Advertisment

କଟକ ବକ୍ସ ଡ୍ରେନ୍ ଟ୍ରାଜେଡ଼ି: ସିଏମ୍‌ସିର ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ

ସେମାନେ ହେଲେ ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ।

author-image
Niranjan Mishra
CMC

CMC

କଟକ ବକ୍ସଡ୍ରେନ୍ ପାଇପ ସନ୍ଧିରେ ଫସି ନାବାଳିକା ମୃତ୍ୟୁ ଘଟଣାରେ କଟକ ମହାନଗର ନିଗମର(ସିଏମ୍‌ସି) ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ। ସେମାନେ ହେଲେ ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ। ଡ୍ୟୁଟିରେ ଖିଲାପ ନେଇ ସସ୍‌ପେଣ୍ଡ କଲା ନଗର ଉନ୍ନୟନ ବିଭାଗ।

Advertisment

ସୂଚନା ଥାଉକି, ଦି ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ। ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ମୃତ୍ୟୁ ହୋଇଥିଲା। ୧୭ ବର୍ଷର ଝିଅ ଏନ୍.ମୋହିନୀଙ୍କ ବାପା ସାଇକେଲରେ ବୁଲି ଚପଲ ବିକନ୍ତି। ମା ପର ଘରେ ପାଇଟି କରନ୍ତି। ଅଭାବୀ ସଂସାରରେ ବଢୁଥିବା ଏ ଝିଅଟି ଇମର୍ତ୍ତି ଦେବୀ କଲେଜରେ ପ୍ଲସ୍ ଟୁ ପଢିବା ସହ ନିଜେ ବି କୁଆଡ଼େ ଘର ଚଳାଇବାକୁ ଛୋଟ ମୋଟ କାମ କରୁଥିଲେ। ହେଲେ କଟକ ସହରକୁ ସୁନ୍ଦର କରି ଗଢ଼ି ତୋଳିବାକୁ ବର୍ଷ ବର୍ଷ ଧରି ଚାଲିଥିବା ବାନ୍ଦର ବ୍ୟବସ୍ଥା, କାଲି ତାଙ୍କ ଜୀବନ ନେଇଗଲା। ଡ୍ରେନ୍ ପାଇପ ତଳେ ଘଣ୍ଟାଏ କାଳ ଚାପି ହୋଇ ଛଟପଟ ହେବା ପରେ ହସପିଟାଲରେ ଅବେଳରେ ଆଖି ବୁଜିଦେଲା ଗରିବ ପରିବାରର ସ୍ୱପ୍ନ। ଆଉ ବ୍ୟବଚ୍ଛେଦ ପରେ ଆଜି ଘରକୁ ଝିଅର ଡେଡବଡି ଫେରିଛି। ଯାହାକୁ ଦେଖି ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

କଟକ ସହରରେ ଯନ୍ତ୍ରଣାର ଅନ୍ୟ ନାଁ ପାଲଟିଥିବା ଜାଇକା ପାଇଁ ଲମ୍ବି ଚାଲିଛି ଜୀବନହାନିର ତାଲିକା। ହେଲେ ସମସ୍ତେ ଯେମିତି ବେପରୱା, ବେଫିକର। ସହରରେ ୧୦ ବର୍ଷ ତଳୁ ଜାଇକା ଆରମ୍ଭ କରିଥିବା ବକ୍ସ ଡ୍ରେନ୍ କାମ ଏବେ ବି ଚାଲିଛି। କାମ ଚାଲିଥିବା ବେଳେ ବ୍ୟାରିକେଡ୍ ଓ ସୂଚନା ଫଳକ ସହ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ଏସଓପି ଅଛି। ହେଲେ ଅଭିଯୋଗ ଏସବୁ କାଗଜ କଲମରେ। ନା କିଏ ଏସଓପିକୁ ମାନୁଛି, ନା ତାହା ପାଳନ ହେଉଛି କି ନାହିଁ ତାର କିଏ ତଦାରଖ କରୁଛି। ଏପରିକି ଆଜି କ୍ଷେତ୍ର ପରିଦର୍ଶନ ପରେ ଖୋଦ୍ ଟ୍ରାଫିକ୍ ଏସିପି ସୁଶାନ୍ତ କୁମାର ସିଂହ ଏସ୍ଓପି ପାଳନ ହୋଇନଥିବା କହିଛନ୍ତି। ଆଉ ଏସବୁ ସବୁ କାରଣ ପାଇଁ ୨୯ ତାରିଖରେ ତାଳଦଣ୍ଡା କେନାଲକୁ କାର୍ ଖସି ଜଣଙ୍କ ମୃତ୍ୟୁ ହେବା ପରେ କାଲି ଚାଲିଗଲା ଛାତ୍ରୀ ଏନ୍. ମୋହିନୀଙ୍କ ଜୀବନ। ହେଲେ ମେୟର ଏନ୍.ମୋହିନିଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିବା ସହ ଆଗକୁ ଯେଭଳି ଏମିତି ଘଟଣା ନଘଟେ ସେଥିପାଇଁ ସଜାଗ ରହିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।

Advertisment
Cuttack Drain Death