Advertisment

ବିଏସ୍‌କେୱାଇ ଠକେଇ: ରୋଗୀର ଜୀବନ ନେଲେ, ଜାଲିଆତି କରି ଟଙ୍କା ବି ନେଇଗଲେ

ରୋଗୀ ଗୋଟିଏ ହସ୍ପିଟାଲରେ ଚିକିତ୍ସା ହୋଇଛି। ହେଲେ ଅନ୍ୟ ହସ୍ପିଟାଲ ମାଲିକ ନେଇ ଯାଇଛି ବିଏସ୍‌କେୱାଇ ଯୋଜନା ଟଙ୍କା।

author-image
Niranjan Mishra
ଅଦ୍ୟତନ ହୋଇଛି
Shova Nursing Home owner Ashok Pati and manager Shantanu Kumar Pati

Shova Nursing Home owner Ashok Pati and manager Shantanu Kumar Pati

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ(ବିଏସ୍‌କେୱାଇ)ରେ କେମିତି ଚାଲିଛି ଠକେଇ। ସାମ୍ନାକୁ ଆସିଛି ଆଉଗୋଟିଏ ଚିତ୍ର। ରୋଗୀ ଡାକ୍ତରଖାନାରେ ଆଦୌ ଚିକିତ୍ସା ସେବା ପାଇନି, ହେଲେ ସେ ଚିକିତ୍ସା ହୋଇଥିବା ଦର୍ଶାଇ ଟଙ୍କା ନେଇଯାଉଛନ୍ତି ଘରୋଇ ମେଡିକାଲ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଏଡିସିପି ଅନିଲ ମିଶ୍ର। ଏଥିସହ ଘରୋଇ ହସ୍ପିଟାଲରେ କିପରି ଦାୟିତ୍ୱହୀନତା କରାଯାଇ ରୋଗୀଙ୍କ ଜୀବନ ନେଇଯାଉଛନ୍ତି ଓ ଚିକିତ୍ସା ଦେଇଥିବା ଦର୍ଶାଇ ବିଏସ୍‌କେୱାଇ କାର୍ଡ ଜରିଆରେ ସରକାରୀ ଟଙ୍କା ଜାତିଆତି କରି ନେଉଛନ୍ତି ତାହା ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଯାହା ଭିତରେ ଗୋଟିଏ ଘରୋଇ ଡାକ୍ତରଖାନାର ମାଲିକ ଓ ମ୍ୟାନେଜର ଅଛନ୍ତି। ସେପଟେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଏହି ମାମଲାରେ ୨୫ ଜଣ ରୋଗୀଙ୍କୁ ଏଭଳି ଠକେଇ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।

Advertisment

ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ୭ ତାରିଖରେ ଭୁବନେଶ୍ୱର ବଡଗଡ ଅଞ୍ଚଳର ପ୍ରସନ୍ନ କୁମାର ପାତ୍ର ତାଙ୍କ ପତ୍ନୀ କୁନୀ ପାତ୍ରଙ୍କୁ କିଡ୍‌ନୀ ଷ୍ଟୋନ୍ ଅପରେସନ ନିମନ୍ତେ ନୂଆପଡା ଜେଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅପରେସନର ୪ ଦିନ ପରେ କୁନୀ ହସପିଟାଲରୁ ଡିସଚାର୍ଜ ହୋଇଥିଲେ। ମାତ୍ର କିଛି ଦିନ ପରେ ତାଙ୍କ ପତ୍ନୀ କୁନୀଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳା ତଥା ଭୁଲ ଅପରେଶନ ଯୋଗୁଁ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ପ୍ରସନ୍ନ। ମଧୁପାଟଣା ପୁଲିସ ଏ ଘଟଣାର ତଦନ୍ତ କରୁ କରୁ ବିଏସକେୱାଇ ଘୋଟଲା ବାବଦରେ ଜାଣିବାକୁ ପାଇଛି।

କଟକ ଏଡିସିପି ଅନିଲ ମିଶ୍ର କହିଛନ୍ତି, କୁନୀଙ୍କ ସମସ୍ତ ଅପରେସନ ଓ ଚିକିତ୍ସା ଜେଏମ ହସପିଟାଲରେ ହୋଇଥିଲା। ମାତ୍ର ବିଜୁ ସ୍ୱାସ୍ଥ୍ୟ କାର୍ଡରେ ତାଙ୍କ ଚିକିତ୍ସା ସାଲେପୁର ସ୍ଥିତ ଶୋଭା ନର୍ସିଂ ହୋମରେ ହୋଇଥିବା ଦର୍ଶା ଯାଇଛି। ଏଭଳି ଜାଲିଆତି କରି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ କରାଯାଇଛି।
ଏହି ଘଟଣାରେ ମଧୁପାଟଣା ପୁଲିସ ସାଲେପୁରର ଶୋଭା ନର୍ସିଂହୋମ ମାଲିକ ଅଶୋକ ପତି ଓ ମ୍ୟାନେଜର ଶାନ୍ତନୁ କୁମାର ପତିଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଜେମ କେୟାର ହସ୍ପିଟାଲର ଡାକ୍ତର ଚିନ୍ମୟ ସାହୁ ଆଗୁଆ କୋର୍ଟରୁ ଜାମିନ୍‌ ଆଣିଥିଲେ ହେଁ ଅନ୍ୟ ଦଫାରେ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ।

