Orissa High Court
କଟକ (ଓଡ଼ିଶା ରିପୋର୍ଟର): ହାଇକୋର୍ଟରେ ପହଞ୍ଚିଲା ବରଗଡ଼ ଟାଉନ ଥାନାରେ ଘଟିଥିବା ହାଜତ ମୃତ୍ୟୁ ଘଟଣା। ଏହି ମୃତ୍ୟୁ ଘଟଣାର ନିରପେକ୍ଷ ସଂସ୍ଥା କିମ୍ବା ସିବିଆଇ ଦ୍ୱାରା ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏହି ଆବେଦନରେ ବରଗଡ଼ ପୁଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି।
ଗତ ୨୪ ତାରିଖରେ ମୃତକ ଗୋବିନ୍ଦ କୁମ୍ଭାରଙ୍କୁ ବିଳମ୍ବିତ ରାତିରେ ଉଠାଇ ନେଇଥିବା ଟାଉନ ଥାନାର ଏସଆଇ ମଙ୍ଗଳ କିସୋ, ଏଏସଆଇ ପିତାମ୍ବର ବେହେରା, କ୍ଷୀରୋଦ ବିଶ୍ୱାଳ, ଜଗବନ୍ଧୁ ଜଗଦଳା ଓ ଅନ୍ୟମାନଙ୍କ ବିରୋଧରେ ଆଇପିସିର ୩୦୨ ଓ ୩୦୪ ଧାରାରେ ମାମଲା ରୁଜୁ ପାଇଁ ଆବେଦନ ହୋଇଛି। ୨୪ ତାରିଖ ରାତିରେ ପୁଲିସ ଉଠାଇ ନେଇଥିବା ବେଳେ ୨୫ ତାରିଖ ସକାଳେ ତାଙ୍କର ବରଗଡ଼ ମେଡିକାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଅବଗତ କରାଇଥିଲେ।
ଟାଉନ ଥାନା ପୁଲିସ ଜାଣିଶୁଣି ଥାନାର ସିସିଟିଭି ଅଚଳ କରି ଦେଇଥିବା ମାମଲାରେ ଦର୍ଶାଯାଇଛି। ଏହି ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ବରଗଡ଼ ଏସପି ଓ ଟାଉନ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।
ସୂଚନାଯୋଗ୍ୟ, ଜୁଲାଇ ମାସରେ ଘଟିଥିବା ଏକ ମାରପିଟ୍ ମାମଲାରେ ଟାଉନ ଥାନା ପୁଲିସ ତୋରା ଗାଁର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦଙ୍କୁ ରାତି ଅଧରେ ଉଠାଇ ନେଇଥିଲା। ପରଦିନ ଭୋରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ।
ଗୋବିନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଉତ୍ତେଜନା ହୋଇଥିଲା। ଉତ୍ୟକ୍ତ ଲୋକେ ମେଡିକାଲ୍ରେ ଭଙ୍ଗାରୁଜା କରିଥିଲେ। ଗୋବିନ୍ଦଙ୍କୁ ପୁଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣାକୁ ଚପାଇ ଦେବା ପାଇଁ ପୁଲିସ ଉଦ୍ୟମ କରୁଥିବା ଗୋବିନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ଏପରିକି ପୁଲିସ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଗୋବିନ୍ଦଙ୍କ ଭାଇ ଜିତେନ୍ କୁମ୍ଭାର ଆତ୍ମହତ୍ୟା ଧମକ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/Orissa-High-Court-1.jpg)