ବାର ଦେଖି ଦାମୀ ଘଣ୍ଟା ପିନ୍ଧୁଥିଲେ, ରୁପା ଗ୍ଳାସ୍‌ରେ ପାଣି ପିଉଥିଲେ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାର ଦେଖି ନାମୀଦାମୀ ଘଣ୍ଟା ପିନ୍ଧୁଥିଲେ ! ରୁପା ଗ୍ଳାସ୍‌ରେ ପାଣି ପିଉଥିଲେ। ଆଲିସାନ୍ ବିଲ୍ଡିଂରେ ବିତୁଥିଲା ରାଜକୀୟ ଜୀବନ। ଆଜି ଭିଜିଲାନ୍ସ ଜାଲରେ ପଡ଼ିଥିବା RWSSର ଜଣେ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଂଜିନିୟରଙ୍କ ରାଜକୀୟ ଜୀବନ ଓ କୋଟିକୋଟି ମୂଲ୍ୟର ସମ୍ପତ୍ତିକୁ ନେଇ ସବୁଠି ଚର୍ଚ୍ଚା। ଏହି ଅଧିକାରୀ ଜଣକ ମୟୂରଭଂଜ ଉଦଳାରେ କାର୍ଯ୍ୟରତ ଇଂଜିନିୟର ରବି ନାରାୟଣ ପଣ୍ଡା। ତାଙ୍କ ଠାରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହୋଇଛି। […]

watch

watch

Niranjan Mishra
  • Published: Monday, 14 November 2022
  • Updated: 14 November 2022, 10:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାର ଦେଖି ନାମୀଦାମୀ ଘଣ୍ଟା ପିନ୍ଧୁଥିଲେ ! ରୁପା ଗ୍ଳାସ୍‌ରେ ପାଣି ପିଉଥିଲେ। ଆଲିସାନ୍ ବିଲ୍ଡିଂରେ ବିତୁଥିଲା ରାଜକୀୟ ଜୀବନ। ଆଜି ଭିଜିଲାନ୍ସ ଜାଲରେ ପଡ଼ିଥିବା RWSSର ଜଣେ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଂଜିନିୟରଙ୍କ ରାଜକୀୟ ଜୀବନ ଓ କୋଟିକୋଟି ମୂଲ୍ୟର ସମ୍ପତ୍ତିକୁ ନେଇ ସବୁଠି ଚର୍ଚ୍ଚା।

ଏହି ଅଧିକାରୀ ଜଣକ ମୟୂରଭଂଜ ଉଦଳାରେ କାର୍ଯ୍ୟରତ ଇଂଜିନିୟର ରବି ନାରାୟଣ ପଣ୍ଡା। ତାଙ୍କ ଠାରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହୋଇଛି। ଯାହା ଭିତରେ ରହିଛି ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ୍ ଓ ୧୨ଟି ଜମି।  ସେ ଗଳାବାଟରେ ଉପାର୍ଜନ କରିଥିବା କଳା ଟଙ୍କା ହିସାବ ସାରିପାରୁନି ଭିଜିଲାନ୍ସ। ତାଙ୍କ ନାମ ଓ ତାଙ୍କ ପରିବାର ନାମରେ ଭୁବନେଶ୍ୱର ପ୍ରମୁଖ ଅଞ୍ଚଳରେ ଥିବେ ୫ଟି ପ୍ଲଟ ସମେତ କଟକ ୨ଟି ଓ କେନ୍ଦ୍ରାପଡ଼ାରେ ୫ଟି ପ୍ଲଟ ଠାବ କରାଯାଇଛି। ଭୁବନେଶ୍ୱର ଆଇଗିଣିଆରେ ଠାବ ହୋଇଛି ରବିନାରାୟଣ କରିଥିବା ସୌଖିନ୍ ତିନିମହଲା କୋଠା। ଏହାର ଇଣ୍ଟେରିୟର ରୁମ୍‌ରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାୟ ଦେଢ କୋଟି ବ୍ୟାଙ୍କ ଲୋନ୍‌ କରି ରବି ନାରାୟଣ ଏହି ଘର ତିଆରି କରିଥିବା କହୁଥିବା ବେଳେ ତାଙ୍କ କ୍ଲାସ ଓ୍ୱାନ କଣ୍ଟ୍ରାକଟର ପୁଅ ଏହି ବିଲ୍ଡିଂ ତିଆରି କରିଛନ୍ତି। ଏହାବାଦ ଖଣ୍ଡଗିରି ସପିଂ ପ୍ଲାଜାରେ ଦୁଇଟି ସପ୍, ପାତ୍ରପଡା ଟାଓ୍ୱାର ବ୍ଲୁ ହ୍ୱିଲରେ ଟୁ ବିଏଚ୍‌କେ ଫ୍ଳାଟ୍ ରହିଥିବା ଠାବ ହୋଇଛି।