Advertisment

ଡାକ୍ତର ଚିନ୍ମୟ ସାହୁଙ୍କ ପରାମର୍ଶ ମୁତାବକ ରୋଗୀଙ୍କୁ ପ୍ରଥମେ ନୂଆପଡ଼ା ଜେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଏସ୍‌ସିବିର ଆସିଷ୍ଟାଣ୍ଟ ଡାକ୍ତର ଅମୀୟ କୁମାର ପାଲ ଏହି ଅପରେସନ କରିଥିଲେ। ଅପରେସନ ପରେ ରୋଗୀ ଅସୁସ୍ଥ ହେବାରୁ ଡାକ୍ତର ସାହୁଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିଥିଲେ। ହେଲେ ଡାକ୍ତର ସାହୁ ପରିବାର ଲୋକଙ୍କ କଥା ଶୁଣି ନ ଥିଲେ। ଫଳରେ ୭ ତାରିଖ ଦିନ ନୂଆପଡା ଜେଏମ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁ ରୋଗୀର ମୃତ୍ୟୁ ହୋଇଯାଇଥିଲା। ଦଶାହ ପ୍ରଭୃତି କରିବା ପରେ ପରିବାର ପକ୍ଷରୁ ବିଳମ୍ବରେ ଏନେଇ ଅଭିଯୋଗ କରିଥିଲେ।

ଏନେଇ ମାମଲା ରୁଜୁ କରି ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ନୂଆପଡ଼ା ଜେଏମ ହସ୍ପିଟାଲରେ ବିଏସ୍‌କେୱାଇ କାର୍ଡରେ ଚିକିତ୍ସା ହୁଏନି। ଶୋଭା ନର୍ସିଂ ହୋମରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ନିମନ୍ତେ ସରକାରୀ ଅନୁବନ୍ଧିତ। ଡାକ୍ତର ସାହୁ ରୋଗୀଙ୍କ ବିଏସ୍‌କେୱାଇ କାର୍ଡରୁ ଟଙ୍କା ଠକେଇ କରିବାକୁ ଶୋଭା ନର୍ସିଂ ହୋମର ମାଲିକ ଅଶୋକ ପତି ଓ ମ୍ୟାନେଜର ଶାନ୍ତନୁ କୁମାର ପତିଙ୍କ ସହ ଯୋଜନାକୁ ରୂପ ଦେଇଥିଲେ। ରୋଗୀ ଜେଏମ୍‌ କେୟାରରେ ଅପରେସନ ଓ ଅନ୍ୟାନ୍ୟ ଚିକିତ୍ସା ହୋଇଥିଲେ ହେଁ କାଗଜପତ୍ରରେ ରୋଗୀ ଶୋଭା ନର୍ସିଂ ହୋମରେ ଅପରେସନ ଓ ଚିକିତ୍ସା ହୋଇଥିବା ଦର୍ଶାଇଛନ୍ତି। ଏହି ଜାଲିଆତିରେ ୩ ଜଣଙ୍କ ସମ୍ପୃକ୍ତି ଜଣାପଡ଼ିଛି। ସେମାନେ ହେଲେ ଡାକ୍ତର ଚିନ୍ମୟ ସାହୁ, ଡାକ୍ତର ଅଶୋକ ପତି ଓ ମ୍ୟାନେଜର ଶାନ୍ତନୁ କୁମାର ପତି। ଡାକ୍ତର ଅଶୋକ ପତି ଓ ମ୍ୟାନେଜର ଶାନ୍ତନୁ କୁମାର ପତିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଚିନ୍ମୟ ଆଗୁଆ କୋର୍ଟରୁ ବେଲ ଆଣିଥିଲେ ହେଁ ଅନ୍ୟ ଦଫାରେ ତାଙ୍କୁ ଗିରଫ କରାଯିବ। ସବିତା ସ୍ୱାଇଁ ନାଁକୁ ମାତ୍ର ଶୋଭା ନର୍ସିଂ ହୋମ୍ ଚଲାଉଥିବା କେବଳ ରେକର୍ଡରେ ରହିଛି, ମାତ୍ର ଅଶୋକ ପତି ସବୁ ଜାଲିଆତି କରୁଥିଲେ।

ତଦନ୍ତ ବେଳେ ଏହି ଦୁଇ ଘରୋଇ ହସ୍ପିଟାଲର ରେଜିଷ୍ଟର ଓ କାଗଜପତ୍ର ଯାଞ୍ଚ ବେଳେ ଆହୁରି ୨୫ ଜଣ ରୋଗୀଙ୍କ ନାମରେ ଏଭଳି ବିଏସ୍‌କେୱାଇ କାର୍ଡରେ ଟଙ୍କା ଜାଲିଆତି ହୋଇଛି। ପ୍ରକୃତପକ୍ଷେ ଏହି ରୋଗୀମାନେ ଜେଏମ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ବେଳେ ସେମାନେ ଶୋଭା ନର୍ସିଂ ହୋମରେ ଚିକିତ୍ସିତ ହୋଇଥିବା ଦର୍ଶାଯାଇଛି। ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ଭିତରେ ଏହି ଜାଲିଆତି ହୋଇଥିବା ଧରାପଡ଼ିଛି ବୋଲି କଟକ ଏଡିସିପି କହିଛନ୍ତି।

Scam BSKY