/odisha-reporter/media/media_files/2025/10/21/dead-engineer-2025-10-21-16-42-42.jpg)
ମୃତ ଇଞ୍ଜିନିୟର
ନିଶାମୁକ୍ତି କେନ୍ଦ୍ରରେ ଅନ୍ତେବାସୀଙ୍କୁ ହତ୍ୟା। ଘଟଣାଟି ଘଟିଛି କଟକ ସଦର ଥାନା ଉତ୍ତମାପୁରରେ। ୪ ଜଣ ଅନ୍ତେବାସୀ ମିଶି ତଣ୍ଟି ଚିପି ସେହି ଅନ୍ତେବାସୀଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି।
ମୃତ ଯୁବକଙ୍କ ନାଁ ସୌମ୍ୟରଞ୍ଜନ ଦାସ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ। ସେ ଜଣେ ବିଟେକ ଇଞ୍ଜିନିୟର ଥିଲେ। ମୁମ୍ବାଇରେ ଏକ କମ୍ପାନୀରେ ଚାକିରି କରୁଥିଲେ। କିନ୍ତୁ ମାନସିକ ଅବସାଦ ପାଇଁ ଚାକିରି ଛାଡ଼ି ଘରକୁ ଚାଲି ଆସିଥିଲେ।
ପରିବାର ଲୋକେ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କର ଚିକିତ୍ସା କରାଇଥିଲେ। ତିନି ମାସ ହେଲା ସୌମ୍ୟରଞ୍ଜନ କଟକ ସଦର ଥାନା ଉତ୍ତମାପୁରରେ ଥିବା ‘ସଂପର୍କ ନିଶାମୁକ୍ତି କେନ୍ଦ୍ର’ରେ ରହୁଥିଲା।
ପରିବାର ଲୋକଙ୍କ କହିବାନୁଯାୟୀ, ସୌମ୍ୟରଞ୍ଜନ କୌଣସି ନିଶା ସେବନ କରନ୍ତି ନାହିଁ। ସେ ଗଭୀର ଠାକୁର ବିଶ୍ୱାସୀ। କିନ୍ତୁ ସେ ମାନସିକ ଅବସାଦ ଭିତରକୁ ଚାଲିଯାଇଥିଲେ। ସେଥିପାଇଁ ଏହି ନିଶାମୁକ୍ତି କେନ୍ଦ୍ରରେ ଥିବା ମାନସିକ ବିଭାଗରେ ତାଙ୍କୁ ରଖାଯାଇଥିଲା। ସେଥିପାଇଁ ପ୍ରତିମାସରେ ଟଙ୍କା ଦିଆଯାଉଥିଲା। ହେଲେ ଏଠାରେ ତାଙ୍କୁ ହତ୍ୟା କରି ଦିଆଯିବ ବୋଲି ସେମାନେ କେବେ ଭାବି ନଥିଲେ।
ଗତ ୧୮ ତାରିଖରେ ଶେଷ ଥର ପାଇଁ ସୌମ୍ୟରଞ୍ଜନଙ୍କ ସହିତ କଥା ହୋଇଥିଲେ ତାଙ୍କ ପରିବାର ଲୋକେ। ହେଲେ ଆଜି ସକାଳେ ତାଙ୍କ ମୃତ୍ୟୁ ଖବର ପାଇଥିଲେ। ତାଙ୍କୁ କାହିଁକି ହତ୍ୟା କରାଗଲା, ତା’ର କାରଣ ଜାଣିବା ପାଇଁ ପୁଲିସ ସଠିକ ଢଙ୍ଗରେ ତଦନ୍ତ କରୁ ବୋଲି ଦାବି କରିଛନ୍ତି ତାଙ୍କ ମା’।
ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ୪ ଜଣ ଅନ୍ତେବାସୀ ଗତକାଲି ରାତିରେ ନିଶାମୁକ୍ତି କେନ୍ଦ୍ରରୁ ଖସିଯିବାକୁ ଉଦ୍ୟମ କରୁଥିଲେ। ଏମିତିକି ସେମାନେ ଝରକା ମଧ୍ୟ ଭାଙ୍ଗିଥିଲେ। କିନ୍ତୁ ସେତିକିବେଳେ ସୌମ୍ୟରଞ୍ଜନ ଉଠିପଡ଼ିଥିଲେ। ଏହାପରେ ୪ ଜଣ ମିଶି ତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ।
୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଉଛନ୍ତି- ରାଜା ବେତାଳ, ରୋହିତ ରଞ୍ଜନ ସାମଲ, ରମାକାନ୍ତ ସ୍ୱାଇଁ ଓ ଆଶୁତୋଷ ଦାସ।
ସଂପର୍କ ନିଶାମୁକ୍ତି କେନ୍ଦ୍ରରେ ଦୁଇଟି ବିଭାଗ ରହିଛି। ଗୋଟିଏ ନିଶା ସେବନ କରୁଥିବା ଲୋକଙ୍କ ପାଇଁ ଓ ଅନ୍ୟଟି ମାନସିକ ଅବସାଦ ରୋଗୀଙ୍କ ପାଇଁ। ତେବେ ଏଠି ପ୍ରଶ୍ନ ଉଠୁଛି ଗତକାଲି କାହିଁକି ୪ ଜଣ ଅନ୍ତେବାସୀ ଖସିଯିବାକୁ ଉଦ୍ୟମ କରିଥିଲେ। ସେଠାରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଛି କି? ନିର୍ଯାତନା ଅସହ୍ୟ ହେବାରୁ ସେମାନେ ଖସିଯିବାକୁ ଉଦ୍ୟମ କରିଥିଲେ କି? କାରଣ ନିଶାମୁକ୍ତି କେନ୍ଦ୍ରଗୁଡ଼ିକରେ ନିର୍ଯାତନା ଦିଆଯିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ଏମିତିକି ସେମାନଙ୍କ ମାଡ଼ରେ ଅନ୍ତେବାସୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସେହିଭଳି ଅଭିଯୁକ୍ତମାନେ ମୌମ୍ୟରଞ୍ଜନକୁ କେବଳ ଉପରେ ଦର୍ଶାଯାଇଥିବା କାରଣ ପାଇଁ ହତ୍ୟା କଲେ ନା ଆଉ କିଛି କାରଣ ରହିଛି, ତାହା ମଧ୍ୟ ତଦନ୍ତ ସାପେକ୍ଷ।
ଘଟଣାସ୍ଥଳରେ ସଦର ଥାନା ପୁଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି। ଏହାସହ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ କରାଯାଇଛି। ପୁଲିସ ସମସ୍ତ ଦିଗକୁ ନେଇ ଘଟଣାର ତଦନ୍ତ କରୁଥିବାବେଳେ ଏହି ନିଶାମୁକ୍ତି କେନ୍ଦ୍ର ଚଲାଉଥିବା ମାଲିକଙ୍କୁ ପଚରାଉଚରା କରାଯିବ। ତା’ସହିତ ଏହି କେନ୍ଦ୍ର ଚଲାଇବା ପାଇଁ ତାଙ୍କର କାଗଜପତ୍ର ଠିକ ଅଛି ନା ନାହିଁ ସେ ଦିଗରେ ମଧ୍ୟ ତଦନ୍ତ କରାଯିବ ବୋଲି କଟକ ଜୋନ୍-୪ ଏସିପି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
