ଏକ ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇଏଏସ ଅଧିକାରୀ ତଥା ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଆସନ୍ତା ୩୦ ତାରିଖରେ ହାଇକୋର୍ଟରେ ହାଜର କରାଇବା ଲାଗି ପୁଲିସ କମିଶନରଙ୍କୁ ହୋଇଛି ନିର୍ଦ୍ଦେଶ। ହାଇକୋର୍ଟ ଦେଇଛନ୍ତି ଏହି ନିର୍ଦ୍ଦେଶ। ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଟାଉନ ପ୍ଳାନିଙ୍ଗ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର, କଟକ ଜିଲ୍ଲପାଳ ଓ ଆଠଗଡ଼ ଟାଉନ ପ୍ଲାନିଂ ଅଧିକାରୀ ପ୍ରଦୀପ କୁମାର ସାହାଙ୍କୁ ମଧ୍ୟ ଉକ୍ତ ଦିନ କୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶ ହୋଇଛି।
ଆସନ୍ତା ଶୁଣାଣି ପୂର୍ବରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ସହ ଯଦି ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବ, ତା’ହେଲେ ଏହି ଅଧିକାରୀମାନଙ୍କୁ ଆଉ ହାଜର ହେବାକୁ ପଡିବନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଆଠଗଡ଼ ବାସିନ୍ଦା ପିଲୋନା ମହାନ୍ତି ନଗର ଉନ୍ନୟନ ବିଭାଗରେ ୩୩ ବର୍ଷ ଧରି ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ। ଚାକିରି ନିୟମିତ କରାଇବା ପାଇଁ ସେ ଦାୟର କରିଥିବା ମାମଲାର ଶୁଣାଣି କରି ୨୦୨୪ ମସିହାରେ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ, ଯାହାକୁ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ ପ୍ରତିପକ୍ଷ। କିନ୍ତୁ ଗତ ବର୍ଷ ଜୁଲାଇ ୧୦ ତାରିଖରେ ଡିଭିଜନ ବେଞ୍ଚ ପିଲୋନାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ଜଣିକିଆ ଖଣ୍ଡପୀଠଙ୍କ ଏହି ରାୟକୁ ୮ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ତାହା କାର୍ଯ୍ୟକାରୀ ହେଲାନାହିଁ। ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଆଉ ଏହାର ଶୁଣାଣି କରି କୋର୍ଟ ଉଷା ପାଢ଼ୀଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ହାଜର କରାଇବାକୁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନିକଟରେ ରାଜ୍ୟ ଉଚ୍ଚ ଶିକ୍ଷା ସଚିବ ଏବଂ ଗଣଶିକ୍ଷା ସଚିବ ସମାନ ଢଙ୍ଗରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/24/high-court-2026-01-24-17-29-38.jpg)