Advertisment

Police Exam Scam: କ୍ରାଇମବ୍ରାଂଚର ଦିଶାହୀନ ତଦନ୍ତ , ସନ୍ଦେହରେ ‘ଓପିଆରବି’ ଭୂମିକା, କାହା ସୁରକ୍ଷାରେ ସିଲିକନ୍ ?

ତଦନ୍ତ ହାତକୁ ନେବାର ୧୮ଦିନ ପରେ ମଧ୍ୟ ନିଯୁକ୍ତି ପରୀକ୍ଷା ଦୁର୍ନୀତି ସିଣ୍ଡିକେଟର ଅସଲ ମାଷ୍ଟରମାଇଣ୍ଡମାନଙ୍କୁ ତଦନ୍ତ ପରିସରଭୁକ୍ତ ନକରି କେବଳ ଦିନ ଗଡ଼ାଇ ଗଡ଼ାଇ ଘଟଣାକୁ ଚାପି ଦେବାକୁ କ୍ରାଇମବ୍ରାଂଚ କସରତ କରୁଥିବା ଚର୍ଚ୍ଚା ହେଉଛି ।

author-image
Prakash Sethi
police-job-scam

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାକୁ ମିଳିମିଶି ଚାପି ଦେବାକୁ ଆରମ୍ଭ ହୋଇଛି କସରତ । କ୍ରାଇମବ୍ରାଂଚର ଦିଶାହୀନ ତଦନ୍ତ ଓ ‘ଓଡିଶା ପୁଲିସ ନିଯୁକ୍ତି ବୋର୍ଡ’ (ଓପିଆରବି)ର ପ୍ରଶାସନିକ ବିଫଳତା ପାଇଁ ଲକ୍ଷ ଲକ୍ଷ ଚାକିରି ଆଶାୟୀ ଯୁବବର୍ଗଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏହି ନିଯୁକ୍ତି ପରୀକ୍ଷା ସହ ଜଡ଼ିତ ଓପିଆରବି, ଆଇଟିଆଇ ଲିମିଟେଡ୍ ଓ ସିଲିକନ୍ ଟେକଲାବ ମଧ୍ୟରେ ଅଘୋଷିତ ମେଂଟ ଓ ପ୍ରଶାସନିକ ବିଫଳତା ପଛର ରହସ୍ୟକୁ ଉଜାଗର ନକରି କ୍ରାଇମବ୍ରାଂଚ ଏବେ କେବଳ ପରୀକ୍ଷାର୍ଥୀ, ଦଲାଲ ଓ ପଂଚସଫ୍ଟ ଭଳି ବିବାଦୀୟ ସଂସ୍ଥା ମଧ୍ୟରେ ନିଜର ତଦନ୍ତକୁ ସୀମିତ କରିଦେଇଥିବା ଜଣାପଡ଼ିଛି । ତଦନ୍ତ ହାତକୁ ନେବାର ୧୮ଦିନ ପରେ ମଧ୍ୟ ନିଯୁକ୍ତି ପରୀକ୍ଷା ଦୁର୍ନୀତି ସିଣ୍ଡିକେଟର ଅସଲ ମାଷ୍ଟରମାଇଣ୍ଡମାନଙ୍କୁ ତଦନ୍ତ ପରିସରଭୁକ୍ତ ନକରି କେବଳ ଦିନ ଗଡ଼ାଇ ଗଡ଼ାଇ ଘଟଣାକୁ ଚାପି ଦେବାକୁ କ୍ରାଇମବ୍ରାଂଚ କସରତ କରୁଥିବା ଚର୍ଚ୍ଚା ହେଉଛି ।

