Advertisment

ଅଭିଯୁକ୍ତ ଡିଏଫଓ, ରେଂଜର, ଏସିଏଫଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ମାମଲାରେ ତଦନ୍ତକୁ ଆଗକୁ ନେବାକୁ ପୁଲିସ ଏବେ ମୃତ ଧନେଶ୍ୱରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Custodial death

Custodial death

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ। ଉତ୍ତ୍ୟକ୍ତ ଲୋକେ ଜାଳି ଦେଲେ ବନ ବିଭାଗର ବିଟ୍ ହାଉସ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନସ୍ଥ ବଡ଼ମ୍ବା ଅଞ୍ଚଳରେ ଏକ ହାତୀ ଶିକାର ଓ ଦାନ୍ତ ଚୋରୀ ଅଭିଯୋଗରେ କାଲି ରାତିରେ ବନ ବିଭାଗ ସ୍କ୍ୱାଡ୍ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେବା ପରେ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା। ପରେ ଆଠଗଡ଼ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ସ୍ଥାନୀୟ ପ୍ରଶାସନ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପରିବାରରୁ ଜଣକୁ ଚାକିରି ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଲାଗି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିବା ସହ ଲୋକଙ୍କ ରାଗ ପ୍ରଶମିତ ହୋଇଥିଲା। ସେପଟେ ଅଭିଯୁକ୍ତ ଡିଏଫଓ, ରେଂଜର, ଏସିଏଫଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ମୃତ ବ୍ୟକ୍ତିଙ୍କ ହାତ, ଗୋଡ଼, ପିଠିରେ ମାଡ଼ ଦାଗ ରହିଛି; ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି।

Advertisment

ମୃତ ବ୍ୟକ୍ତି ଜଣକ ଆଠଗଡ଼ ଥାନା ବଡ଼ମ୍ବା ରେଞ୍ଜ୍ ଅନ୍ତର୍ଗତ ସାତଗୋଛିଆ ଗାଁର ଧନେଶ୍ୱର ବେହେରା। ତାଙ୍କୁ ଗତକାଲି ରାତିରେ ଉଠାଇ ନେଇଥିଲା ବନ ବିଭାଗର ସ୍କାଡ୍। ଅଭିଯୋଗ ହୋଇଛି, ଧନେଶ୍ୱରଙ୍କୁ ବନ ବିଭାଗ ଟିମ୍ ଏକ ଅଜଣା ସ୍ଥାନରେ ରଖି ପ୍ରବଳ ମାଡ଼ ମାରିବା ସହ ଥାର୍ଡ ଡିଗ୍ରୀ ବି ଦେଇଥିଲା। ଫଳରେ ଆଜି ସକାଳେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଗାଁ ଲୋକେ ବନ ବିଭାଗ ଉପରେ ତାତିଥିଲେ। କିଛି ଲୋକ ତୁରନ୍ତ ସ୍ଥାନୀୟ ବାଣପୁର ବିଟ୍ ହାଉସକୁ ଯାଇ ସେଠାରେ ଭଙ୍ଗାରୁଜା କରିବା ସହ ଘରେ ନିଆଁ ଲଗାଇ ଦେଇଥିଲେ। ଏପଟେ ଆଉ କିଛି ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଓ ଦାୟୀ ବନ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବଡ଼ ବାରାସିଂହା ଛକଠାରେ ୬୫ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅଚଳ ରଖିଥିଲେ।

ମୃତ ଧନେଶ୍ୱରଙ୍କ ସ୍ତ୍ରୀ ତୁଳସୀ ବେହେରାଙ୍କ ଅଭିଯୋଗ କ୍ରମେ ଏଣେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ତିଗିରିଆ ପୁଲିସ। ଧନେଶ୍ୱରଙ୍କୁ ଉଠାଇ ନେଇ ଜେରା କରିଥିବା ଟିମର ୨ ଜଣ ACF ଓ ବଡ଼ମ୍ବା ରେଞ୍ଜରଙ୍କ ସମେତ ମୋଟ ୧୦ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଥିଲା। ସେପଟେ ରାସ୍ତାରୋକ କରିଥିବା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ଦାବି ନେଇ ଆଲୋଚନା କରିଥିଲେ ଆଠଗଡ଼ ଏସଡିପିଓ ଓ ବଡମ୍ବା ତହସିଲଦାର। ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତକଙ୍କ ପରିବାରରୁ ଜଣକୁ ଚାକିରି ସହ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାରୁ ପ୍ରାୟ ୫ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା। ଏପଟେ ବନ ବିଭାଗ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ କେମିତି ହେଲା ଏବଂ ଏ ଘଟଣା ପାଇଁ କିଏ ଦାୟୀ, ତାର ତଦନ୍ତ କରିବାକୁ କଞ୍ଜରଭେଟର ରାଙ୍କର ଜଣେ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ।

Advertisment

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ମାମଲାରେ ତଦନ୍ତକୁ ଆଗକୁ ନେବାକୁ ପୁଲିସ ଏବେ ମୃତ ଧନେଶ୍ୱରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ସେପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଆଠଗଡ଼ରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Custodial Death