Advertisment

ବନ୍ଦ ପଡ଼ିଛି ସରକାରଙ୍କ ସମସ୍ତ ‘ମୋ ଶୌଚାଳୟ’; ପ୍ରତିବାଦରେ ପାଣି ଆଣି ଗାଧୋଇଲେ ଲୋକେ

ହକି ବିଶ୍ୱ କପ୍ ପୂର୍ବରୁ ତରବରିଆ ଭାବେ ଖୋଲାଯାଇଥିବା ନବ ନିର୍ମିତ ଶୌଚାଳୟ ଗୁଡିକର ଅବସ୍ଥା ଏବେ ଏପରି ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
People bathed in front of Toilet

People bathed in front of Toilet

ଶୌଚାଳୟ ସମ୍ମୁଖରେ ବାଲଟି-ମଗ ଧରି  ଦାନ୍ତ ଘଷିଲେ, ବାହାରୁ ପାଣି ଆଣି ଗାଧୋଇଲେ। କଟକ ସହରରେ ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ି ରହିଥିବା ସର୍ବସାଧାରଣ ଶୌଚାଳୟ ଆଗରେ ଆଜି ଏଭଳି ନିଆରା ପ୍ରତିବାଦ କରିଛନ୍ତି କଟକ ସହରର ଲୋକେ। ହକି ବିଶ୍ୱ କପ୍ ପୂର୍ବରୁ ତରବରିଆ ଭାବେ ଖୋଲାଯାଇଥିବା ନବ ନିର୍ମିତ ଶୌଚାଳୟ ଗୁଡିକର ଅବସ୍ଥା ଏବେ ଏପରି ହୋଇଛି। ଶୌଚାଳୟ ଖୋଲିବାକୁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ମହାନଗର ନିଗମ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ସୁବାଷ ସଂଗଠନ ପକ୍ଷରୁ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି।

Advertisment

ସଭାପତି ସୁବାଷ ସଂଗଠନ ଆଶୁତୋଷ ଦାସ କହିଛନ୍ତି, ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଗତ ଜାନୁଆରୀରେ କଟକ ମହାନଗର ନିଗମ ପକ୍ଷରୁ ନୂଆ କରି ନିର୍ମାଣ କରିଥିଲା "ମୋ ଶୌଚାଳୟ"। ଏହି ଶୌଚାଳୟ ନିର୍ମାଣକୁ ଇତି ମଧ୍ୟରେ ୪ ମାସ ବିତିଗଲାଣି, ହେଲେ ସବୁଠି ଝୁଲୁଛି ତାଲା। ଶୌଚାଳୟ ଖୋଲିବା ପାଇଁ ପଦକ୍ଷେନ ନ ନିଆଯିବା ଉପରେ ମହାନଗର ନିଗମର ଅପାରଗତା ଦାୟୀ। 

ପ୍ରତିଦିନ ହଜାର ହଜାର ଲୋକ ଯୋବ୍ରା, ଷ୍ଟାଡିୟମ ଏବଂ ରିଂ ରୋଡ଼ ଅଞ୍ଚଳକୁ ଯାତାୟାତ କରିଥାନ୍ତି। ମେଡିକାଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମରେ ଆସିଥାନ୍ତି। କିନ୍ତୁ ଶୌଚାଳୟ ତାଲା ପଡ଼ିଥିବାରୁ ସେମାନଙ୍କୁ ପରିସ୍ରା ଯିବା କିମ୍ବା ଶୌଚ ହେବାକୁ ଅନେକ ସମସ୍ୟା ହୋଇଥାଏ। ବାଧ୍ୟହୋଇ ଖୋଲା ରାସ୍ତାରେ ଲୋକଙ୍କୁ ସ୍ନାନଶୌଚ ହେବାକୁ ପଡ଼ୁଛି। ମହିଳାମାନେ ଏଥିପାଇଁ ସବୁଠାରୁ ବେଶି ହିନସ୍ତା ହେଉଛନ୍ତି। ତେଣୁ ତୁରନ୍ତ ଶୌଚାଳୟଗୁଡିକୁ ଖୋଲାଯାଉ।

