Advertisment

ଠକ ତାନ୍ତ୍ରିକ କୈଫି ଖାନର ୮୦ଟି ଆକାଉଣ୍ଟ ଠାବ

ସେ ଏଲ୍‌ଆଇସିରେ ବର୍ଷକୁ ଯଥାକ୍ରମେ ଲକ୍ଷେ ୯୩ ହଜାର, ଲକ୍ଷେ ୧୪ ହଜାର, ୪ ଲକ୍ଷ ୮ ହଜାର ଟଙ୍କା ପ୍ରିମିୟମ ଦେଉଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Black Magic Practitioner Kaifi Khan

Black Magic Practitioner Kaifi Khan

ଯେତେ ଖୋଳିଲେ ସେତେ ବାହାରୁଛି କଟକର ଠକ ତାନ୍ତ୍ରିକ କୈଫି ଖାନ୍‌ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ଆଜି ସୂଚନା ଦେଇଛନ୍ତି।

Advertisment

ମଙ୍ଗଳାବାଗ ଆଇଆଇସି ସୁଧାଂଶୁ ଜେନା କହିଛନ୍ତି, ଠକ ତାନ୍ତ୍ରିକ ମୌଲାନା କୈଫି ଖାନର ନାଁରେ ଥିବା ଆଉ ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ଥିବା ଜଣାପଡ଼ିଛି। କଟକରେ ବିଭିନ୍ନ ସ୍ଥାନରେ ଥିବା ସାହାରା ଇଣ୍ଡିଆରେ ସେ ଏହି ଟଙ୍କାକୁ ଫିକ୍ସ ଡିପୋଜିଟ ଆକାରରେ ରଖିଛି। ସେ ସବୁ ଆକାଉଣ୍ଟକୁ ଫ୍ରିଜ କରାଯାଇଛି।

ଏହାସହ ଏଲଆଇସିରେ ବର୍ଷକୁ ସେ ଲକ୍ଷ ଲକ୍ଷ ଟଙ୍କା ପ୍ରିମୟମ ଦେଉଥିବା ଜଣାପଡିଛି। ମୋଟ ୩ଟି ଫିକ୍ସ ଡିପୋଜିଟ୍ ବଣ୍ଡ ଜବତ ହୋଇଛି। ସେ ବର୍ଷକୁ ଯଥାକ୍ରମେ ଲକ୍ଷେ ୯୩ ହଜାର, ଲକ୍ଷେ ୧୪ ହଜାର, ୪ ଲକ୍ଷ ୮ ହଜାର ଟଙ୍କା ପ୍ରିମିୟମ ଦେଉଥିଲା। ମଚ୍ୟୁରିଟି ପାଇବା ପରେ ସେ ଏହି ଫିକ୍ସ ଡିପୋଜିଟ୍‌ରୁ ସୁଧମୂଳ ସହ ଯଥାକ୍ରମେ ୨୫ ଲକ୍ଷ, ୧୬.୮୦ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ପାଇଥାନ୍ତା। ସେ ସବୁ କାଗଜପତ୍ର ଜବତ କରାଯାଇଛି।

Advertisment

ସେହିପରି ସାଲେପୁର ଅଞ୍ଚଳର ପାଗା ଠାରେ ଏକ ଜମି ମଧ୍ୟ ଆଜି ଠାବ ହୋଇଛି। ଏହି ଜମି ତା’ ବାପାଙ୍କ ନାଁରେ ରହିଛି।

ସେ ବ୍ୟବହାର କରୁଥିବା ଗୋଟାଏ ବୁଲେଟ୍, ଗୋଟାଏ ଦାମୀ ସ୍ପିଡ୍ ବାଇକ୍, ଗୋଟାଏ ସ୍କୁଟର ଓ ଗୋଟିଏ ଦାମୀ କାର୍‌କୁ ଜବତ କରାଯାଇଛି। ୨୦୨୨ରେ ସେ ୪ଟି କାର୍‌ ବିକ୍ରି କରିବା ପରେ ନୂଆ କାର୍‌ ଓ ମୋଟରସାଇକେଲ କିଣିଛି।

