Advertisment

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ଼

ପିଲାର ଚିତ୍କାର ଶୁଣି ସ୍କୁଲ କର୍ତ୍ତୃପକ୍ଷ ଦୌଡ଼ି ଆସିଥିବା ବେଳେ ଫେରାର ହୋଇ ଯାଇଥିଲା ଦୁର୍ବୃତ୍ତ।

ଅଦ୍ୟତନ ହୋଇଛି
attack on student

attack on student

Advertisment

ବାଙ୍କି: ଖେଳ ଛୁଟି ବେଳେ ସ୍କୁଲ ଗେଟ୍‌ ନିକଟରେ ବୁଲୁଥିଲେ ତୃତୀୟ ଶ୍ରେଣୀ ଛାତ୍ର । ଗେଟ୍‌ଟି ତାଲା ପଡ଼ିଥିବା ବେଳେ ପିଲାଟି ଭିତରେ ହିଁ ଥିଲା। ହେଲେ ଉକ୍ତ ସମୟରେ ବାହାରେ ଛିଡ଼ା ହୋଇଥିବା ଜଣେ ଯୁବକ ଅତର୍କିତ ଭାବେ ପିଲାଟିକୁ ଛୁରା ମାଡ଼ କରିଥିଲେ। ଛୁରା ମାଡ଼ ଯୋଗୁ ପିଲାଟିର ଆଣ୍ଠୁରେ କ୍ଷତ ଲାଗିଛି। ପିଲାର ଚିତ୍କାର ଶୁଣି ସ୍କୁଲ କର୍ତ୍ତୃପକ୍ଷ ଦୌଡ଼ି ଆସିଥିବା ବେଳେ ଫେରାର ହୋଇ ଯାଇଥିଲା ଦୁର୍ବୃତ୍ତ।

Advertisment

ଏପରି ସ୍ପର୍ଶକାତର ଘଟଣା ଗତ ୧୯ ତାରିଖରେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ସ୍କୁଲ ପରିସରରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ହେଲେ ଚର୍ଚ୍ଚିକା ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ସାଇ ପ୍ରସାଦ । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି ଅଭିଯୁକ୍ତର ଟେର ମିଳିପାରିନି।

ଏହି ଘଟଣା ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ଗୋଛି ତଥା ପିଲାଟିର ବାପା ବି ପୃଥକ ପୃଥକ ଭାବେ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀଙ୍କ ଅଭିଯୋଗ କ୍ରମେ, ଗତ ୧୯ ତାରିଖ ମଧ୍ୟାହ୍ନ ଦେଢଟାରୁ ୨ଟା ମଧ୍ୟରେ ଖେଳ ଛୁଟି ବେଳେ ସାଇ ପ୍ରସାଦ ସାଙ୍ଗ ଆଦିତ୍ୟ ସହ ଗେଟ୍‌ ଭିତରେ ଛିଡ଼ା ହୋଇଥିଲା।

Advertisment

ଏହି ସମୟରେ ମୁଖାଧାରୀ ଜଣେ ଅଜଣା ବ୍ୟକ୍ତି ଏକ ଧଳା ରଙ୍ଗର ସ୍କୁଟିରେ ଆସି ଗେଟ୍‌ ପାଖରେ ଛିଡ଼ା ହୋଇଥିଲେ। ଏହାପରେ ସୁଯୋଗ ପାଇ ସେ ସାଇ ପ୍ରସାଦଙ୍କୁ ଛୁରୀରେ ଚୋଟ ମାରି ଫେରାର ହୋଇ ଯାଇଥିଲେ। ତୁରନ୍ତ ପିଲାଟିକୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଗଲା। ପ୍ରାଥମିକ ଚିକିତ୍ସା ପରେ ପିଲାଟିକୁ ଘରକୁ ପଠାଇ ଦିଆଯାଇଛି।   ସଙ୍ଗେ ସଙ୍ଗେ ବହୁ ଖୋଜାଖୋଜି ସତ୍ତ୍ୱେ ଉକ୍ତ ଯୁବକଙ୍କ ସନ୍ଧାନ ମିଳିପାରି ନ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । 

ସୂଚନାଯୋଗ୍ୟ, ଚର୍ଚ୍ଚିକା ସ୍କୁଲର ୨ଟି କ୍ୟାମ୍ପସ୍‌ ରହିଛି। ଏହା ମଝିରେ କଟକ-ବାଙ୍କୀ ମେନ୍‌ ରୋଡ଼ ରହିଛି। ଏହି ୨ କ୍ୟାମ୍ପସ ମଧ୍ୟରୁ ଗୋଟିଏରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟ ଥିବା ବେଳେ ଅନ୍ୟଟିରେ ଶ୍ରେଣୀଗୃହ ଥିବା ବେଳେ ସେଠାରେ ପାଠପଢ଼ା ଯାଏ । ଉକ୍ତ କ୍ୟାମ୍ପସ୍‌ରେ ପିଲାମାନେ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିବାରୁ  ପିଲାଙ୍କ ସମେତ ଅଭିଭାବକ ତଥା ସ୍କୁଲ କର୍ତ୍ତୃପକ୍ଷ ଭୟଭୀତ ହୋଇ ପଡ଼ିଛନ୍ତି। ଏଥିସହ ତୁରନ୍ତ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି। 

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe