/odisha-reporter/media/post_attachments/uploadimage/library/16_9/16_9_0/Naba_Das_1674986535.jpg)
Naba Das
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଏକ ଟିମ୍ ଗଠନ କରିଛି। ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଛି। ଏହା ସହିତ ଏହି ଟିମ୍ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରି ସାରିଛି। ଏହି ଟିମ୍ ସହିତ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ଅଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିବା ମାତ୍ରେ କ୍ରାଇମବ୍ରାଞ୍ଚ ଟିମ୍ ଗଠନ କରିଛି। କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଜଣେ ପୁଲିସ୍ ଏଏସ୍ଆଇ ଗୁଳିମାଡ଼ କରିଛନ୍ତି। ତାଙ୍କ ନାଁ ଗୋପାଳ ଦାସ। ସେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ୍ ଆଉଟ୍ପୋଷ୍ଟରେ ନିଯୁକ୍ତ ହୋଇଥିଲେ। ତେବେ ସେ କାହିଁକି ମନ୍ତ୍ରୀଙ୍କ ଉପରକୁ ଗୁଳି ଚଲାଇଲେ ତାହା ଜଣାପଡ଼ିନାହିଁ।
ମନ୍ତ୍ରୀ ଶ୍ରୀ ଦାସଙ୍କର ଛାତିରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ସେଥିପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଛି। ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।
ଶ୍ରୀ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ହଠାତ୍ କେହି କିଛି ଜାଣି ପାରି ନଥିଲେ। କିନ୍ତୁ ଶ୍ରୀ ଦାସ ପଡ଼ିଯିବା ପରେ ସମସ୍ତେ ଜାଣିଲେ ଯେ ଗୁଳି ମାଡ଼ ହୋଇଛି ଓ ଗୁଳି ଶ୍ରୀ ଦାସଙ୍କ ଦେହରେ ବାଜିଛି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପାଛୋଟି ଆଣିବା ବେଳେ ଗୁଳି ଫୁଟିଥିଲା। ଜଣେ ପୁଲିସ୍ କର୍ମଚାରୀ ତାଙ୍କ ଉପରକୁ ଗୁଳି କରିଥିଲେ। ସେ ୨ ରାଉଣ୍ଡ ଗୁଳି କରିବା ପରେ ଉପସ୍ଥିତ ଅନ୍ୟ ପୁଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରି ଥିଲେ। ସେ ବନ୍ଧୁକ ଧରିଥିବା ହାତଟିକୁ ଅନ୍ୟ ପୁଲିସ୍ କର୍ମଚାରୀମାନେ ଉପରକୁ କରି ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
