Advertisment

କାଠଯୋଡ଼ିକୁ ପ୍ରଦୂଷିତ କରୁଛି ସିଏମ୍‌ସି, ଚର୍ମ ଓ ପେଟ ରୋଗରେ ବାସିନ୍ଦା କଲବଲ

ଦିନକୁ ଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି କଟକର କାଠଯୋଡ଼ି ନଦୀ।

author-image
Niranjan Mishra
ଅଦ୍ୟତନ ହୋଇଛି
KathaJodi Pollution

KathaJodi Pollution

ଗନ୍ଧରେ ନାକ ଫାଟି ଯାଉଛି। ଦିନକୁ ଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି କଟକର କାଠଯୋଡ଼ି ନଦୀ। ସହରର ତମାମ ଆବର୍ଜନା ପାଣି ବର୍ଷବର୍ଷ ଧରି ଏହି ନଦୀ ପାଣିରେ ମିଶୁଛି। ଏଥିଯୋଗୁ କାଠଯୋଡ଼ି ପାଣି ଜହରରେ ପରିଣତ ହୋଇଛି। ନଦୀ ଉପରେ ନିର୍ଭର କରି ଚଳୁଥିବା ଲୋକେ ଏହି ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। କେତେବେଳେ ଝାଡାବାନ୍ତିରେ ପଡ଼ୁଛନ୍ତି ତ କେତେବେଳେ ଚର୍ମ ରୋଗ ହେଉଛି।

Advertisment

ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।

ଖାନନଗର ବାସିନ୍ଦା ପ୍ରଫୁଲ୍ଲ ସାହୁ କହିଛନ୍ତି, କାଠଯୋଡ଼ିର କଟକ ଖାନନଗର ନଦୀ ପଠାକୁ ଲକ୍ଷ୍ୟ କଲେ ସହରର ନର୍ଦ୍ଦମା ପାଣି କିପରି ନଦୀରେ ଖଲାସ ହେଉଛି ତାହା ଜାଣି ହେବ। ବର୍ଷ ବର୍ଷ ଧରି ସହରର ନର୍ଦ୍ଦମା ପାଣି ନଦୀ ଭିତରକୁ ପ୍ରବେଶ କରୁଛି ଓ ନଦୀ ପ୍ରଦୂଷିତ ହୋଇଚାଲିଛି। ଏଭଳି ସ୍ଥିତି ପାଇଁ ସି.ଏମ୍.ସି. ଦାୟୀ। ନଦୀ ପାଣି ବ୍ୟବହାର କରିବା ଦୂରେ ଥାଉ, ନଦୀ ବନ୍ଧ ଉପରକୁ ଆସି ହେଉନି। ଗନ୍ଧରେ ଅଞ୍ଚଳବାସୀ ନାକେଦମ ହେଲେଣି। କୋର୍ଟଙ୍କୁ ନିର୍ଦ୍ଦେଶକୁ ସିଏମ୍‌ସି ନମାନିବା ପରିତାପର ବିଷୟ।

Advertisment
KathaJodi Pollution କାଠଯୋଡ଼ି ନର୍ଦ୍ଦମାଜଳ ନିଷ୍କାସନ କରାଯାଉଛି

ଆଇନଜିବୀ ସୁରେନ୍ଦ୍ର ରାଉତ କହିଛନ୍ତି, ଗତବର୍ଷ ମାର୍ଚ୍ଚ ୨୧ ତାରିଖରେ ହାଇକୋର୍ଟଙ୍କ ଚିଫ୍ ଜଷ୍ଟିସ୍‌ଙ୍କ ଖଣ୍ଡପିଠ ଏ ବାବଦରେ ଶୁଣାଣି କରିଥିଲେ। କାଠଯୋଡ଼ିକୁ ବିଶୋଧନ ହୋଇନଥିବା ଡ୍ରେନ୍ ପାଣି ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶୋଧନ ହୋଇ ଖଲାସ ହେଉଥିବା ଡ୍ରେନ୍‌ ପାଣିର ଟେଷ୍ଟ ରିପୋର୍ଟକୁ କୋର୍ଟରେ ଦାଖଲ କରିବାକୁ କୁହାଯାଇଥିଲା। ନିର୍ଦ୍ଦେଶ ପାଳନ ନିମନ୍ତେ ସିଏମ୍‌ସି ସମେତ ୱାଟକୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ସରକାରୀ ବିଭାଗମାନଙ୍କୁ ମଧ୍ୟ କୁହାଯାଇଥିଲା। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ ପୂରିଥିଲେ ହେଁ ସିଏମ୍‌ସି ବିଶୋଧନ ହୋଇ ନ ଥିବା ମଇଳା ପାଣି ସିଧାସଳଖ କାଠଯୋଡ଼ିକୁ ଛାଡ଼ୁଛି। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବାରୁ ଖୁବ୍‌ଶୀଘ୍ର ମାମଲା ଦାୟର କରିଥିବା ଆବେଦନକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।

ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଟକ ମେୟର ସୁବାସ ସିଂହ। କଟକ ସହରରୁ ସ୍ୱରେଜ ଓ ଡ୍ରେନେଜ୍ ଜଳ ନିଷ୍କାସନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସ୍ୱରେଜ ପାଣି ବିଶୋଧନ ପରେ ହିଁ ଛଡ଼ା ଯାଉଛି। ଖାନନଗର ଗେଟ୍ ବାଟେ କାଠଯୋଡ଼ିକୁ ମଇଳା ପାଣି ନିଷ୍କାସନ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇସାରିଛି। ଖୁବ୍‌ଶୀଘ୍ର ସ୍ୱରେଜ ଓ ଡ୍ରେନେଜ୍ ଅଲଗା କରିବା କାମ ସରିଗଲେ ସମସ୍ୟା ହଟିଯିବ। ଅଳ୍ପକିଛି କାମ ବାକି ରହିଛି।

River Mishap Cuttack Pollution