉପଯୋଗ ’ ଲେଖିବା ନିମନ୍ତେ ରାଜ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି । ଆଉ ଶୌଚାଳୟ ପରିଚାଳନା ଓ ଡିସପ୍ଲେ ବୋର୍ଡ ଏବାବଦ ଅର୍ଥ ସ୍ୱଚ୍ଛ ଭାରତ ମିଶନ(ସହରାଂଚଳ) ପାଣ୍ଠିରୁ ଭରଣା କରାଯିବ ।

ରାଜ୍ୟର ସହରାଂଚଳଗୁଡ଼ିକରେ ଥିବା ଶୌଚାଳୟ ଉପଯୋଗ ନିମନ୍ତେ କୌଣସି ଅର୍ଥ ବା ଫି’ ଦେବାକୁ ପଡ଼ିବ ନାହିଁ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଯଦି କେହି ଶୌଚାଳୟ ଉପଯୋଗ ପାଇଁ ୟୁଜର୍ସ ଫି ଦାବି କରୁଛନ୍ତି, ତା’ହେଲେ ନଗର ଉନ୍ନୟନ ବିଭାଗର ‘ମୋ ସହର ସରକାର’ ହେଲପଲାଇନ ନମ୍ବର-୦୬୭୪ ୨୩୯୧୩୯୫ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ମାତ୍ର ଏହି  ନମ୍ବରକୁ ଫୋନ୍ କଲେ କେହି ଉଠାଉନାହାନ୍ତି ଓ ସମ୍ପୃକ୍ତ ଫୋନ୍ ନମ୍ବରଟି ନଗର ଉନ୍ନୟନ ବିଭାଗର ପ୍ରାଇଭେଟ୍ ସେକ୍ରେଟେରୀଙ୍କୁ ଆବଂଟିତ ହୋଇଥିବା ଜଣାପଡ଼ିଛି । ଅବଶ୍ୟ ଏହି ହେଲପଲାଇନ ନମ୍ବରକୁ କେହି ଉଠାଉ ନାହାନ୍ତି ଓ କେବଳ ରିଂ ହୋଇ କଟୁଛି ।

ଅନ୍ୟପକ୍ଷରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଫେବୃୟାରୀ ୬ତାରିଖରେ ସମସ୍ତ ମହାନଗର ନିଗମର କମିଶନର ଓ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖାଯାଇ ସାର୍ବଜନୀନ ଶୌଚାଳୟକୁ ମାଗଣାରେ ଉପଯୋଗ କରିହେବା ସଂକ୍ରାନ୍ତ ଫଟୋଚିତ୍ର ବା ବୋର୍ଡ ସ୍ପଷ୍ଟ ଭାବେ ଉକ୍ତ ଶୌଚାଳୟ ସମ୍ମୁଖରେ ଲଗାଇବାକୁ କୁହାଯାଇଛି । ଏହି ଫଟୋଚିତ୍ର, କାନ୍ଥଲେଖା ଅବା ଡିସପ୍ଲେ ବୋର୍ଡ ପାଇଁ ହେଉଥିବା ତଥା ୟୁଜର ଫି’ ବାବଦ ହେଉଥିବ ଖର୍ଚ୍ଚକୁ ସ୍ୱଚ୍ଛଭାରତ ମିଶନ(ସହରାଂଚଳ) ପାଣ୍ଠିର ପ୍ରଚାରପ୍ରସାର ନିମନ୍ତେ ଉଦ୍ଦିଷ୍ଟ ପାଣ୍ଠିରୁ ଭରଣା କରିବାକୁ କୁହାଯାଇଛି । ୟୁଜର୍ସ ଫି’ ନନେବାପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ  ସମସ୍ତ ଜିଲ୍ଲାପାଳ, ବିଡିଏ କର୍ତ୍ତୃପକ୍ଷ ଓ ସୁଲଭ ଇଣ୍ଟରନ୍ୟାସନାଲ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

ତେବେ ସହରାଂଚଳରେ ଥିବା ସମସ୍ତ ଶୌଚାଳୟକୁ ସବୁ ବର୍ଗର ଲୋକେ  ମାଗଣାରେ ଉପଯୋଗ କରିପାରିବେ ତଥା କେନ୍ଦ୍ର ସରକାରଙ୍କ ‘ସ୍ୱଚ୍ଛ ଭାରତ ମିଶନ’ ପାଣ୍ଠିରୁ ଏହି ବାବଦଖର୍ଚ୍ଚକୁ ଭରଣା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ସବୁ ଶୌଚାଳୟ ସମ୍ମୁଖରେ ଫାଇଭ-ଟି ଲୋଗୋ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର କାହିଁକି ରହିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Related story