Advertisment

କ୍ୟାମେରା ସମ୍ମୁଖରେ ଶିବଙ୍କ ପତ୍ନୀଙ୍କ ଖୁଲାସା-ମୋତେ ଭିତରୁ କବାଟ ଦେଇ ସ୍ୱାମୀ ଘଟାଇଲେ ନରସଂହାର

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ଘଟିଥିବା ଗଣହତ୍ୟା ମାମଲାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା । ବଡ଼ ଭାଇ ଅଲେଖ ସାହୁଙ୍କ ସମେତ ତାଙ୍କ ବଂଶ ନିପାତ କରିଦେଲା ସାନ ଭାଇ ଶିବ ସାହୁ। ଏପରି ବୀଭତ୍ସ କାଣ୍ଡ ଘଟାଇ ଶିବ ସାହୁ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ସୁନୀତା । ସୁନୀତାଙ୍କ କହିବା ମୁତାବକ, ବଡ଼ ଭାଇଙ୍କୁ ଶିବ ଘର ଚାବି ମାଗିଥିବା […]

ଅଦ୍ୟତନ ହୋଇଛି
କ୍ୟାମେରା ସମ୍ମୁଖରେ ଶିବଙ୍କ ପତ୍ନୀଙ୍କ ଖୁଲାସା-ମୋତେ ଭିତରୁ କବାଟ ଦେଇ ସ୍ୱାମୀ ଘଟାଇଲେ ନରସଂହାର

wife of siba sahoo

Advertisment

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ଘଟିଥିବା ଗଣହତ୍ୟା ମାମଲାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା । ବଡ଼ ଭାଇ ଅଲେଖ ସାହୁଙ୍କ ସମେତ ତାଙ୍କ ବଂଶ ନିପାତ କରିଦେଲା ସାନ ଭାଇ ଶିବ ସାହୁ। ଏପରି ବୀଭତ୍ସ କାଣ୍ଡ ଘଟାଇ ଶିବ ସାହୁ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ସୁନୀତା ।

Advertisment

ସୁନୀତାଙ୍କ କହିବା ମୁତାବକ, ବଡ଼ ଭାଇଙ୍କୁ ଶିବ ଘର ଚାବି ମାଗିଥିବା ବେଳେ ସେ ନ ଦେବାରୁ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ପରେ ବଡ଼ ଭାଇ ଓ ତାଙ୍କ ପରିବାର ଲୋକ ଶିବଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଘରକୁ ପଳାଇ ଆସିଥିଲେ ଶିବ। ଏହାର କିଛି ସମୟ ପରେ  ଶୌଚ ହେବାକୁ ଯାଉଛି କହି ବାହାରକୁ ଯାଇଥିଲେ। ହେଲେ ସେ ବାହରପଟୁ କବାଟ ବନ୍ଦ ଦେଇ   ବଡ଼ଭାଇ ଅଲେଖଙ୍କ ଘରକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପାଟିତୁଣ୍ଡ ଶୁଣି କବାଟ ଫିଟାଇବାକୁ ସୁନୀତା କାକୁତିମିନତି ହୋଇଥିଲେ ବି କେହି ଶୁଣି ନ ଥିଲେ। ଦେଢଶୁରଙ୍କ ପରିବାରର ସମସ୍ତଙ୍କୁ ହତ୍ୟା ପରେ ଶିବ କବାଟ ଖୋଲିଥିଲେ। ଏହାପରେ ପଳା, ନଚେତ ତୋତେ ବି ମାରିଦେବି ବୋଲି ଶିବ  କହିଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ତାଙ୍କ ପତ୍ନୀ ସୁନୀତା ।  ହୁଏତ କବାଟ ଖୋଲାଥିଲେ, ସ୍ୱାମୀଙ୍କୁ ହତ୍ୟାକାରୀ ସାଜିବାକୁ ଦେଇ ନ ଥାନ୍ତେ, ଏତେ ବଡ଼ ଅଘଟଣକୁ ରୋକିଦେଇପାରିଥାନ୍ତେ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁନୀତା । 

ଜଣଙ୍କ ପରେ ଜଣେ ଦେଢଶୁରଙ୍କ ପରିବାରର ସମୁଦାୟ ୫ ଜଣଙ୍କୁ ହତ୍ୟା କରିବାରେ ଶିବଙ୍କୁ ଆଉ କିଏ ସହଯୋଗ କରିଥିଲେ କି ପ୍ରଶ୍ନର ଉତ୍ତରରେ ସେ ଏକା ହିଁ ଏହି ନରସଂହାର ଘଟାଇଥିବା କହିଛନ୍ତି ସୁନୀତା।

Advertisment

ତାଙ୍କ କହିବା ମୁତାବକ, ଦେଢଶୁରଙ୍କ ପରିବାର ସହ ତାଙ୍କର ସମ୍ପର୍କ  ଭଲ ନ ଥିଲା। ସେମାନେ ଦୀର୍ଘ ବର୍ଷ ହେଲା ତାଙ୍କୁ ହଇରାଣ କରି ଆସୁଥିଲେ। ଏପରି କି ଗାଁରେ ନିଜ ଘର ଥାଇ ବି ଶିବ ଏକ ଭଡ଼ା ଘର ନେଇଥିଲେ। ଦୀର୍ଘ ବର୍ଷ ହେଲା ସମ୍ପର୍କ ମଧ୍ୟରେ ତିକ୍ତତା ଭରି ରହିଥିବା ବେଳେ ପୁଞ୍ଜିଭୂତ ଅସନ୍ତୋଷ ଗଣହତ୍ୟାର ରୂପ ନେଇଥିବା ଚର୍ଚ୍ଚା ହେଉଛି ।

