/odisha-reporter/media/post_attachments/uploadimage/library/16_9/16_9_0/IMAGE_1675086830.jpg)
Late Naba Das
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି ମାରି ହତ୍ୟା କରିବା ଘଟଣା ଅଧିକ ରହସ୍ୟମୟ ହେବାରେ ଲାଗିଛି । ବିରୋଧୀ ଦଳଠୁ ଆରମ୍ଭ କରି ପରିବାର ସଦସ୍ୟମାନେ ଏହି ହତ୍ୟା ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ଅଛି ବୋଲି ଅଭିଯୋଗ କରୁଥିବାବେଳେ ସେଭଳି ବଳିଷ୍ଠ କାରଣ ନଥାଇ ସର୍ବସମ୍ମୁଖରେ ନବଙ୍କୁ କାହିଁକି ଗୋପାଳ ଗୁଳିମାଡ଼ କଲେ ତାକୁ ସାଧାରଣରେ କେହି ସହଜରେ ହଜମ କରିପାରୁନାହାନ୍ତି । ଆଉ ଘଟଣାର ୨୪ଘଂଟା ପରେ ବି ହତ୍ୟାର କାରଣ ସମ୍ପର୍କରେ ପୁଲିସ ଓ କ୍ରାଇମବ୍ରାଂଚ ଉଭୟ ନିରବଦ୍ରଷ୍ଟା ସାଜିଛନ୍ତି।ଏସବୁ ଭିତରେ ପୁଲିସ ଏଏସଆଇ ଗୋପାଳକୃଷ୍ଣଙ୍କୁ ମାନସିକ ରୋଗୀ ଦର୍ଶାଇବା ପାଇଁ ବେଶ୍ ସୁନିୟୋଜିତ ଢଙ୍ଗରେ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ନବ ଦାସଙ୍କୁ ଗୁଳିମାଡ଼ ହେବା ପରଠୁ ତାଙ୍କ ଶବକୁ ସଂସ୍କାର କରାଯିବା ପର୍ଯ୍ୟନ୍ତ ଘଟଣାକ୍ରମ ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଏହା ସାଧାରଣ ହତ୍ୟା ନୁହେଁ ବରଂ ଗୋପାଳଙ୍କୁ ସୁପାରି କିଲର ଭାବେ ଉପଯୋଗ କରାଯାଇଥିବା ଚର୍ଚ୍ଚା ହେଉଛି ।
ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ତାଙ୍କ ନିଜ କାକା ଅଭିଯୋଗ କରିଛନ୍ତି, ଏ ହତ୍ୟା ପଛରେ ଶୀର୍ଷସ୍ତରର ଷଡ଼ଯନ୍ତ୍ର ହୋଇଛି । ବଡ଼ବଡ଼ିଆଙ୍କ ହାତ ରହିଛି । ହତ୍ୟା ପଛରେ କୌଣସି ବ୍ୟବସାୟିକ ଶତ୍ରୁତା ନାହିଁ । ଗୋପାଳ ଦାସଙ୍କ ମୁଣ୍ଡ ଠିକ୍ ନଥିବା କେବଳ ପ୍ରଚାର କରାଯାଉଛି । ନବ ଦାସଙ୍କ ପିଉସୀ ପୁଅ ଭାଇ ମଧ୍ୟ ଗଣମାଧ୍ୟମ ଆଗରେ ଅନୁରୂପ ଅଭିଯୋଗ କରିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ତଥା ବରିଷ୍ଠ ଓକିଲ ନରସିଂହ ମିଶ୍ର କହିଛନ୍ତି ଯେ, ଏହା ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟା । ଏହା ସାଧାରଣ ହତ୍ୟା ନୁହେଁ, ଗୁଢ଼ ରହସ୍ୟ ଥିବ । ହତ୍ୟାକାରୀକୁ ମାନସିକ ରୋଗୀ କୁହାଯିବା ବି ବିଶ୍ୱାସଯୋଗ୍ୟ ନୁହେଁ । ଯଦି ମାନସିକ ରୋଗୀ, ତା’ହେଲେ ହତ୍ୟା ପାଇଁ ସରକାର ଦାୟୀ । ପୁଲିସ ଯଦି ଅପରାଧୀଙ୍କୁ ସାଲ୍ୟୁଟ୍ ମାରିବ, ଅପରାଧ ନିୟନ୍ତ୍ରଣ କିପରି କରିବ? ଗୁଇନ୍ଦା ବିଭାଗ ଠିକ୍ ଭାବେ କାମ କରୁନି ବୋଲି ଏହି ହତ୍ୟାରୁ ପ୍ରମାଣିତ ହୋଇଛି । ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଘଟଣା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ।
