Uncle Saroj Pradhan
ଖେଳୁ ଖେଳୁ ୩୫ ଫୁଟ ଗଭୀର କୂଅରେ ଖସି ପଡ଼ିଲା ୩ ବର୍ଷର ଭଣଜା। ତାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁ ପଡ଼ିଲା ମାମୁ। ଭଣଜାକୁ ସୁରକ୍ଷିତ ଉଦ୍ଧାର କରି ଉପରକୁ ଛାଡ଼ି ଥିଲେ ହେଁ ନିଜେ କୂଅ ଭିତରେ ଫସିଗଲେ ମାମୁ। ଖବର ପାଇ କୂଅରୁ ମାମୁକୁ ଉଦ୍ଧାର କରି ମେଡିକାଲ ପଠାଇଛି ଅଗ୍ନିଶମ ଟିମ୍। ଆଜି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆରେ ଘଟିଛି ଏହି ଅଘଟଣ।
ସୂଚନା ମୁତାବକ, ପୁରୁଣା ତିଗିରିଆ ଗ୍ରାମର ସରୋଜ ପ୍ରଧାନଙ୍କ ବାରିପଟେ ତାଙ୍କର ୩ ବର୍ଷୀୟ ଭଣଜା ଖେଳୁ ଖେଳୁ ଗଭୀର କୂଅକୁ ଖସି ପଡ଼ିଥିଲା। ଏହା ଦେଖି ମାମୁ ସରୋଜ କୂଅକୁ ଡେଇଁ ପଡିଥିଲେ। ଭଣଜାକୁ ଉଦ୍ଧାର କରି ଉପରକୁ ଛାଡ଼ିବାରେ ସକ୍ଷମ ହୋଇଥିଲେ। କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ନିଜେ କୂଅ ଭିତରୁ ବାହାରି ପାରିନଥିଲେ ।
କୂଅକୁ ଡେଇଁ ପଡ଼ିବା ଯୋଗୁ ତାଙ୍କ ଶରୀରରେ ଆଘାତ ଲାଗିଥିବା ବେଳେ ସେ ଭିତରେ ଅଣନିଶ୍ୱାସୀ ହୋଇପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇ ପରିବାର ଲୋକେ ତିଗିରିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ସରୋଜଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ରିପୋର୍ଟ- ଆଠଗଡ଼ରୁ ନୀଳକଣ୍ଠ ଦୋରା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1685357082.jpg)