[caption id="attachment_726988" align="aligncenter" width="650"]murder ହତ୍ୟାକାଣ୍ଡ ପରେ ଅଲେଖଙ୍କ ଘରକୁ ସିଲ୍‌ କରିଦେଇଛି ପୁଲିସ୍‌ ।[/caption]

ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ପ୍ରକୃତ କାରଣ କଣ ହୋଇଥାଇପାରେ ଏହା ପଛରେ କେବଳ ଶିବ ନା ଆଉ କାହାର ହାତ ଅଛି ତାକୁ ନେଇ ନାନା ଚର୍ଚ୍ଚା ହେଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ରହସ୍ୟ ଉପରୁ ପରଦା ଉଠିବ ।

ଏହାବାଦ ଶିବଙ୍କ ପତ୍ନୀ ସୁନୀତା କବାଟ ଭିତରେ ବନ୍ଦ ଥିବା ବେଳେ ସେ ମଧ୍ୟ ଚିତ୍କାର କରୁଥିବା କ୍ୟାମେରା ସମ୍ମୁଖରେ କହିଛନ୍ତି। ତାଙ୍କ ପାଟି ଶୁଣି ମଧ୍ୟ କିପରି ଆଖପାଖର କେହି ବି ଘଟଣାସ୍ଥଳକୁ ଆସିଲେଣି। ଗାଁ ଭିତରେ ଚାରିପଟେ ଲୋକ ଗହଳି ଥିବା ବେଳେ କିପରି ଏହି ଗଣହତ୍ୟା ଘଟିଗଲା, ଜଣଙ୍କ ପରେ ଜଣେ କରି ୫ ଜଣଙ୍କୁ ମାରିଦେଲେ ଏକୁଟିଅ ଶିବ, କେହି କିପରି ଟେର ପାଇଲେନି ତାହା ବୁଝା ପଡ଼ୁନି। ଏପରି ନରସଂହାର ଘଟାଇଥିବା ଶିବ ଗତକାଲି ସକାଳେ  ଗାଁରେ ବୁଲୁଥିବା ଲୋକେ ଦେଖିଥିବା ବେଳେ ତାଙ୍କ ଭିଡିଓ ଭାଇରାଲ ହେବା ପରେ ହିଁ କଥା ଗାଁରେ ପ୍ରଘଟ ହୋଇଥିଲା।  ଏହା ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟାବୃତ୍ତ କରୁଥିବା ବେଳେ ଘଟଣାକୁ ସହଜେ ବିଶ୍ୱାସ କରିବା ସମ୍ଭବପର ହେଉ ନାହିଁ।

ସେପଟେ ଭାଇରୁ ଭଗାରୀ ହୋଇ ରକ୍ତର ହୋଲି ଖେଳିଥିବା ହତ୍ୟାକାରୀ ଶିବ ସାହୁଙ୍କୁ ଆଜି ସାଲେପୁର ଜେଏମ୍ଏଫସି  କୋର୍ଟରେ ହାଜର କରିପାରେ ପୁଲିସ୍‌ ।  ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତର ସମ୍ପର୍କ ଭୁଲି ରକ୍ତ ବୁହାଇଥିବା ଶିବ ନିଜ ସ୍ୱିକାରୋକ୍ତିରେ ମାନିଛି ଯେ, ଆଇନ୍ ଯାହା ଶାସ୍ତି ଦେବ ତାକୁ ସେ ଗ୍ରହଣ କରିବ ।  ଭାଇ-ଭାଉଜ, ପୁତୁରା-ଝିଆରୀଙ୍କୁ ନିର୍ମମ ହତ୍ୟା କରିଥିବା ଶିବକୁ କି ଦୃଷ୍ଟାନ୍ତମୂଳକ ଶାସ୍ତି ମିଳୁଛି ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।

ତେବେ ଜଣେ ବ୍ୟକ୍ତି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ  ବିଶ୍ୱାସ କରି ହେଉନି ବୋଲି କହିଛନ୍ତି ମୃତ ଅଲେଖଙ୍କ ଶାଶୁ ଓ ପରିବାର ସଦସ୍ୟ । ସେମାନଙ୍କ କହିବା ମୁତାବକ, ଜମିଜମା ବିବାଦ ସହ ଏକ ରେପ୍ କେସ୍‌କୁ ନେଇ ମତାନ୍ତର ଥିଲା । ଏହି ଘଟଣାର CBI ତଦନ୍ତ ଦାବି କରିଛନ୍ତି ଅଲେଖଙ୍କ ଶ୍ୱଶୁର ଘର ଲୋକେ।  CBI ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ, ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତି ସନ୍ଧ୍ୟାଙ୍କ ହତ୍ୟା ପରେ ସ୍ତବ୍ଧ ହୋଇଯାଇଛି ସମ୍ପୂର୍ଣ୍ଣ ଗାଁ । କିପରି ଜଣେ ବ୍ୟକ୍ତି ଏତେ ବଡ଼ କାଣ୍ଡ ଘଟାଇପାରିଲା ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅଲେଖଙ୍କ ଘରକୁ ସିଲ୍‌ କରିଦେଇଛି ପୁଲିସ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe