Advertisment

ସ୍କୁଲ ନୁହେଁ ତ ରଙ୍ଗିନ୍ ପାର୍କ !

ପ୍ରଧାନଶିକ୍ଷୟିତ୍ରୀ ଏହି ସ୍କୁଲରେ ପ୍ରାୟ ୨୨୩ ପ୍ରକାର ଫୁଲ, ଫଳ ଓ ଔଷଧୀୟ ଗଛ ଲାଗାଇଛନ୍ତି। ପିଲାଏ ମଧ୍ୟାହ୍ନ ଭୋଜନରେ ପନିପରିବା ଖାଉଛନ୍ତି। କେହି ଗାଁ ଲୋକ ମାଗିଲେ ଦେଉଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
School plantation

School plantation

ସ୍କୁଲ ନୁହେଁ ତ ରଙ୍ଗିନ୍ ପାର୍କ। ଖାଲି ପାର୍କ କହିବା ବି ଠିକ୍‌ ହେବନି। କିଚେନ୍ ଗାଡେନ୍ ମଧ୍ୟ କୁହାଯାଇପାରିବ। ସ୍କୁଲ ଭିତରେ ଲାଗିଛି ବିଭିନ୍ନ ପ୍ରକାର ଫୁଲ, ଫଳ ଗଛ। ବିଭିନ୍ନ ପ୍ରକାର ଶାଗ, ବାଇଗଣ, ଲଙ୍କା, ପିଆଜ, କାକୁଡ଼ି ପରିବା ଚାଷ ମଧ୍ୟ ହୋଇଛି। ଯେକେହି ସ୍କୁଲ ଭିତରକୁ ପଶି ଗଲେ ପ୍ରଥମ ଅନୁଭୂତିରୁ ହିଁ ମନରେ ସୃଷ୍ଟି ହେବ ଏକ ନୂଆ ଅନୁଭୂତି।

Advertisment

କଟକ ଜିଲ୍ଲା ନରସିଂହପୁରରେ ଏମିତି ଏକ ବିଦ୍ୟାଳୟ ଅଛି। ଯାହାର ନାଁ ସିଆରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଯେଉଁଠି ବିଦ୍ୟାଳୟ ଏକ ପାର୍କର ଭ୍ରମ ସୃଷ୍ଟି କରୁଛି। ଫୁଲ ଓ ଫଳ ଗଛରେ ସଜେଇ ହୋଇଛି ସ୍କୁଲ ପରିବେଶ। ଗେଣ୍ଡୁ, ସେବତି, ସୂର୍ଯ୍ୟମୁଖୀ, ଡାଲିଆ, ଗୋଲାପ, କୃଷ୍ଣଚୂଡା ସହ ବିଦେଶୀ ଓ ଅନ୍ୟାନ୍ୟ ପ୍ରଜାତିର ଫୁଲ ଲାଗିଛି। କିଚେନ୍ ଗାର୍ଡେନରେ ଫଳିଛି କଦଳୀ, ଅମୃତ ଭଣ୍ଡା, କଖାରୁ, ବାଇଗଣ, ଲେମ୍ବୁ, କଞ୍ଚାଲଙ୍କା ଆଦି ପନିପରିବା। ଏହି ବିଦ୍ୟାଳୟ ପରିସରରେ ଗଣେଶ ମୂର୍ତ୍ତି, ସରସ୍ୱତୀ ମୂର୍ତ୍ତି, ବୁଦ୍ଧ ମୂର୍ତ୍ତି, ସୁଭାଷ ବୋଷ ଓ ମଧୁବାବୁଙ୍କର ଆକର୍ଷଣୀୟ ମୂର୍ତ୍ତି ରହିଛି। ପିଲାମାନଙ୍କୁ ଖେଳିବାର ସୁଯୋଗ ଦେବା ପାଇଁ ଖେଳ ପଡ଼ିଆ ଓ ଖେଳ ଉପକରଣ ରହିଛି। ସ୍କୁଲରେ କାର୍ଯ୍ୟରତ ମିନତୀ ଦିଦିଙ୍କ ସବୁଜ ସଂକଳ୍ପ ସ୍କୁଲରେ ଏଭଳି ପରିବେଶ ସୃଷ୍ଟି କରିଛି।

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ମୋଟ ୯୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି। ତେବେ ଶିକ୍ଷକ ଅଭାବ ଥିବାରୁ ସ୍କୁଲ ପାଖ ଗାଁର ୨ ଜଣ ଶିକ୍ଷିତ ଯୁବକ ପିଲାମାନଙ୍କୁ ପଢ଼ାଇବା ଦାୟିତ୍ୱ ନେଇଛନ୍ତି।

Advertisment

ବିଦ୍ୟାଳୟର ସୁନ୍ଦର ଓ ଶୈଖିକ ପରିବେଶ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାରେ ବେଶ ଆକୃଷ୍ଟ କରୁଛି। ଛାତ୍ରଛାତ୍ରୀ ଶାରୀରିକ, ମାନସିକ, ସାମାଜିକ ବିକାଶରେ ବେଶ ସହାୟକ ହୋଇଛି। ବିଦ୍ୟାଳୟ ଯାହାର ଅନ୍ୟ ଏକ ନାମ ମଣିଷ ତିଆରି କାରଖାନା। ଯେଉଁଠି ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଓ ଚରିତ୍ର ଗଠନର ମୂଳଦୁଆ ପଡ଼ିଥାଏ। ଏହି ସ୍କୁଲର ଉନ୍ନତ ଭିତ୍ତିଭୂମିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବେଶ ଖୁସ୍। ତେବେ ଏହି ସ୍କୁଲ ଏବେ ସୁନ୍ଦର ପରିବେଶ ପାଇଁ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି।

ପିଲାଙ୍କୁ ସ୍କୁଲ୍ ମୁହାଁ କରିବା ଓ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ଏହି ପ୍ରୟାସ କରିଛନ୍ତି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମିନତୀ ବେହେରା। ସ୍କୁଲର ସୁନ୍ଦର ଓ ପରିଷ୍କାର ପରିଚ୍ଛନ୍ନ ପରିବେଶ ପାଇଁ ଏହି ସ୍କୁଲ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇଛି। ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ମିଶି ସ୍କୁଲରେ ଏହି ଫଳ, ଫୁଲ, ପରିବା ଗଛଗୁଡ଼ିକର ଯତ୍ନ ନେଇଛନ୍ତି।

ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ବେହେରା କହିଛନ୍ତି, ଏହି ସ୍କୁଲରେ ପ୍ରାୟ ୨୨୩ ପ୍ରକାର ଫୁଲ, ଫଳ ଓ ଔଷଧୀୟ ଗଛ ଲାଗିଛି। ଅମୃତଭଣ୍ଡା, ସଜନା ଛୁଇଁ, ବିଭିନ୍ନ ପ୍ରକାର ଶାଗ, କଦଳି, ଅଦା ପ୍ରଭୃତି ପନିପାରିବା ମଧ୍ୟାହ୍ନ ଭୋଜନରେ ବ୍ୟବହାର ହେଉଛି। ବାହାରୁ ଗୋଟାଏ ବି ପନିପରିବା କିଣାଯାଉନି।  ଯେତେବେଳେ ଯେଉଁଠିକି ଯାଉଥିଲି, ସେଠାରୁ ପନିପରିବା, ଫଳ ଓ ଫୁଲ ଚାରା କିଣି ଆଣି ସ୍କୁଲ ପରିସରରେ ରୋପଣ କରି ଦେଉଥିଲି। ଅଭିଭାବକ, ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ମିଶି ଏହି ଫଳଫୁଲ ବଗିଚାର ଯତ୍ନ ନେଉଛନ୍ତି। ତେଣୁ ଏହା ସବୁ ମହଲରେ ଆଦର ପାଇଛି ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।

ସିଆରସିସି ପ୍ରମୋଦ ବେହେରା କହିଛନ୍ତି, ସ୍କୁଲର ସୁନ୍ଦର ଓ ଶୈଖିକ ପରିବେଶ ସମସ୍ତଙ୍କ ମହଲରେ ଆଦାର ପାଇଛି। ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଛାତ୍ରୀ ଆତ୍ମନା ଶୁଭ ଦର୍ଶିନୀ କହିଛନ୍ତି, ଏହି ସ୍ୱଚ୍ଛ ଓ ସୁନ୍ଦର ପରିବେଶରେ ପାଠପଢ଼ିବା ପାଇଁ ଭଲ ଲାଗୁଛି। ତେଣୁ କେବେବି କ୍ଲାସ୍ ମିସ୍ କରି ନ ଥାଏ।

ପରିଚାଳନା କମିଟି ସଭାପତି ନିର୍ମଳ ମାହୁନ୍ତ କହିଛନ୍ତି, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ଉଦ୍ୟମରୁ ଏହି ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିଛି। ଏହାର ଯତ୍ନ ନେବା ନିମନ୍ତେ ସମସ୍ତେ ଆଗେଇ ଆସିଛନ୍ତି।

ରିପୋର୍ଟ-ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ

School plantationପରିବା ଗଛ ଲଗାଇ ଯତ୍ନ ନେଉଛନ୍ତି ଛାତ୍ରଛାତ୍ରୀ।
Smart School School Condition