ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀରେ ଡବଲ ମର୍ଡର ମାମଲାରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିଛି। ହତ୍ୟାକାଣ୍ଡର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ପିସିସି ମୁଖ୍ୟ ଦାବି କରିଛନ୍ତି।
ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ବାଙ୍କୀରେ ଆମର ଜଣେ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ ଜଣେ ସାମ୍ୱାଦିକ ଆଦିତ୍ୟ ରଣ ସିଂଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ରାଜନୈତିକ ଶତ୍ରୁତା ପାଇଁ ସେମାନଙ୍କୁ ହତ୍ୟା କରାଯାଇଛି। ଏଥିରେ ବିଜେଡି ଦଳ ସଂପୃକ୍ତ ରହିଛି। ମୁଖ୍ୟମନ୍ତ୍ରୀ ମହାଶୟ ଅହିଂସାର ଡାକରା ଦେଇଥିବା ବେଳେ ତାଙ୍କ ଦଳର ଲୋକମାନେ ଏପରି ବ୍ୟବହାର କରୁଛନ୍ତି। ଆମେ ଏହି ଘଟଣାର ତୀବ୍ର ନିନ୍ଦା କରୁଛୁ। ସରକାରଙ୍କୁ ଅନୁରୋଧ କରୁଛି ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରନ୍ତୁ। ଏହା ପଛରେ କୋଉ ନେତାମାନେ ସଂଶ୍ଳୀଷ୍ଟ ସେହି କଥା ବାହାର କରନ୍ତୁ।”
ଏହି ହତ୍ୟାକାଣ୍ଡରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତ ଥିବା ନେଇ ମୃତକଙ୍କ ପତ୍ନୀ ତଥା ନୂଆଗାଁ ସରପଞ୍ଚ ମମତା ମହାପାତ୍ର ଅଭିଯୋଗ ଆଣିଥିଲେ। ଏହି ମାମଲାରେ ପୁଲିସ୍ ବଳଭଦ୍ର ପ୍ରଧାନ, ଜିତୁ ସ୍ୱାଇଁ ନାମକ ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି। ଗତ ଶନିବାର ଦିନ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ଓ ତାଙ୍କ ସହଯୋଗୀ ତଥା ସାମ୍ବାଦିକ ଆଦିତ୍ୟ ରଣସିଂଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଦୁହେଁ ଖଜୁରିପଦା-ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ବାଇକରେ ଫେରୁଥିଲା ବେଳେ ଯୋକଲାଞ୍ଜିଠାରେ କିଛି ଦୁର୍ବୁତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଉଭୟଙ୍କ ମୃତ୍ୟୁ ହୋଇଥିଲା ଅନ୍ୟପକ୍ଷରେ କଂଗ୍ରେସର ଅଭିଯୋଗକୁ ନେଇ ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ପ୍ରତିକ୍ରିୟା ମିଳିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।