ଢିଙ୍କିଆରେ ପୁଲିସ୍ ଆତଙ୍କରାଜ ବିରୋଧରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜିନ୍ଦଲ କମ୍ପାନୀ ସ୍ୱାର୍ଥରେ ଢିଙ୍କିଆ ଚାରିଦେଶରେ ଚାଲିଥିବା ପୁଲିସ୍ ଆତଙ୍କରାଜ ବିରୋଧରେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ସାଧାରଣ ଲୋକମାନଙ୍କର ମାନବିକ ଓ ସାମ୍ବଧାନିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ରାଜ୍ୟର ବରିଷ୍ଠ ମାନବାଧିକାର ତଥା ସାମାଜିକ କର୍ମୀମାନେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାସ, ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ନେତା ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ବିଧାୟକ […]

dhinkia

Ranjit Kumar Jena
  • Published: Tuesday, 21 December 2021
  • , Updated: 21 December 2021, 06:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜିନ୍ଦଲ କମ୍ପାନୀ ସ୍ୱାର୍ଥରେ ଢିଙ୍କିଆ ଚାରିଦେଶରେ ଚାଲିଥିବା ପୁଲିସ୍ ଆତଙ୍କରାଜ ବିରୋଧରେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ସାଧାରଣ ଲୋକମାନଙ୍କର ମାନବିକ ଓ ସାମ୍ବଧାନିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ରାଜ୍ୟର ବରିଷ୍ଠ ମାନବାଧିକାର ତଥା ସାମାଜିକ କର୍ମୀମାନେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାସ, ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ନେତା ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ଉପଦେଷ୍ଟା ବିଶ୍ୱପ୍ରିୟ କାନୁନଗୋ, ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ମୁଖପାତ୍ର ପ୍ରଶାନ୍ତ ପାଇକରାୟ, ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ୍ ରାଇଟର ଆବାହକ ଚନ୍ଦ୍ରନାଥ ଦାନୀ ଆଜି ଏହି ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବିଜୟକୃଷ୍ଣ ପଟେଲ ଓ ଆୟୋଗର ଅନ୍ୟତମ ସଦସ୍ୟ ଅସୀମ ଅମିତାଭ ଦାସଙ୍କ ଖଣ୍ଡପୀଠ ଏହି ଆବେଦନ (୩୦୦୮/୨୦୨୧)କୁ ବିଚାର କରି ଢ଼ିଙ୍କିଆ ଓ ତା'ର ଚତୁଃପାଶ୍ୱ ଅଞ୍ଚଳରେ ଯେପରି ସାଧାରଣ ଲୋକଙ୍କ ଗମନାଗମନ ତଥା ମାନବାଧିକାର କ୍ଷୁର୍ଣ୍ଣ ନହୁଏ, ସେଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ଅଭିଯୋଗ ସଂକ୍ରାନ୍ତରେ ସଂପୂର୍ଣ୍ଣ ବିବରଣୀ ଦେବାକୁ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାରୁ ପ୍ରକାଶ ଯେ ପୋସ୍କୋ କମ୍ପାନୀ ବିରୋଧରେ ଢିଙ୍କିଆ ଅଞ୍ଚଳରେ ଦୃଢ଼ ତଥା ଦୀର୍ଘ ଆନ୍ଦୋଳନ ଫଳରେ ସେଠାରୁ ପୋସ୍କୋ କମ୍ପାନୀ ହଟିଯାଇଥିଲେ ମଧ୍ୟ ଇଡକୋ ଦ୍ୱାରା ବଳପୂର୍ବକ ଅଧିଗ୍ରହଣ କରାଯାଇଥିବା ଜମିରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ସରକାର ଜିନ୍ଦଲ (JSW) କମ୍ପାନୀ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। କିନ୍ତୁ ପାନ, ଧାନ ଓ ମୀନର ଇଲାକା ତଥା ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ସେ ଅଞ୍ଚଳର ଜନସାଧାରଣ ସେମାନଙ୍କର ବିରୋଧ ଜାରି ରଖିଛନ୍ତି। ଢିଙ୍କିଆ ଆନ୍ଦୋଳନର କେନ୍ଦ୍ରସ୍ଥଳ ହୋଇଥିବାରୁ ଢିଙ୍କିଆ ରାଜସ୍ୱ ଗ୍ରାମକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯାହାକୁ ଜିନ୍ଦଲ କମ୍ପାନୀର ନିର୍ଦ୍ଦେଶରେ କରାଯାଇଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରି ନୂତନ ଗ୍ରାମ ମାହାଳ ଓ ପାଟଣାର ସୀମା ନିର୍ଦ୍ଧାରଣକୁ ବିରୋଧ କରୁଛନ୍ତି।

