Attack
ଦିନକୁ ଦିନ ବଢ଼ି ଚାଲିଛି ଗୋରୁ ମାଫିଆଙ୍କ ଦୌରାତ୍ମ୍ୟ । ଗୋ’ ଚାଲାଣ କରୁଥିବା ମାଫିଆ ସାଜୁଛନ୍ତି ରକ୍ତମୁଖା। ଯିଏ ପ୍ରତିରୋଧ କରୁଛି ତାକୁ ଲହୁଲୁହାଣ କରିବାକୁ ପଛାଉ ନାହାନ୍ତି। ଆଖି ଆଗରେ ପୁଲିସ୍ ପଡ଼ିଗଲେ ବି ସେ ମରଣାନ୍ତକ ଆକ୍ରମଣ କରିବାକୁ ଭୟ କରୁ ନାହାନ୍ତି। ଏପରି ଏକ ସାଂଘାତକି ଘଟଣା ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଶାସନ ଛକରେ ଘଟିଛି।
ଗତକାଲି ବିଳମ୍ବିତ ରାତିରେ ତିଗିରିଆ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଗୋରୁ ବୋଝେଇ କଣ୍ଟେନର ତିଗିରିଆରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ଗୋରୁ ବୋଝେଇ ଗାଡ଼ି ସହ ତାକୁ ଏସକର୍ଟ କରି ଆଉ ୨ ଟି ଗାଡ଼ିରେ ମାରଣାସ୍ତ୍ର ଧରି ପ୍ରାୟ ୨୦ରୁ ଅଧିକ ମାଫିଆ ଯାଉଥିଲେ।
ଏହି ସମୟରେ ଗୋପୀନାଥପୁର ଶାସନ ଛକରେ ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନାଙ୍କ ନେତୃତ୍ୱରେ ପ୍ରାୟ ୧୦ ଥାନା ଷ୍ଟାଫ ଛକି ରହିଥିଲେ। ସେମାନେ ଗୋରୁ ବୋଝେଇ ଗାଡ଼ିଟିକୁ ଅଟକାଇବାରୁ ଅନ୍ୟ ୨ ଟି ଗାଡ଼ିରେ ଥିବା ମାଫିଆମାନେ ଓହ୍ଲାଇ ଆସିଥିଲେ। ଏହାପରେ ସେମାନେ ମାରଣାସ୍ତ୍ରରେ ପୁଲିସ୍ କର୍ମଚାରୀଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଗୋରୁ ମାଫିଆଙ୍କ ଆକ୍ରମଣରେ ଆଇଆଇସିଙ୍କ ସମେତ ଏସ୍ଆଇ ସନ୍ତୋଷ ପ୍ରଧାନ ଓ ଏଏସ୍ଆଇ ଲକ୍ଷ୍ମୀଧର ବେହେରା ଗୁରୁତର ଭାବେ ଆହତ ହୋଇଛନ୍ତି।
ଅଳ୍ପ ସଂଖ୍ୟକ ପୁଲିସ୍ କର୍ମଚାରୀ ଥିବାରୁ ଗୋରୁ ମାଫିଆମାନେ ଗାଡ଼ି ଧରି ଚମ୍ପଟ ମାରିଥିଲେ। ଖବର ପାଇ ପ୍ରାୟ ଅଧ ଘଣ୍ଟା ପରେ ଆଠଗଡ଼ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପୁଲିସ୍ କର୍ମଚାରୀଙ୍କୁ ଆଠଗଡ଼ ମେଡିକାଲ ପଠାଇଥିଲେ। ଏହାପରେ ସେ ନିକଟସ୍ଥ ଗାଁ ଉପରେ ଚଢ଼ାଉ କରି ପଚରାଉଚରା ପାଇଁ ୨ ଜଣଙ୍କୁ ଉଠାଇ ଆଣିଥିବା ଜଣାଯାଇଛି। ହେଲେ ଫେରାର ହୋଇଯାଇଥିବା ଗୋରୁ ବୋଝେଇ ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିପାରୁନି।
ଦିନକୁ ଦିନ ଗୋ’ ଚାଲାଣ ସାଙ୍ଗକୁ ଗୋରୁ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଯିଏ ପ୍ରତିବାଦ କରୁଛି ତା’ ଉପରକୁ ମରଣାନ୍ତକ ଆକ୍ରମଣ ହେଉଛି। ପୁଲିସ୍ କର୍ମଚାରୀ ବି ଏଥିରୁ ବାଦ ପଡ଼ୁ ନାହାନ୍ତି। ତେଣୁ ଏହାକୁ ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