Advertisment


‘ଓପିଆରବି’ର ସନ୍ଦେହଜନକ ଭୂମିକା, ସରକାର ନିରବ

‘ଓପିଆରବି’ର ଅକ୍ଟୋବର ୯ତାରିଖ ବୈଠକର ବିବରଣୀ, ଅକ୍ଟୋବର ୧୧ତାରିଖ ପ୍ରେସ ରିଲିଜ୍ ଏବଂ ୨୦୨୫ ମେ’ ୨୮ତାରିଖରେ ଆଇଟିଆଇ ଲିମିଟେଡର କୋଲକାତା ଅଫିସକୁ ପୁଲିସ ମୁଖ୍ୟାଳୟ ଦେଇଥିବା ଚିଠି ହିଁ ଖୋଲାଖୋଲି ଭାବେ ‘ଓପିଆରବି’ର ସନ୍ଦେହଜନକ ଭୂମିକାକୁ ପଦାରେ ପକାଇ ଦେଇଛି । ୨୦୨୫ ମାର୍ଚ୍ଚ ୮-୯ରେ ପ୍ରଥମଥର ପୁଲିସ ଏସଆଇ ପରୀକ୍ଷା ବାତିଲ ହେବାପରେ ଆଇଟିଆଇ ଲିମିଟେଡକୁ ମେ’ ୨୮ତାରିଖରେ ଚିଠି ଦିଆଯିବାବେଳେ ଓପିଆରବିର ଅଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ନାଥ(ଏବେବି ଅଛନ୍ତି) ଦାୟିତ୍ୱ ନେଇସାରିଥିଲେ ।

ଏହି ସବୁ ଦସ୍ତାବିଜକୁ ଖୋଳତାଡ଼ ପରେ ଏଭଳି ଏକାଧିକ ଦିଗ ପଦାକୁ ଆସିଛି ଯାହା ‘ଓପିଆରବି’ର ସନ୍ଦେହଜନକ ଭୂମିକାକୁ ଇଙ୍ଗିତ କରୁଛି । ମାତ୍ର କ୍ରାଇମବ୍ରାଂଚ ଏସବୁ ଦିଗ ପ୍ରତି ଆଖିବୁଜି ଦେଇଥିବା ଭଳି ଜଣାପଡ଼ୁଛି ।

Advertisment

ଅକ୍ଟୋବର ୯ତାରିଖରେ OPRB ଅଧ୍ୟକ୍ଷ ସୁଶାନ୍ତ ନାଥଙ୍କ ଅଧ୍ୟକ୍ଷତାରେ ଓ ବୋର୍ଡର ଅନ୍ୟ ଦୁଇ ସଦସ୍ୟ ଅବିନାଶ କୁମାର ଓ ସୁବାସ ଚନ୍ଦ ପଣ୍ଡାଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଏହି ବୈଠକର ବିବରଣୀ ଅନୁସାରେ ସେପ୍ଟେମ୍ବର ୨୯ତାରିଖରେ ଅଭିଯୋଗ ମିଳିବା(ଆନ୍ଧ୍ର ଯିବାବେଳେ ପରୀକ୍ଷାର୍ଥୀ ଧରାପଡ଼ିଥିଲେ) ପରେ ସଙ୍ଗେସଙ୍ଗେ ଓପିଆରବି ଏକ ଜରୁରୀ ବୈଠକ ଡାକିଥିଲା। ସେହି ବୈଠକରେ ଆଇଟିଆଇ ଲିମିଟେଡ ପକ୍ଷରୁ ଚିଫ ମ୍ୟାନେଜର ମହେଶ୍ୱର ବେହେରା ଓ ସିଲିକନ୍ ଟେକଲାବର ନିର୍ଦ୍ଦେଶକ ସୁରେଶ କୁମାର ନାୟକ ଯୋଗ ଦେଇଥିଲେ । ତେବେ ୯ତାରିଖ ବୈଠକବେଳେ ପଂଚସଫ୍ଟକୁ ହଟାଇଥିବା ନେଇ ସିଲିକନ୍ ଏକ ଅଣ୍ଡରଟେକିଂ ଦାଖଲ କରିସାରିଥିଲା । ସେହିପରି ଆଇଟିଆଇ ଲିମିଟେଡର ସିଏମଡିଙ୍କୁ ହାଜର ହୋଇ ପକ୍ଷ ରଖିବାକୁ କୁହାଯିବା ସହ ଏହି ଚୁକ୍ତି କାହିଁକି ବାତିଲ ନହେବ ସେଥିପାଇଁ ଆଇଟିଆଇ ଜିଏମଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିବା ନେଇ ମଧ୍ୟ ଏହି ବିବରଣୀରେ ଉଲ୍ଲେଖ ରହିଛି । ଏହି ସମଗ୍ର ପ୍ରକ୍ରିୟା(Odisha Police Exam)ରେ ରାଜ୍ୟ ସରକାରଙ୍କ ନିରବତା ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମଧୁଚନ୍ଦ୍ରିକାରେ ଓପିଆରବି ଓ ସିଲିକନ ଟେକଲାବ?

ବିରୋଧୀ ବିଜେଡି ଖୋଲାଖୋଲି ଭାବେ ଓପିଆରବି ଅଧ୍ୟକ୍ଷ, ଗୃହ ସଚିବ ଓ ସିଲିକନ୍ ଟେକଲାବ ମାଲିକଙ୍କୁ ‘ଢ଼େଙ୍କାନାଳ ଲିଙ୍କ୍‌’ କହି କାଠଗଡ଼ାରେ ଛିଡ଼ା କରିବା ସହ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରିସାରିଛି । ଏବେ ଯେଉଁସବୁ ତଥ୍ୟ ପଦାକୁ ଆସିବାରେ ଲାଗିଛି ତାହା ମଧ୍ୟ ସିଲିକନ୍ ଟେକଲାବ୍ ପ୍ରତି ‘ଓପିଆରବି’ ଓ କ୍ରାଇମବ୍ରାଂଚର ଦରଦକୁ ପଦାରେ ପକାଇ ଦେଇଛି ।

୧-ଓପିଆରବି କର୍ତ୍ତୃପକ୍ଷ କେଉଁ ଅଧିକାର ବଳରେ ପଂଚସଫ୍ଟର ସେବାକୁ ତୁରନ୍ତ ବାତିଲ କରିବାକୁ ସିଲିକନ୍ ଟେକଲାବକୁ କହିଲେ ଓ ସିଲିକନ୍ କାହିଁକି ଅଣ୍ଡରଟେକିଂ ଦାଖଲ କଲା? ଏହି ନିର୍ଦ୍ଦେଶ କେଉଁ ବୈଧାନିକ ବା ଚୁକ୍ତିଗତ କ୍ଷମତା ବଳରେ ଦିଆଗଲା? ଯଦିଓ ଓପିଆରବିର ପ୍ରତ୍ୟକ୍ଷ ଠିକାଦାର ସିଲିକନ୍ ନଥିଲା । ଯଦି ଆଇଟିଆଇ ଲିଃ ସହ ହୋଇଥିବା ଚୁକ୍ତି ସିଲିକନ୍ ପାଇଁ ଲାଗୁ ତେବେ ପଂଚସଫ୍ଟକୁ ଆଉଟସୋର୍ସିଂ ଦିଆଯିବା ସମ୍ପର୍କରେ ଓପିଆରବି କର୍ତ୍ତୃପକ୍ଷ ଅବଗତ ଥିଲେ କି? ନା କେବଳ ଅଭିଯୋଗ ମିଳିବା ପରେ ଏହି ଠିକା ବିଷୟରେ ଓପିଆରବି ଜାଣିଲା?

୨- ଆଇଟିଆଇ ଲିମିଟେଡକୁ କାରଣଦର୍ଶାଅ ନୋଟିସ୍ ଓ ଚୁକ୍ତି ବାତିଲର ଚେତାବନୀ ଦିଆଯାଇଛି । କିନ୍ତୁ ସିଲିକନ୍ ଟେକଲାବ୍ ଯିଏ ସିଧାସଳଖ ପଂଚସଫ୍ଟ କମ୍ପାନୀକୁ ଆଉଟସୋର୍ସିଂ ଦେଇଥିଲା ତାହା ପ୍ରତି କାହିଁକି କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏହି ପାତରଅନ୍ତର କରି ସିଲିକନକୁ କିଏ ସୁରକ୍ଷା ଦେଉଛି?