ସେହିପରି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଏହା ଏକ ଷଡ଼ଯନ୍ତ୍ର । ଯେଉଁମାନେ ସୁରକ୍ଷାରେ ରହିବା କଥା ସେମାନଙ୍କ ଦ୍ୱାରା ହତ୍ୟା କରାଯାଇଛି । ଜଣେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରି ଯୋଜନାବଦ୍ଧ ଭାବେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀ ପୁଲିସକୁ ମାନସିକ ରୋଗୀ କହିବା ଓ ଏହାକୁ ପ୍ରମାଣିତ କରାଇବା ପାଇଁ ସମସ୍ତେ ପୁରାଦମରେ ଲାଗି ପଡ଼ିଛନ୍ତି । ଯଦି ସେ ପୂର୍ବରୁ ମାନସିକ ରୋଗୀ କି ପାଗଳ ଥିଲେ ଓ ମେଡିସିନ୍ ଖାଉଥିଲେ ତାଙ୍କୁ ସର୍ଭିସ ବନ୍ଧୁକ ଦେଲା କିଏ? ଏଥିରେ ବରିଷ୍ଠ ସରକାରୀ ଅଧିକାରୀ, ରାଜନୀତିକ ଲୋକ ବି ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହା ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଛି । ଯେଉଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ସେ ବିଜେଡି କର୍ମୀଙ୍କ ଭଳି କାମ କରନ୍ତି । ପୂର୍ବରୁ ଏହାର ଉଦାହରଣ ବି ଅଛି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମନାକୁ ଆସିବ ଓ ବଡ଼ମୁଣ୍ଡ ଗିରଫ ହେବେ ବୋଲି ସେ ଆଶଙ୍କା କରିଛନ୍ତି ।
ଏହି ହତ୍ୟା ଘଟଣାକୁ ୨୪ଘଂଟାରୁ ଅଧିକ ସମୟ ବିତିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ କ୍ରାଇମବ୍ରାଂଚ କିମ୍ବା ଜିଲ୍ଲା ପୁଲିସ ପକ୍ଷରୁ ହତ୍ୟା ପଛର ବାସ୍ତବ କାରଣ କ’ଣ ଥାଇପାରେ ସେ ନେଇ ପ୍ରାଥମିକ ପ୍ରତିକ୍ରିୟା ଦିଆଯାଉନି । ସୁନ୍ଦରଗଡ଼ର ରିଜର୍ଭ ପୁଲିସ ବାରାକ ଭିତରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସକୁ କ୍ରାଇମବ୍ରାଂଚର ବରିଷ୍ଠ ଅଧିକାରୀମାନେ ଜେରା କରୁଛନ୍ତି । କିନ୍ତୁ ପୁଲିସର ନିରବତା ହିଁ ଏହି ଘଟଣା ପଛରେ ରହିଥିବା ଶଙ୍କା ଓ ରହସ୍ୟକୁ ଅଧିକ ଘନୀଭୂତ କରାଇଛି । ଏହାସହିତ ରାଜ୍ୟର ଅନ୍ୟ ରାଜନୀତିକ ହିଂସା ଘଟଣା ପରି ଏହି ଗୁଳିମାଡ଼ର ପ୍ରକୃତ କାରଣ ସବୁଦିନ ପାଇଁ ଯେ ହଜିଯିବ, ସେଭଳି ପରିସ୍ଥିତି ଏବେଠୁ ପ୍ରତୀତ ହେଲାଣି ବୋଲି ସାଧାରଣରେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
