ଆଜି ବୌଦ୍ଧ ବନ୍ଦ, ପୁଲିସ୍‌ ମୁତୟନ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବି ନେଇ ଆଜି ୬ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦିଆଯାଇଛି। ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଦୋକାନ ବଜାର,ଗାଡ଼ି ଚଳାଚଳ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ବିଭିନ୍ନ ଛକରେ କଂଗ୍ରେସ ଦଳର ନେତା ଓ କର୍ମୀ ପିକେଟିଂ କରୁଥିବା ବେଳେ ଆଇନଶୃଂଖଳା ପରିସ୍ଥତିକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି।

ବୌଦ୍ଧ ଜିଲ୍ଲାକୁ ସମ୍ୱଲପୁର ରାଜସ୍ୱ ଡିଭିଜନରେ ସାମିଲ, ଜିଲ୍ଲାରେ ଆଉ ଏକ ସବ୍‌ଡିଭିଜନ ଗଠନ, ଜିଲ୍ଲା ପରିଷଦ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି, ବ୍ଲକ ପୁନଃ ଗଠନ କରି ମନମୁଣ୍ଡା, ବାଉଁଶୁଣୀ ଓ ବଘିଆପଡ଼ାକୁ ନୂତନ ବ୍ଲକ ଘୋଷଣା, ଗ୍ରାମ ପଞ୍ଚାୟତ ସଂଖ୍ୟା ୬୯ ରୁ ୧୨୧କୁ ବୃଦ୍ଧି କରିବାକୁ ଦାବି କରାଯାଇଛି।

ବୌଦ୍ଧ ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା ସହ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସି ଘୋଷଣା ଓ ଜିଲ୍ଲାର ଥାନା ସଂଖ୍ୟା ୬ରୁ ୧୦କୁ ବୃଦ୍ଧି ନିମନ୍ତେ ଦାବି କରାଯାଇଛି। ଏହାବାଦ ଘଣ୍ଟାପଡ଼ା,ଶଗଡ଼ା,ବଘିଆପଡ଼ା ଓ ଆଣେଡିଗଡ଼କୁ ଥାନାର ମାନ୍ୟତା ସହ ଦପଲା, ପଲସାଗୋରା, ସହାଜପାଲ, ମର୍ଯାକୁଦ, ଧଳପୁର,ବୀରନରସିଂହପୁର ଓ ମହାଲିକପଡ଼ାଠାରେ ନୂତନ ପୁଲିସ୍‌ ଫାଣ୍ଡି ସ୍ଥାପନ, ବୌଦ୍ଧ ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଭଳି ପ୍ରମୁଖ ଦାବିକୁ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।