୩- ଯଦି ପଂଚସଫ୍ଟକୁ ନିଯୁକ୍ତି ଦିଆଯିବା ବିଷୟରେ ଓପିଆରବିକୁ ପୂର୍ବରୁ ଜଣାଥିଲା, ତା’ହେଲେ ଏଭଳି ଏକ ଗୁରୁତର ଅବହେଳାକୁ ମିଳିମିଶି କରାଯାଇଥିଲା କି? ଯଦି ଜଣାନଥିଲା ତାହା କ’ଣ ଓପିଆରବିର ପ୍ରଶାସନିକ ତଦାରଖର ବିଫଳତା ନୁହେଁ କି? ଉଭୟ ପରିସ୍ଥିତିରେ ଓପିଆରବିର ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନ ଉଠିଛି?

୪- ୬ଦିନ ପୂର୍ବରୁ ପରକ୍ଷା ବାତିଲ କରାଗଲା । ତେବେ ଏହି ପରୀକ୍ଷାର ପ୍ରଶ୍ନପତ୍ର କିଏ ପ୍ରସ୍ତୁତ କଲା ଓ ଓପିଆରବିର କେଉଁ ସଦସ୍ୟ ତା’ର ଅନୁମୋଦନ କଲେ ତାହା କ୍ରାଇମବ୍ରାଂଚ କାହିଁକି ଖୋଳତାଡ଼ କରୁନି? ଯଦି ପଂଚସଫ୍ଟକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏହା କ’ଣ ଗୋପନୀୟତା ଓ ନିରପେକ୍ଷତାର ଏକ ଗୁରୁତର ତ୍ରୁଟି ନୁହେଁ କି?

୫- ବିବାଦ ପଦାରେ ପଡ଼ିବା ପରେ ସିଲିକନ୍ ଟେକଲାବ ନିର୍ଦ୍ଦେଶକ ସୁରେଶ ନାୟକ ଓ ଆଇଟିଆଇ ଚିଫ ମ୍ୟାନେଜରଙ୍କ ସହ ଓପିଆରବି କର୍ତ୍ତୃପକ୍ଷ ବୈଠକ କରିଛନ୍ତି । ତେବେ ପଂଚସଫ୍ଟକୁ ଠିକା ଦେବା ପୂର୍ବରୁ ଆଇଟିଆଇ ଓ ସିଲିକନ୍ ଉଭୟ ଓପିଆରବିର ଅନୁମତି ନେଇଥିଲେ କି? ଯଦି ଅନୁମତି ନିଆଯାଇନଥିଲା ତାହା ଚୁକ୍ତିର ଖୋଲା ଉଲ୍ଲଘଂନ ମଧ୍ୟ, ଆଉ ଯଦି ଅନୁମତି ନିଆଯାଇଥିଲା ତେବେ ଓପିଆରବିର ଭୂମିକା ଆହୁରି ସନ୍ଦିଗ୍ଧ ହୋଇଯାଉଛି।

ସିଲିକନର ତ୍ରୁଟି ଯୋଗୁ ସମଗ୍ର ପରୀକ୍ଷା ପରିଚାଳନା ପ୍ରକ୍ରିୟା ଉପରେ ସଙ୍କଟ ସୃଷ୍ଟି ହେବା ସହ ରାଜ୍ୟ ସରକାର ଓ ପ୍ରଶାସନକୁ ମଧ୍ୟ ଅପଦସ୍ତ ହେବାକୁ ପଡ଼ିଛି । ତଥାପି ସେହି ସିଲିକନ ସଂସ୍ଥାଠୁ କାହିଁକି କେବଳ ଅଣ୍ଡରଟେକିଂଟିଏ ରଖି ଛାଡ଼ି ଦିଆଗଲା ଏବଂ ତାଙ୍କ ସଂସ୍ଥା  କିମ୍ବା ତାଙ୍କ ବିରୁଦ୍ଧରେ ଓପିଆରବି ଓ କ୍ରାଇମବ୍ରାଂଚ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାହା ମଧ୍ୟ ସନ୍ଦେହଘେରରେ। ସିଲିକନ୍ ଟେକଲାବ୍ ନିର୍ଦ୍ଦେଶକ ସୁରେଶ ନାୟକଙ୍କୁ କେବଳ ୨ଘଣ୍ଟା ପଚରାଉଚୁରା କରି କ୍ରାଇମବ୍ରାଂଚ ଛାଡ଼ି ଦେଇଛି ।


