Advertisment

Choudwar Jail Escape: ଚୌଦ୍ୱାର ଜେଲ୍‌ରୁ ୨ କଏଦୀ ଚମ୍ପଟ ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ କଥା

ଫେରାର ହୋଇଥିବା ଦୁଇ ବିହାରୀ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିନି ପୁଲିସ। ଏହାରି ଭିତରେ ତିନି ଦିନ ବିତି ଯାଇଥିଲେ ହେଁ ପୁଲିସର ହାତ ଖାଲି ପଡ଼ିଛି। କଟକ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବିହାର ଯାଇ ଡେରା ପକାଇଥିବା ଜଣାପଡ଼ିଛି।

author-image
Jitendra Garnayak
Raja and Madhukanta

ଫେରାର ଦୁଇ ଅଭିଯୁକ୍ତ Photograph: (OR)

କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ କଥା। ମିଳିଥିବା ସୂଚନା ଅନୁଯାୟୀ, ଲୁଟ୍ ଓ ହତ୍ୟା ମାମଲାରେ ଗିରଫ ୨ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଦଶହରା ରାତିରୁ ଜେଲ୍‌ରୁ ଫେରାର ହୋଇଯାଇଥିବା ବେଳେ ଆଜି ସେମାନଙ୍କୁ ରଖାଯାଇଥିବା ସେଲ୍‌କୁ ସର୍ଚ୍ଚ କରାଯାଇଥିଲା। ସର୍ଚ୍ଚ ବେଳେ ଟଏଲେଟ ସିଷ୍ଟନ (ଯେଉଁଥିରେ ପାଣି ରହେ)ରୁ ମୋବାଇଲ ଫୋନ୍, ଚାର୍ଜର ଓ ପାୱାର ବ୍ୟାଙ୍କ ମିଳିଛି।

Advertisment

ସେହିପରି ସେଲ୍‌କୁ ଫୋକସ୍‌ କରାଯାଇଥିବା ସିସିଟିଭି କ୍ୟାମେରାର ଦିଗ ବଦଳାଇ ଦିଆଯାଇଥିବା ସୂଚନା ମିଳିଛି। ଦଶହରାରେ ଏହି ଦୁଇ ୨ ବିହାରୀ କଏଦୀଙ୍କୁ ସେଲ୍‌ ବାହାରକୁ ବୁଲିବାକୁ ଛଡ଼ାଯାଇଥିବା ବି ସୂଚନା ମିଳିଛି। ଏମିତିକି ଘଟଣା ପୂର୍ବରୁ କଏଦୀଙ୍କ ପାଖରେ ଆରିପାତି ଥିବା ନେଇ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଜଣେ କଏଦୀ। ଏହା ସତ୍ତ୍ୱେ ଜେଲ୍ ମାନୁଆଲ୍‌ ଅନୁସାରେ ବଦଳା ଯାଇ ନଥିଲା ଫେରାର କଏଦୀଙ୍କ ଠିକଣା।

ଜେଲ୍‌ ମାନୁଆଲ୍‌ ଅନୁସାରେ ଜେଲ୍ ଅଧୀକ୍ଷକ ଓ ଜେଲର୍ ପ୍ରତ୍ୟେକ ଦିନ ସେଲ୍ ସର୍ଚ୍ଚ କରିବା କଥା। କିନ୍ତୁ ୩ ମାସ ହେବ ଉଭୟ କଏଦୀ ରହୁଥିବା ସେଲ୍ ସର୍ଚ୍ଚ ହୋଇ ନଥିବା ସୂଚନା ମିଳିଛି। ଯଦିଓ ଏହା ବି ସୂଚନା ଥିଲା ଯେ ତିନି ମାସ ତଳେ ଫେରାର କଏଦୀଙ୍କ ମଧ୍ୟରୁ ଜଣଙ୍କଠାରୁ ଆରିପାତି ଜବତ କରାଯାଇଥିଲା। ସେହିପରି ପୂର୍ବରୁ ବିହାରରେ ସେମାନଙ୍କର ଜେଲ୍‌ରୁ ଫେରାର ହେବାର ରେକର୍ଡ ମଧ୍ୟ ରହିଛି। ଏବେ ସାମ୍ନାକୁ ଆସିଥିବା ତଥ୍ୟଗୁଡ଼ିକ ଯଦି ସତ ହୋଇଥାଏ, ତା’ହେଲେ ସେମାନଙ୍କ ଫେରାର ପଛରେ ଜେଲ୍‌ର କୌଣସି କର୍ମଚାରୀ ବା ଏକାଧିକ କର୍ମଚାରୀଙ୍କ ହାତ ନିଶ୍ଚିତ ରହିଛି ବୋଲି କୁହାଯାଉଛି। 

Advertisment

ଜେଲ୍‌ର ସେଲ୍‌ର ଲୁହା ରଡ୍ କାଟି ଓ କମ୍ବଳକୁ ଦଉଡ଼ି କରି କାନ୍ଥ ଡେଇଁ ଫେରାର ହୋଇଥିବା ଦୁଇ ବିହାରୀ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିନି ପୁଲିସ। ଏହାରି ଭିତରେ ତିନି ଦିନ ବିତି ଯାଇଥିଲେ ହେଁ ପୁଲିସର ହାତ ଖାଲି ପଡ଼ିଛି। କଟକ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବିହାର ଯାଇ ଡେରା ପକାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ରାଜା ସାହାଣୀ ଓ ମଧୁକାନ୍ତ କୁମାରଙ୍କ ଏକାଧିକ ସମ୍ପର୍କୀୟଙ୍କ ଉପରେ ଏହି ଟିମ୍ ନଜର ରଖିଛି ବୋଲି ସୂଚନା ମିଳିଛି। ଅନ୍ୟ ଜିଲ୍ଲାଗୁଡ଼ିକର ଥାନାକୁ ଅପରାଧୀମାନଙ୍କ ଫୋଟ ପଠାଯାଇଥିବା ବେଳେ ସେମାନଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି କମିଶନରେଟ୍ ପୁଲିସ ଘୋଷଣା କରିଛି।

https://odishareporter.in/odisha/cuttack/2-criminals-abscond-from-chaudwar-jail-2-employees-suspended-10525362

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଅପରାଧୀମାନଙ୍କ ଅପରାଧିକ ସାମ୍ରାଜ୍ୟ ଖୁବ୍ ଲମ୍ବା। ସେମାନେ ଓଡ଼ିଶା ଓ ବିହାର ସମେତ ୭ଟି ରାଜ୍ୟରେ ଏହି ପରି ଡକାୟତି କରିଛନ୍ତି। ଏମାନଙ୍କ ମାଷ୍ଟର ମାଇଣ୍ଡ ଜେଲ ଭିତରେ ଥାଇ ଅପରାଧିକ କାର୍ଯ୍ୟ କରିଥାଏ ବୋଲି ଜଣାପଡ଼ିଛି।  ଯାଜପୁରରେ ସୁନା ଦୋକାନରୁ ଲୁଟ୍‌ କରି ଦୁଇ ଜଣଙ୍କୁ ହତ୍ୟା କରିବା ପୂର୍ବରୁ ସମ୍ବଲପୁରରେ ଏକ ଅଳଙ୍କାର ଦୋକାନରୁ ସେମାନେ ଚୋରି କରିଥିବା ଜଣାପଡ଼ିଛି।