Advertisment
Close Toiletବନ୍ଦ ପଡ଼ିଥିବା ଶୌଚାଳୟ

ଏନେଇ କଟକ ମେୟର ସୁବାସ ସିଂହ କହିଛନ୍ତି, ଜାନୁଆରୀରେ ହକି ବିଶ୍ୱକପ ଶେଷ ହୋଇଛି। ଫ୍ରେବୁଆରୀରେ ଏହି ଶୌଚାଳୟ ନିର୍ମାଣ କାମ ଶେଷ ହୋଇଛି। ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇ ଏବେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଟେଣ୍ଡର ପ୍ରକ୍ରିୟା ପାଇଁ ସମୟ ଲାଗୁଛି। ତାହା ଶେଷ ହେଲେ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଖୁବ କମ ଦିନ ମଧ୍ୟରେ ଏହି ସମସ୍ତ ଶୌଚାଳୟ କାର୍ଯ୍ୟକ୍ଷମ ହେବ ଏବଂ ସାଧାରଣ ଲୋକ ଏହାର ଲାଭ ଉଠାଇ ପାରିବେ ବୋଲି ସେ କହିଛନ୍ତି।

ସେପଟେ ଆଜି କଟକ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସିଡିଏ ଅଧ୍ୟକ୍ଷ, ଜିଲ୍ଲାପାଳ, ସିଏମସି କମିସନର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ସେ ତାଳଦଣ୍ଡା କେନାଲ, ଉଭୟ ପାର୍ଶ୍ୱର ରାସ୍ତା, ମାଛ ମାର୍କେଟ ସ୍ଥାନାନ୍ତର ଓ ଦୁଇଟି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଥିବା ବିଦ୍ୟୁତ ଗ୍ରୀଡ ସଂପର୍କରେ ନିଜେ ଫିଲଡ୍ ଭିଜିଟ୍ କରି ଆଲୋଚନା କରିଥିଲେ। ସ୍ଥାନୀୟ ସର୍କିଟ ହାଉସରେ ଘଣ୍ଟା ଧରି ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ନିଜେ ଫିଲଡ୍ ଭିଜିଟ୍ କରି ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କାମ କିପରି ଆଗେଇଛି ଓ କେନାଲ ର ଦୁଇ ପାର୍ଶ୍ଵରେ ଥିବା ରାସ୍ତା ଦେଖିଥିଲେ।

Chief secretary cuttack visitମୁଖ୍ୟ ଶାସନ ସଚିବଙ୍କ କଟକ ଗସ୍ତ

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କଟକକୁ ସୁନ୍ଦର କରି ଗଢି ତୋଳିବାକୁ ଯେଉଁ ପରିକଳ୍ପନା କରିଛନ୍ତି, ତାହା ଏହି ସବୁ ପ୍ରକଳ୍ପ ଦ୍ୱାରା ସଂପୂର୍ଣ୍ଣ ହେବ। ଏସସିବି କାମ ଯେଉଁ ଭଳି ଚାଲିଛି, କଟକ ଭିତରେ ବକ୍ସ ନାଳ କାମ ମଧ୍ୟ ସେହିଭଳି ଦୃତ ଗତିରେ ହେଉଛି। ଏହି ଭଳି ଅନେକ ନୂଆ ପ୍ରକଳ୍ପ କଟକରୁ କେବଳ ସୁନ୍ଦର କରି ଗଢି ତୋଳିବ ତାହା ନୁହେଁ ବରଂ ଲୋକଙ୍କୁ ମୁକ୍ତ ଭାବେ ଚଳପ୍ରଚଳ ହେବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ସେ କହିଥିଲେ।

Cmc Protest Against Govt. Toilets Subermeged