ଏହାବାଦ୍ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କାର ଇନସୁରାନ୍ସ ଓ ବ୍ୟାଙ୍କ ଡିପୋଜିଟ୍, ନଗଦ ୨୬ ଲକ୍ଷ ୯ ହଜାର ଟଙ୍କା, କେଜିଏ ଓଜନର ସୁନା ଅଳଙ୍କାର, ୪୫ ଲକ୍ଷ୍ୟ ମୂଲ୍ୟର ଚାରୋଟି ଚାରି ଚକିଆ କାର୍, ୨.୬୭ ଲକ୍ଷ ଟଙ୍କା ମୂଲ୍ୟର ୩ଟି ବାଇକ୍ ଠାବ ହୋଇଛି।

ତେବେ ସେ ବ୍ୟବହାର କରୁଥିବା ନାମୀଦାମୀ ସୌଖିନ୍ ଘଣ୍ଟାକୁ ନେଇ ସବୁଠି ଚର୍ଚ୍ଚା। ତାଙ୍କ ଘରୁ ମିଳିଛି ଅନେକ ନାମୀ ବ୍ରାଣ୍ଡର ରିଷ୍ଟ ଓ୍ୱାଚ୍। ଏସବୁକୁ ଦେଖିଲେ ଲାଗୁଛି ସତେ ଯେମିତି ଘଣ୍ଟାର ସୋ ରୁମ୍। ରାଡୋ, ଫସିଲ୍ ଭଳି ଅନେକ ନାମୀ ବ୍ରାଣ୍ଡର ରିଷ୍ଟ ଓ୍ୱାଚ୍ ମିଳିଛି ତାଙ୍କ ଘରୁ। ଏହା ବାଦ୍ ବହୁ ପରିମାଣର ସୁନା ଅଳଙ୍କାର, ରୁପାର ସୌଖୀନ ସାମଗ୍ରୀ ମିଳିଛି।

ଏତିକିରେ ସରିନାହିଁ ହିସାବ। ଭୁବନେଶ୍ୱର ଆଇଆରସି ଭିଲେଜ୍ N6ରେ ରହୁଥିବା ତାଙ୍କ ସମୁଦି ଗୋପୀନାଥ ସ୍ୱାଇଁଙ୍କ ଘରେ ଚଢାଉ ବେଳେ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା। ତେବେ ସମୁଦିଙ୍କ କହିବା କଥା, ଏହା ତାଙ୍କର ନୁହେଁ, ବନ୍ଧୁଙ୍କ ଟଙ୍କା। ଜାଗା ବିକ୍ରି ବାବଦକୁ ଦିଲ୍ଲୀର ଜଣେ ବନ୍ଧୁ ଏ ଟଙ୍କା ତାଙ୍କୁ ଦେଇଥିଲେ।

ରବିନାରାୟଣ କେଉଁଠି କେତେ ଟଙ୍କା ବିନିଯୋଗ କରିଛନ୍ତି ତାର ଖୋଳତାଡ଼ ଚଳାଇଛି ଭିଜିଲାନ୍ସ। ଆଉ ମାତ୍ର ୬ ମାସ ପରେ ସେ ଚାକିରିରୁ ଅବସରରେ ନେଇଥାନ୍ତେ। କିନ୍ତୁ ତା ପୂର୍ବରୁ ଆୟବହିର୍ଭୁତ ସଂପତି ଠୁଳ୍ ଅଭିଯୋଗରେ ଚଢଉ କରିଛି ଭିଜିଲାନ୍ସ। ଏବେ ଉଦଳା ସବ୍‌ଡିଭିଜନ RWSSର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ଅଛନ୍ତି ସେ।

ଆଜି ଭୋରରୁ ଏକ ସମୟରେ ତାଙ୍କ ଉଦଳାସ୍ଥିତ ସରକାରୀ ଅଫିସ୍ ଓ କ୍ୱାର୍ଟର, କେନ୍ଦ୍ରାପଡାସ୍ଥିତ ପୈତୃକ ଘର, ଦାନପୁର ଓ ଶ୍ୱଶୁର ଘର କଂସାରରେ ଭିଜିଲାନ୍ସର ୮ଟି ଟିମ୍ ଚଢାଉ କରିଥିଲା। ଚଢ଼ାଉରେ ଜଣେ ଆଡିସ୍‌ନାଲ ଏସ୍‌ପି, ୮ ଡିଏସ୍‌ପି, ୫ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର, ୧୧ ଏଏସ୍‌ଆଇ ଓ ଅନ୍ୟ ଷ୍ଟାଫ୍‌ମାନେ ସାମିଲ ହୋଇଥିଲେ।

ସୂଚନା ଥାଉକି, ଗତ ସେପ୍ଟେମ୍ବର ୨୮ ତାରିଖରେ ସେହି RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସ ଫସିଥିଲେ ଭିଜିଲାନ୍ସ ଜାଲରେ। ନିଜର କଳାଟଙ୍କାକୁ ଲୁଚାଇବା ଲାଗି ସେ କ୍ରିପ୍ଟୋ କରେନ୍ସିକୁ ବାଛିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos