/odisha-reporter/media/post_attachments/uploads/2017/09/Odisha-Assembly-5-3.jpg)
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭା ମୌସୁମୀ ଅଧିବେଶନକୁ ଦୃଷ୍ଟିରେ ରଖି ଆସନ୍ତା ୩ତାରିଖରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ବିଧାନସଭା ପରିସରରେ ବିଜେଡି ବିଧାୟକ ଦଳ ବୈଠକ ଅପରାହ୍ନ ୫ଟାରେ ହେବାକୁ ଥିବାବେଳେ କଂଗ୍ରେସ ବିଧାୟକ ଦଳ ବୈଠକ ଅପରାହ୍ନ ୬ଟାରେ ହେବ ବୋଲି ସୂଚନା ମିଳିଛି।
କଂଗ୍ରେସ ବିଧାୟକ ଦଳ ବୈଠକ ସମ୍ପର୍କରେ ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଗୁଆ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୌସୁମୀ ଅଧିବେଶନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କୁ ବୀମା ଅର୍ଥ ନମିଳିବା, ଶିକ୍ଷକ ଆନ୍ଦୋଳନ, ବିଜୁ ଯୁବ ବାହିନୀ ଗଠନର ଯଥାର୍ଥତା, ବଜେଟ୍ ଅର୍ଥ ଖର୍ଚ୍ଚ ହୋଇନଥିବା ବେଳେ ଆଗୁଆ ଅତିରିକ୍ତ ବଜେଟ୍ ଆଣିବା ଆଦି ପ୍ରସଙ୍ଗ କଂଗ୍ରେସ ଉଠାଇବ।
ଏହା ଏକ ସ୍ୱଳ୍ପ ଅବଧିର ଅଧିବେଶନ ହୋଇଥିବାରୁ ରାଜ୍ୟ ସ୍ୱାର୍ଥଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇ ଦଳ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ।
ସେହିପରି ମୌସୁମୀ ଅଧିବେଶନରେ ବିଜେଡି ମୁଖ୍ୟତଃ ମହାନଦୀ ପ୍ରସଙ୍ଗ ଉଠାଇବା ସହ ଛତିଶଗଡ଼ ପୂର୍ବସୂଚନା ନଦେଇ ବନ୍ୟା ଜଳ ଛାଡ଼ିବା, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା, ଧାନର ଏମ୍ଏସପି ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ବିଧାନସଭାରେ ବିଜେଡି ଉଠାଇବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
