
CBI-OPRB Police SI exam Scam
ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ତଦନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । କ୍ରାଇମବ୍ରାଂଚ ତଦନ୍ତରେ ଆଖିଦୃଶିଆ ସଫଳତା ନମିଳିବା, ଗୃହ ସଚିବ ଓ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଅଧ୍ୟକ୍ଷଙ୍କ ବିରୁଦ୍ଧରେ ବିରୋଧୀ ଦଳର ସିଧାସଳଖ ଅଭିଯୋଗ, ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ଆଇଟିଆଇ ଓ ସିଲିକନ୍ ପ୍ରତି ରାଜ୍ୟ ପ୍ରଶାସନର ଅହେତୁକ ଅନୁକମ୍ପା, ତଦନ୍ତ ପ୍ରକ୍ରିୟାକୁ ନେଇ କ୍ରାଇମବ୍ରାଂଚ ଡିଜି ଓ ପୁଲିସ ଡିଜିଙ୍କ କୋହଳ ଆଭିମୁଖ୍ୟକୁ ଦେଖି ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଠୋର ଆଭିମୁଖ୍ୟ ପୋଷଣ କରି ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
କ୍ରାଇମବ୍ରାଂଚ ଫେଲ୍, ସିବିଆଇକୁ ତଦନ୍ତ ଦାୟିତ୍ୱ
ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା(Odisha Police SI Exam Scam) ଦୁର୍ନୀତିର ତଦନ୍ତ ଦାୟିତ୍ୱ ଦୀର୍ଘ ୨୩ଦିନ ଧରି କ୍ରାଇମବ୍ରାଂଚ ପାଖରେ ରହିଛି । ଚାକିରି ଆଶାରେ ଲାଂଚ ଦେଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଜେଲ୍ ପଠାଇଥିବା କ୍ରାଇମବ୍ରାଂଚ କେବଳ ଛୋଟ ମୁଣ୍ଡ(୯ଜଣ ଦଲାଲ)ଙ୍କୁ ଗିରଫ ମଧ୍ୟରେ ନିଜର ତଦନ୍ତକୁ ସୀମିତ ରଖିଛି ।
ଏହି ଦୁର୍ନୀତି ସହ ଜଡ଼ିତ ଓପିଆରବି, ଗୃହ ବିଭାଗର ଅଧିକାରୀ, ଆଇଟିଆଇ ଲିମିଟେଡ ଓ ସିଲିକନ୍ ଟେକଲାବ୍ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦୂରର କଥା ସାମାନ୍ୟ ଜେରା କରିବାରେ ସକ୍ଷମ ହୋଇପାରିନାହିଁ । ଏପରିକି କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ର ଓ ପୁଲିସ ଡିଜି ୱାଇବି ଖୁରାନିଆ ଏହି ମାମଲାର ନିୟମିତ ସମୀକ୍ଷା କରୁଥିଲେ ମଧ୍ୟ ଲାଂଚ ନେଇଥିବା ବଡ଼ମୁଣ୍ଡଙ୍କୁ କାହିଁକ ତଦନ୍ତ ପରିସରଭୁକ୍ତ କରାଯାଉନଥିଲା ତାହା ଏବେ ସାଧାରଣରେ ସନ୍ଦେହ ବଢ଼ାଇଛି । ସମୟ ଗଡ଼ାଇ କେସକୁ ଚାପି ଦେବା ଓ ‘ ଦୁର୍ନୀତି ସିଣ୍ଡିକେଟ’କୁ ସୁରକ୍ଷା ଦେବାକୁ କସରତ ଚାଲିଥିବା ନେଇ ମଧ୍ୟ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଥିଲା ।