ନୋଟ୍‌ ବନ୍ଦି ବେଳେ ସେ କୋଲକାତାର ଜଣେ ବ୍ୟକ୍ତିଙ୍କ ଠାରୁ କୋଟିଏ ଟଙ୍କାର ପୁରୁଣା ନୋଟ ଆଣିଥିଲା। ଏହାକୁ ବ୍ୟାଙ୍କରେ ବଦଳି କରି ନୂଆ ନୋଟ ଆଣିବା ପାଇଁ ଚେଷ୍ଟା କରିଥିଲା। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ମନା କରିଦେବାରୁ ସେ ଏଥିରେ ବିଫଳ ହୋଇଥିଲା। ତେବେ ସେ କାହା ପାଖରୁ ଏହି କଳା ଟଙ୍କା ଆଣିଥିଲା ପୁଲିସକୁ କହୁନି ଓ ତଦନ୍ତରେ ସହଯୋଗ କରୁନି। ତେବେ ଆଣିଥିବା ପୁରୁଣା ଟଙ୍କାକୁ ସେ ଫେରାଇ ଦେଇଥିବା କହୁଛି। ଠକେଇରେ ତା’ ସହ ଆଉ ୪ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଯେଉଁମାନଙ୍କ ଦ୍ୱାରା ସେ ଧାତୁ ପ୍ରସ୍ତୁତି ଓ ଗାତ ଖୋଳିବା କାମ କରୁଥିଲା।

ଲୋକଙ୍କୁ ଠକିବା ପରେ ସେ ଏହି ଟଙ୍କାରେ ଖୁବ୍ ଅଏସ୍ ମଧ୍ୟ କରୁଥିଲା। ସେ ଏବାବଦରେ ପ୍ରାୟ ୧୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଅନେକ ଥର ଆଜମୀର, ବରେଲି, ବାଙ୍ଗାଲୁରୁ, ମୋନାଲି, ଦାର୍ଜଲିଂ ପ୍ରଭୃତି ବିଭିନ୍ନ ସ୍ଥାନ ବୁଲିଛି।

ପାଠପଢ଼ି ମୌଲାନା ହେବା ପରେ ତାକୁ ଯେଉଁ ନିଯୁକ୍ତି ମିଳିଥିଲା ସେଥିରେ ମାତ୍ର ୭ ହଜାର ଟଙ୍କା ପାଉଥିଲା। ତେଣୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ନିମନ୍ତେ ସେ ତାର ପାଠକୁ ଅବାଟରେ ଲଗାଇଥିଲା। ଚାକଚକ୍ୟ ଜୀବନଯାପନ କରିବା ଓ ପରିବାରକୁ ସବୁ ସୁଖସୁବିଧା ଦେବାକୁ ସେ ଲକ୍ଷ୍ୟ ରଖିଥିଲା। ରିମାଣ୍ଡ ସମୟରେ ପଚରାଉଚରା ବେଳେ ଏହା କହିଛି।

ପୁଲିସ ଆଜି ତାକୁ ସଦର ଥାନା ଅଞ୍ଚଳର ଠକେଇର ଶିକାର ହୋଇଥିବା ଶର୍ମିଲା ବିବି ନାମକ ମହିଳାଙ୍କ ଘରକୁ ନେଇ ସିନ ରିକ୍ରିୟେସନ କରିଥିଲା। ମହିଳାଙ୍କୁ କିପରି ଠକିଥିଲା ତାହାକୁ ପୁଲିସ ଆଗରେ ଗୋଟିଗୋଟି କହିଥିଲା ଠକ ତାନ୍ତ୍ରିକ କୈଫି।

ଆସନ୍ତାକାଲି ମୌଲାନାର ରିମାଣ୍ଡ ଅବଧି ଶେଷ ହେବ। ତେଣୁ ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର ପରେ ପୁଣି ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରୁଛି।

ସୂଚନା ଥାଉକି, ଠକ କୈଫ ଲୋକଙ୍କୁ ମାଟି ତଳୁ ଗୁପ୍ତ ଧନ ମିଳିବାର ବିଭିନ୍ନ ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା କୌଶଳ କ୍ରମେ ଠକେଇ କରୁଥିଲା। ଏନେଇ ତା’ ନାମରେ କଟକର ବିଭିନ୍ନ ଥାନାରେ ପ୍ରାୟ ୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୪ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି।

Cuttack Cheat Case Black Magic