Advertisment

ଟୋଲ ଆଦାୟକୁ ନେଇ ମହାଭାରତ; କର୍ମଚାରୀ ଓ ପର୍ଯ୍ୟଟକ ପିଟାପିଟି

ଛତିଶଗଡର ଟୁରିଷ୍ଟମାନଙ୍କୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ସହ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Group clash

Group clash

ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ମୁଣ୍ଡଳୀ ଟୋଲ ଗେଟର କର୍ମଚାରୀ ଓ ଛତିଶଗଡ ପର୍ଯ୍ୟଟକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ବସ୍‌ରେ ଥିବା ୧୧ଜଣ ଟୁରିଷ୍ଟ ଓ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଗେଟ୍‌ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ଛତିଶଗଡରୁ ୨ଟି ବସ୍‌ରେ ଟୁରିଷ୍ଟମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ।  ଗତକାଲି ପୁରୀ ଓ ନନ୍ଦନକାନନ ବୁଲି ପର୍ଯ୍ୟଟକମାନେ ଛତିଶଗଡ଼ ଫେରୁଥିଲେ। ମୁଣ୍ଡଳି ଟୋଲ ଗେଟ୍‌ରେ  କର୍ମଚାରୀମାନେ ବସ୍‌ ଡ୍ରାଇଭରକୁ ଗେଟରେ ପାରି ହେବା ପାଇଁ ଅର୍ଥ ରାଶି ମାଗିଥିଲେ। ଧାର୍ଯ୍ୟ ରାଶି ଠାରୁ ଟୋଲ ଗେଟ୍‌ କର୍ମଚାରୀ ଅଧିକ ଟଙ୍କା ମାଗିଥିବା ବସ୍‌ ଡ୍ରାଇଭର ଅଭିଯୋଗ କରିଛନ୍ତି।  ପଇସା ନ ଦେଲେ ବସ୍‌ ଛଡ଼ାଯିବ ନାହିଁ ଟୋଲ ଗେଟ୍‌ କର୍ମଚାରୀ ବସ୍ ଡ୍ରାଇଭରକୁ କହିଥିଲେ। ପରେ ଏହି କଥାକୁ ନେଇ ଟୋଲ ଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୁପ ନେଇଥିଲା।

ଟୋଲ ଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭରଙ୍କ ଝଗଡ଼ା ଦେଖି ଟୁରିଷ୍ଟମାନେ ମଧ୍ୟ ବସ୍‌ରୁ ଓହ୍ଲାଇ ଆସିଥିଲେ। ସେମାନଙ୍କର ମଧ୍ୟ ଟୋଲ ଗେଟ୍‌ କର୍ମଚାରୀ ସହିତ ଝଗଡ଼ା ହୋଇଥିଲା। ପରେ ଟୁରିଷ୍ଟ, ଡ୍ରାଇଭର ଓ କର୍ମଚାରୀଙ୍କ ମଧ୍ୟରେ ଠେଙ୍ଗାବାଡ଼ି ମାଡପିଟ୍‌ ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସଂର୍ଘଷରେ ୨ଟି ବସ୍‌ର ସମ୍ମୁଖ ଅଂଶ ଓ କାଚ ଭାଙ୍ଗି ଯାଇଥିଲା। 

Advertisment

ଗତକାଲି ରାତିରୁ ଛତିଶଗଡର ଟୁରିଷ୍ଟମାନଙ୍କୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ସହ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କଚୁମାର ସ୍ୱାଇଁ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ଏହାକୁ ଆମେ ନିନ୍ଦା କରୁଛି। ଘଟଣା ତଦନ୍ତ କରାଯାଉଛି। ଏହି ଘଟଣାରେ ଯେଉଁମାନେ ଦୋଷୀ ସ୍ୟାବସ୍ତ ହେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟୁରିଷ୍ଟମାନଙ୍କର ରହିବାର ବନ୍ଦୋବସ୍ତ କରାଯାଇଛି। ସେମାନଙ୍କୁ ଅଲଗା ବସ୍‌ରେ ପଠାଇବାକୁ ବ୍ୟବସ୍ଥା କରାଯାଉଛି।

Odisha Police Cuttack Group Clash