ବିମାନ ଚଳାଚଳ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଦେଶର ପ୍ରଥମ ବ୍ୟବସାୟିକ ଭାବେ ରୂପାନ୍ତରିତ କରି ସେଠାରେ ‘ ନ୍ୟାସନାଲ ୟୁଏଭି ଟେଷ୍ଟ ଆଣ୍ଡ ଇନୋଭେସନ୍ କରିଡ଼ର’ ସ୍ଥାପନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଭାରତର ଆକାଶମାର୍ଗରେ ନୂଆ ପୀଢ଼ୀର ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାକୁ ସାମିଲ କରିବା ନିମନ୍ତେ ଓଡ଼ିଶା ଏହି ନିର୍ଣ୍ଣାୟକ ପଦକ୍ଷେପ ନେଇଛି ।
ହାଇଦ୍ରାବାଦରେ ଅନୁଷ୍ଠିତ ୱିଙ୍ଗସ ଇଣ୍ଡିଆ-୨୦୨୬ ସମ୍ମିଳନୀରେ ଓଡ଼ିଶା ଏହି ଘୋଷଣା କରିବା ସହ ଏଥିପାଇଁ ‘ବୋନଭୋ ଏରୋ’ ନାମକ କମ୍ପାନୀ ସହ ଏମଓୟୁ ସ୍ୱାକ୍ଷରିତ କରିଛି ।
ଖୋଲା ଆକାଶରେ ହେବ ପ୍ରଯୁକ୍ତିବିଦ୍ୟା ପରୀକ୍ଷା
ରଙ୍ଗେଇଲୁଣ୍ଡାଠାରେ ଏହି ଜାତୀୟ ଡ୍ରୋନ୍ ଇନୋଭେସନ୍ କରିଡ଼ର ସ୍ଥାପନ ଦ୍ୱାରା ଓଡ଼ିଶା କେବଳ ପ୍ରଯୁକ୍ତବିଦ୍ୟା କ୍ଷେତ୍ରରେ ଆଗେଇବ ନାହିଁ ବରଂ ଜାତୀୟସ୍ତରରେ ଡ୍ରୋନ୍ ଶିଳ୍ପର ପ୍ରାଣକେନ୍ଦ୍ର ସାଜିବ । ଏହି ପ୍ରକଳ୍ପର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏଠାରେ ଡ୍ରୋନଗୁଡ଼ିକ କୌଣସି ଲ୍ୟାବ, କୋଠରୀ ବା ହଲ୍ ମଧ୍ୟରେ ଅବା ଛୋଟ ପରିସରରେ ପରୀକ୍ଷାନିରୀକ୍ଷା କରାଯିବ ନାହିଁ ବରଂ ପ୍ରକୃତ ଓ ଗତିଶୀଳ ଆକାଶମାର୍ଗରେ ଏଗୁଡ଼ିକର ପରୀକ୍ଷଣ କରାଯାଇ ସେମାନଙ୍କର ଦକ୍ଷତାକୁ ଆକଳନ କରାଯିବ । ଉପଯୁକ୍ତ ଇକୋସିଷ୍ଟମ ମଧ୍ୟରେ ଡ୍ରୋନ ପରୀକ୍ଷା କରିବା ଦ୍ୱାରା ଏହାର ବ୍ୟବହାରିକ ଜଟିଳତା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଠିକ ଭାବେ ବୁଝିହେବ । ଯାହାକି ଦେଶର ପରବର୍ତ୍ତୀ ପିଢ଼ିର ଏରିଏଲ୍ ସିଷ୍ଟମକୁ ବୈଧ କରିବା ଓ ଏହାର ପ୍ରସାର କ୍ଷେତ୍ରରେ ଏକ ବଡ଼ ସଫଳତା ହେବ ବୋଲି କୁହାଯାଉଛି ।
ବେନଭୋ ଏରୋ ସହ ଏମଓୟୁ ସ୍ୱାକ୍ଷରିତ
ଏହି ଡ୍ରୋନ୍ ଇନୋଭେସନ କରିଡ଼ର ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଦେଶର ପ୍ରମୁଖ ଷ୍ଟାର୍ଟଅପ୍ କମ୍ପାନୀ ‘ବିଓଏନଭି ଏରୋ’ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଉଷା ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଓଡ଼ିଶା ଆଗାମୀ ଯୁଗର ଗମନାଗମନ ପାଇଁ ଭିତ୍ତିିଭୂମି ପ୍ରସ୍ତୁତ କରୁଛି । 'ବେନଭୋ ଏରୋ' ଭଳି ଦେଶୀୟ ଉଦଭାବକଙ୍କ ସହାୟତାରେ ରଙ୍ଗେଇଲୁଣ୍ଡାକୁ ଜାତୀୟସ୍ତରର ଏକ ପରୀକ୍ଷଣ କେନ୍ଦ୍ରରେ ପରିଣତ କରାଯିବ । ଏଠାରେ ସରକାର ଓ ଶିଳ୍ପ ଜଗତ ମିଳିତ ଭାବେ ଭାରତର ‘ଲୋ-ଅଲ୍ଟିଚ୍ୟୁଡ୍ ଇକୋନୋମି'ର ରୂପରେଖ ପ୍ରସ୍ତୁତ କରିବେ । ଓଡ଼ିଶା କେବଳ ଜାତୀୟ ନୀତିକୁ କାର୍ଯ୍ୟକାରୀ କରିବା ନୁହେଁ ବରଂ ଜାତୀୟ ନୀତି ପ୍ରଣୟନରେ ନିଜର ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।
ନିଯୁକ୍ତି ଓ ଶିଳ୍ପ ବିକାଶ ଉପରେ ଗୁରୁତ୍ୱ
ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ କେବଳ ଡ୍ରୋନ ପରୀକ୍ଷା ହେବ ନାହିଁ, ବରଂ ଏହାକୁ କେନ୍ଦ୍ର କରି ବହୁ ସଂଖ୍ୟାରେ ଉଦ୍ୟୋଗ ଗଢ଼ିଉଠିବ । ଦେଶ ବିଦେଶର ବହୁ ପ୍ରଯୁକ୍ତିବିଦ୍ୟା କମ୍ପାନୀ ନିଜର ଉତ୍ପାଦ ପରୀକ୍ଷା କରିବା ପାଇଁ ଓଡ଼ିଶା ଆସିବେ, ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ।
ଯୁବକମାନଙ୍କ ପାଇଁ ଡ୍ରୋନ ପାଇଲଟ, ସଫ୍ଟୱେୟାର ଡେଭଲପର ଓ ଏରୋସ୍ପେସ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଅନେକ ସୁଯୋଗ ମିଳିବ । ଦକ୍ଷିଣ ଓଡ଼ିଶାର ଏହି ଅଞ୍ଚଳ ଭାରତର ‘ଡ୍ରୋନ ହବ୍' ଭାବେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି । ଏହି କରିଡରର ବିକାଶ ରାଜ୍ୟ ସରକାରଙ୍କ ‘ବି-ମାନ' ସ୍କିମ୍ ଅଧୀନରେ ବିଭିନ୍ନ ପର୍ଯ୍ୟାୟରେ କରାଯିବ । ଡ୍ରୋନଗୁଡ଼ିକ ଅଧିକ ଜନବହୁଳ ଅଞ୍ଚଳରେ କିପରି କାର୍ଯ୍ୟ କରିବେ, ତାହାର ଯାଂଚ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us