ଏପଟେ ତଦନ୍ତର ଏଭଳି ଦିଶାହୀନ ଗତିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ଷୁବ୍ଧ ହେବା ସହ ସିବିଆଇକୁ ତଦନ୍ତଭାର ଦେବାକୁ ନିଷ୍ପତ୍ତି ନେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଅକ୍ଟୋବର ୬ ତାରିଖରେ ନୂଆପଡ଼ା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ନିଯୁକ୍ତି ପରୀକ୍ଷା ଦୁର୍ନୀତି ସିଣ୍ଡିକେଟରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଛଡ଼ାଯିବ ନାହିଁ ଓ ପାତାଳରୁ ଖୋଜି ବାହାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ପରୋକ୍ଷରେ ‘ସିବିଆଇ’ ତଦନ୍ତର ସଙ୍କେତ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ବହୁଚର୍ଚ୍ଚିତ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥାଇପାରେ । ଏହି ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ ଅପରାଧୀ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।
ଏହି ଦୁର୍ନୀତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ କରିବା ଓ ଏଥିରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇଥିବା ତାଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ପୁଲିସ୍ ଓ ଅନ୍ୟାନ୍ୟ ୟୁନିଫର୍ମ ସେବା କର୍ମଚାରୀ ଚୟନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ଓପିଆରବି ବଦଳରେ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ବିଚାର କରୁଥିବା ମଧ୍ୟ ଜଣାପଡ଼ିଛି ।
ଗୃହ ବିଭାଗ-ଓପିଆରବି-ସିଲିକନର ତ୍ରାଣକର୍ତ୍ତା ସାଜିଥିଲା କି କ୍ରାଇମବ୍ରାଂଚ?
ବିରୋଧୀ ବିଜେଡି ଖୋଲାଖୋଲି ଭାବେ ପ୍ରଥମଦିନରୁ ଓପିଆରବି ଅଧ୍ୟକ୍ଷ, ଗୃହ ସଚିବ ଓ ସିଲିକନ୍ ଟେକଲାବ ମାଲିକଙ୍କୁ ‘ଢ଼େଙ୍କାନାଳ ଲିଙ୍କ୍’ କହି କାଠଗଡ଼ାରେ ଛିଡ଼ା କରିବା ସହ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରିଥିଲେ ମଧ୍ୟ କ୍ରାଇମବ୍ରାଂଚ ଏମାନଙ୍କୁ କାହାରିକୁ ଛୁଇଁ ପାରିନଥିଲା । ଏପରିକି ଆଇଟିଆଇ ଲିମିଟେଡ କିଭଳି ଘରୋଇ ସଂସ୍ଥାଗୁଡ଼ିକୁ ସବଲେଟ୍ ଦେଇଥିଲା ଓ ଏହି ଟେଣ୍ଡର ଅନିୟମିତତା ପଛର କାରଣକୁ ମଧ୍ୟ ପର୍ଦ୍ଦାଫାସ କରିବାରେ ସକ୍ଷମ ହେଲାନି । ଏପଟେ ଓପିଆରବି ନିଜର ବାହାଦୂରୀ ଦେଖାଇବାକୁ ଯାଇ ପ୍ରେସ୍ ରିଲିଜ୍ ମାଧ୍ୟମରେ ରାଜନୀତିକ ଦଳ ଭଳି ବୟାନବାଜି କରିବାକୁ ପଛାଇଲା ନାହିଁ ।