କାହାକୁ ସୁରକ୍ଷା ଦେଉଛି କ୍ରାଇମବ୍ରାଂଚ?

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ଲାଂଚ ଦେବା କାରବାରରେ ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଜେଲ୍ ପଠାଇବାର ଦୀର୍ଘ ୧୮ଦିନ ପରେ କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ର ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ଓ ଅନ୍ୟ ୩ଜଣ ଶ୍ରୀକାନ୍ତ ମହାରଣା, ପ୍ରିୟଦର୍ଶିନୀ ସାମଲ ଓ ଟି ଅଭିମନ୍ୟୁ ଦୋରାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି । ଏହାସହିତ ନିଯୁକ୍ତି ଦୁର୍ନୀତି ସିଣ୍ଡିକେଟର ମାଷ୍ଟରମାଇଣ୍ଡ ପଂଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଏବେବି ଫେରାର ଥିବା ଓ ଜବତ ହୋଇଥିବା ମୋବାଇଲ ଫୋନଗୁଡ଼ିକର ଯାଂଚ ରିପୋର୍ଟ ମିଳିବାକୁ ପ୍ରାୟ ୨ରୁ ୩ମାସ ସମୟ ଲାଗିବ ବୋଲି କହିଛନ୍ତି ।

ଦୋଷୀଙ୍କୁ ପାତାଳରେ ଥିଲେ ବି ଖୋଜି ବାହାର କରିବାକୁ ମୁଖ୍ୟମନ୍ତ୍ରୀ କହିଥିବାରୁ ସେ ଦିଗରେ କାର୍ଯ୍ୟ କରାଯାଉଥିବା ଓ ଯାହାର ସମ୍ପୃକ୍ତି ଆସିବ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି । ଏହି ମାମଲାରେ ଗିରଫ ସଂଖ୍ୟା ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୧୨୩ରେ ପହଂଚିଛି । ମାତ୍ର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଓପିଆରବି, ଆଇଟିଆଇ ଲିମିଟେଡ୍ ଓ ସିଲିକନ୍ ଟେକଲାବ ସଂସ୍ଥାର ଜଣେ ମଧ୍ୟ କର୍ମଚାରୀ ଏହି ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ନାହାନ୍ତି । ଯାହାକି କ୍ରାଇମବ୍ରାଂଚର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ‘ଓପିଆରବି-ଆଇଟିଆଇ ଓ ସିଲିକନ’ ମଧ୍ୟରେ କେଉଁ ‘ଅଘୋଷିତ ଡିଲ’ କାମ କରୁଛି ତାହା ଲୋକଲୋଚନକୁ ଆଣିବାକୁ ପଦକ୍ଷେପ ନେଉନଥିବା ଚର୍ଚ୍ଚା ହେଉଛି । ପରୀକ୍ଷା ପରିଚାଳନା ସହ ଜଡ଼ିତ ଏହି ୩ଟି ସଂସ୍ଥାର ସନ୍ଦେହଜନକ ଭୂମିକା ଜଳଜଳ ଦିଶୁଥିଲେ ମଧ୍ୟ କ୍ରାଇମବ୍ରାଂଚ( Crime Branch) ନିରବ ରହିଛି । 

OPRB Crime Branch Odisha Police Exam