କିନ୍ତୁ ପୁଲିସ୍ ଗତ କିଛି ଦିନ ଧରି ମାତ୍ରାଧିକ ଜୁଲୁମ୍ କରିଚାଲିଛି ଓ ଢ଼ିଙ୍କିଆ ଗ୍ରାମର ସମସ୍ତ ସୀମାରେ ପୋଲିସ୍ ମୁତୟନ କରାଯାଇ ଆଧାର କାର୍ଡ ନଦେଖାଇଲେ କାହାରିକୁ ଗ୍ରାମ ଭିତରକୁ କିମ୍ବା ବାହାରକୁ ଛଡା ଯାଉନାହିଁ। ଆସନ୍ନ ବାତ୍ୟା ଆଶଙ୍କାରେ ଲୋକମାନେ ଆତଙ୍କିତ ହୋଇ ନିଜଘରେ ଆଶ୍ରୟ ନେଇଥିବା ବେଳେ ଗତ ୩ ଡିସେମ୍ବର ରାତି ୩ଟାରୁ ୪ଟା ଭିତରେ ଢ଼ିଙ୍କିଆ ପଞ୍ଚାୟତର ସମିତି ସଦସ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ଘର ଉପରେ ପୁଲିସ୍ ଚଢ଼ାଉ କରିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଫଳରେ ପୋଲିସ ଫେରିଯାଇଥିଲେ ମଧ୍ୟ ଶତାଧିକ ଲୋକଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜ୍ଜୁ କରି ଢ଼ିଙ୍କିଆ ଗ୍ରାମ ଚାରି ପାଖରେ ପୋଲିସ୍ ମୁତୟନ କରାଯାଇଥିଲା।

ଘଟଣା ସଂପର୍କରେ ଅନୁଧ୍ୟାନ କରିବାକୁ ଗତ ୭ ଡିସେମ୍ବରରେ ବରିଷ୍ଠ ସାମ୍ବାଦିକ ରବି ଦାସ, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ସିପିଆଇ (ଏମ୍. ଏଲ୍)-ଲିବରେସନର ନେତା ରାଧାକାନ୍ତ ସେଠୀ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ନେତା ଲିଙ୍ଗରାଜ ଓ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ସେହି ଅଞ୍ଚଳକୁ ଯାଇଥିଲେ ଓ ଘଟଣାର ସତ୍ୟତା ସଂପର୍କରେ ଅବଗତ ହୋଇଥିଲେ। ଗତକାଲି ପୁନଶ୍ଚ ପୋଲିସ୍ ଢ଼ିଙ୍କିଆ ଗ୍ରାମରେ ପଶି ଲାଠିଚାଳନା କରିବା ସହିତ ଜିନ୍ଦଲ କମ୍ପାନୀ ବିରୋଧୀ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ଦାଦା ତଥା ପକ୍ଷପାତ ରୋଗରେ ପୀଡିତ ଅଯୋଧ୍ୟା ସ୍ୱାଇଁ ଓ ଭଉଣୀ ମିଲିରାଣୀ ସ୍ୱାଇଁଙ୍କୁ ଗିରଫ କରିଛି।

ପୁଲିସର ଏହି ଦମନଲୀଳା ତଥା ଆତଙ୍କରାଜ ବିରୋଧରେ ଉପରୋକ୍ତ ନେତୃମଣ୍ଡଳୀ ମାନଙ୍କ ସହିତ ଆଜି ବରିଷ୍ଠ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ମାନବାଧିକାର କର୍ମୀ ଚନ୍ଦ୍ରନାଥ ଦାନୀ ଓ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ମୂଖପାତ୍ର ପ୍ରଶାନ୍ତ ପାଇକରାୟ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ କମିଶନ ଏହାର ଜରୁରୀ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story