ଏହି ଦୁର୍ନୀତି ପର୍ଦ୍ଦାଫାସ ହୋଇଥିଲେ ମଧ୍ୟ ଆଜିସୁଦ୍ଧା ଆଇଟିଆଇ ଲିମିଟେଡ-ସିଲିକନ୍ ସହ ହୋଇଥିବା ଚୁକ୍ତିକୁ ମଧ୍ୟ ବାତିଲ କରିବାକୁ ଆଗ୍ରହ ଦେଖାଇନାହିଁ । ପୁଲିସ ଏସଆଇ ପରୀକ୍ଷା ପରିଚାଳନା ପାଇଁ ଓପିଆରବି-ଆଇଟିଆଇ ଲିମିଟେଡ-ସିଲିକନ ଟେକଲାବ-ପଂଚସଫ୍ଟ ମଧ୍ୟରେ ଅଘୋଷିତ ଡିଲ ଓ ଆଉଟସୋର୍ସିଂ ପଛର ରହସ୍ୟକୁ ଭେଦ କରିବାକୁ କ୍ରାଇମବ୍ରାଂଚ(Crime Branch Failed) ବିଗତ ୨୩ଦିନ ମଧ୍ୟରେ ସାମାନ୍ୟତମ ପ୍ରୟାସ କରିନଥିବା ଜଣାପଡ଼ିଛି ।
ନାମକୁ ମାତ୍ର ସିଲିକନ୍ ନିର୍ଦ୍ଦେଶକ ସୁରେଶ କୁମାର ନାୟକଙ୍କୁ ଡାକି ୨ଘଣ୍ଟା ପଚରାଉଚୁରା କରି ଛାଡ଼ି ଦେବା ଓ ଓପିଆରବି କର୍ତ୍ତୃପକ୍ଷଙ୍କ ଅକ୍ଟୋବର ୧୧ତାରିଖର ପ୍ରେସ୍ ରିଲିଜ୍ ଏବଂ ଗୃହ ବିଭାଗର ନିରବତା ହିଁ କ୍ରାଇମବ୍ରାଂଚର ତଦନ୍ତର ଦିଶାହୀନ ଦିଗକୁ ପଦାରେ ପକାଇ ଦେଇଥିଲା ।
ପୁଲିସ ନିଯୁକ୍ତି ପ୍ରକ୍ରିୟାରେ ଏତେବଡ଼ ଦୁର୍ନୀତିର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚ କରୁଥିବାବେଳେ କାହିଁକି ଆଖିଦୃଶିଆ ସଫଳତା ମିଳୁନାହିଁ ତା’ର ମଧ୍ୟ ଆବଶ୍ୟକ ନିୟମିତ ସମୀକ୍ଷା ମଧ୍ୟ ପୁଲିସ ଡିଜି ଶ୍ରୀ ଖୁରନିଆ କିମ୍ବା ଗୃହ ସଚିବ ସତ୍ୟବ୍ରତ ସାହୁଙ୍କସ୍ତରରେ ହୋଇନଥିବା ଜଣାପଡ଼ିଛି ।
ଗୁମର ଖୋଲିବ କି ସିବିଆଇ?
ନିଯୁକ୍ତି ଅନିୟମିତତା ସିଣ୍ଡିକେଟ୍ ସହ ଜଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ କଠୋର ଆଭିମୁଖ୍ୟ ଯୋଗୁ ସିବିଆଇ(CBI ) ଏବେ ଏହି ମାମଲାର ତଦନ୍ତ ଭାର ନେବାକୁ ଯାଉଥିବାରୁ ପୁଲିସ ଶୀର୍ଷ ପଦାଧିକାରୀ ଓ ଗୃହ ବିଭାଗର ଅଧିକାରମାନଙ୍କ ମଧ୍ୟରେ ଛନକା ପଶିଛି । ଆଇଟିଆଇ ଲିମିଟେଡକୁ କିଏ ଓ କାହିଁକି ବାରମ୍ବାର ନିଜର ପାର୍ଟନର ପରିବର୍ତ୍ତନ କରିବାକୁ ଅନୁମତି ଦେଉଥିଲା ତଥା ଏଥିରେ ଗୃହ ବିଭାଗ ଓ ଓପିଆରବି କର୍ତ୍ତୃପକ୍ଷଙ୍କ ଭୂମିକା କ’ଣ ଥିଲା, କାହା ଅନୁମତିରେ ସିଲିକନ୍ ଏହି ପରୀକ୍ଷା ପରିଚାଳନାକୁ ପଂଚସଫ୍ଟକୁ ଆଉଟସୋର୍ସିଂରେ ଦେଇଥିଲା, ଓପିଆରବି ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ କାହିଁକି ଅଚାନକ ଇସ୍ତଫା ଦେଇ ପଳାଇଲେ, ଚାକିରି ଆଶାୟୀଙ୍କଠୁ ଆଦାୟ ଦେଇଥିବା କୋଟି କୋଟି ଟଙ୍କାରୁ କିଏ କେତେ ନେଇଛ ସେସବୁର ଖୋଳତାଡ଼ ସିବିଆଇ କରିବ ବୋଲି ଆଶା କରାଯାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
