malkangiri
ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଗୁରୁପ୍ରିୟା ସେତୁର ୧୬ ନମ୍ବର ପିଲର ଉପରେ ଥିବା ଗାର୍ଡର ଏକ୍ସପାନସନ୍ ଜଏଣ୍ଟ ମୋଡ଼ି ହୋଇଯାଇଛି। ଏଥିଯୋଗୁ ବ୍ରିଜ୍ରେ ଫାଟ ସୃଷ୍ଟି ହେବା ସହ ପିଲର ଅଞ୍ଚଳରେ ମରାମତି ଆବଶ୍ୟକ ହୋଇପଡ଼ିଛି। ତେବେ ଏହା ବ୍ରିଜ୍ର ଠିକ୍ ମଝିରେ ହୋଇଥିବାରୁ ସ୍ୱାଭିମାନ ଅଞ୍ଚଳବାସୀ ବ୍ରିଜ୍ ଦେଇ ଯିବାକୁ ଭୟଭୀତ ହେଉଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଗୁରୁପ୍ରିୟା ସେତୁର ମରାମତି କାମ ଆରମ୍ଭ ହୋଇଛି।
ଅନ୍ୟପକ୍ଷେ ମାତ୍ର ଦେଢ଼ ବର୍ଷ ଭିତରେ ବ୍ରିଜ୍ରେ ମରାମତି ଆବଶ୍ୟକ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଠିଛି। ଏହା କେବଳ ସାମାନ୍ୟ ମରାମତି ଯାହା ଗୋଟେ କିମ୍ବା ଦୁଇଟି ଦିନରେ ସରିବ ବୋଲି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମିଶ୍ର କହିଛନ୍ତି। ଦୀର୍ଘ ବର୍ଷର ଦାବି ପରେ ଗୁରୁପ୍ରିୟା ସେତୁ ନିର୍ମାଣ ହୋଇଥିଲା। ସ୍ୱାଭିମାନ ଅଞ୍ଚଳକୁ ଜନସାଧାରଣଙ୍କ ସହ ଯୋଡ଼ିବା ପାଇଁ ଏହି ପୋଲ୍ ମୁଖ୍ୟ ଭୂମିକା ଗ୍ରହଣ କରିଛି। ବ୍ରିଜ୍ର ଏପରି ବ୍ୟବସ୍ଥା ପରେ ଏବେ ସ୍ୱାଭିମାନ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ବିଚ୍ଛିନ୍ନାଞ୍ଚଳ ବାସିନ୍ଦାଙ୍କ ୬ ଦଶନ୍ଧିର ସ୍ୱପ୍ନ ଗୁରୁପ୍ରିୟା ସେତୁକୁ ଜୁଲାଇ ୨୬, ୨୦୧୮ରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ୯୧୦ ମିଟର ଦୀର୍ଘ ଏହି ସେତୁ ନିର୍ମାଣ ପାଇଁ ୧୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ଉପରେ ୧୫୧ଟି ଗାଁର ପ୍ରାୟ ୩୦ ହଜାର ଲୋକ ନିର୍ଭର କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/malkangiri-880.jpg)